କାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ: ବିଭିନ୍ନ ପ୍ରସଙ୍ଗରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇପାରନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ଆସନ୍ତାକାଲିଠୁ ସପ୍ତଦଶ ବିଧାନସଭାର ସପ୍ତମ ଅର୍ଥାତ ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅଧିବେଶନର ଅବଧି ସଂକ୍ଷିପ୍ତ ଅର୍ଥାତ୍‌ ମାତ୍ର ୯ ଦିନର ହୋଇଥିଲେ ମଧ୍ୟ ପ୍ରମୁଖ ଦୁଇଟି ପ୍ରସଙ୍ଗକୁ ନେଇ ଗୃହ ହୁଲୁସ୍ତୁଲ ହେବ ବୋଲି ଆପାତତଃ ସ୍ପଷ୍ଟ ହୋଇଗଲାଣି। ଏମଏମଡିଆର ସଂଶୋଧନ ଆଇନ ଏବଂ ପୁସ୍ତକ ମୁଦ୍ରଣ ତ୍ରୁଟି ସହ ସଂଶୋଧିତ ବହି ପ୍ରଦାନରେ ଅହେତୁକ ବିଳମ୍ବକୁ ନେଇ ବିରୋଧୀଙ୍କ ଅସନ୍ତୋଷର ଅବପାତ କେଉଁ ରୂପ ଧାରଣ କରିବ, ତାହା ଆକଳନ କରିବା ରାଜନୈତିକ ବିଶେଷଜ୍ଞଙ୍କ ପାଇଁ କଷ୍ଟକର ହୋଇଛି। ତେବେ ୯ ଦିନ ମଧ୍ୟରେ ଉପରୋକ୍ତ ଦୁଇ ପ୍ରସଙ୍ଗକୁ ନେଇ ବିଜେଡି, ଇଣ୍ଡିଆ ବ୍ଲକ ଓ ନବ ନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ବିଧାନସଭା ଘେରଉ କାର୍ଯ୍ୟକ୍ରମ ରହିଥିବାରୁ ଗୃହ ଭିତରେ ଓ ବାହାରେ ସରକାର ପ୍ରଚଣ୍ଡ ବିରୋଧର ସମ୍ମୁଖୀନ ହେବା ଆଶଙ୍କା ରହିଛି।

ଏମଏମଡିଆର ସଂଶୋଧିତ ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ବିଜେଡି ଆନ୍ଦୋଳନ ଜାରି ରଖିବ ବୋଲି ପୂର୍ବରୁ ଘୋଷଣା କରି ସାରିଛି । ଏପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଆଇନର ପ୍ରତ୍ୟାହାର ପାଇଁ ସର୍ବସମ୍ମତ ପ୍ରସ୍ତାବ ପାରିତ କରିବାକୁ ଦାବି କରିଛନ୍ତି। ତେଣୁ ଆସନ୍ତା ଅଧିବେଶନରେ ଏମଏମଡିଆର ସଂଶୋଧନ ଆଇନ ଓ ରାଜ୍ୟ ସ୍ୱାର୍ଥକୁ ବିଜେଡି ଓ ଅନ୍ୟ ବିରୋଧୀ ପ୍ରମୁଖ ପ୍ରସଙ୍ଗ ଭାବରେ ଗ୍ରହଣ କରିଛନ୍ତି। ଏହା ରାଜ୍ୟ ସ୍ୱାର୍ଥ ସହ ଜଡ଼ିତ ଥିବାରୁ ବିଧାନସଭାରେ ଏମ୍‌ଏମ୍‌ଡ଼ିଆର୍‌ ସଂଶୋଧନକୁ ବିରୋଧୀ ଜୋରଦାର ବିରୋଧ କରିବେ ବୋଲି ଇଙ୍ଗିତ ମିଳିଛି। ଏହାସହ ପୁସ୍ତକ ମୁଦ୍ରଣ ତ୍ରୁଟି ଏବଂ ଏଯାବତ୍‌ ସମସ୍ତ ପିଲାଙ୍କୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯାଇନଥିବା ବେଳେ ଏହାକୁ ନେଇ ମଧ୍ୟ ବିରୋଧୀ ଦଳ ଗୃହ ହୁଲୁସ୍ତୁଲୁ କରିବାକୁ ଯାଉଛନ୍ତି। ଗତ କିଛି ମାସ ହେଲାଣି ବିଜେଡି ଏନେଇ ରଜ୍ୟର ପ୍ରତିଟି ଜିଲ୍ଲାରେ  ଆନ୍ଦୋଳନ କରିବା ସହ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆସୁଛି। ବିଭିନ୍ନ ସାମାଜିକ ସଂଗଠନର ନେତାମାନେ  ଏନେଇ ଅନଶନ କରୁଛନ୍ତି। କଂଗ୍ରେସ ସହ ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ନିୟମିତ ଭାବରେ ଆନ୍ଦୋଳନ କରି ଆସୁଛନ୍ତି। ତେଣୁ ଗୃହରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ସମସ୍ତ ପିଲାଙ୍କୁ ତୁରନ୍ତ ପୁସ୍ତକ ପ୍ରଦାନ ଦାବି ଦୃଢ଼ ଭାବରେ ବିରୋଧୀ ଦଳ ଉତ୍ଥାପନ କରିବେ ବୋଲି ସୂଚନା ମିଳିଛି। ଏପରିକି ଆସନ୍ତା ୨୨ ତାରିଖରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିଧାନସଭା ସାମନାରେ ଧାରଣା ଡକରା ଦିଆଯାଇଛି। 

ଏପଟେ ଆସନ୍ତା ୨୯ ତାରିଖରେ ଏମଏମଡିଆର ସଂଶୋଧିତ ଆଇନକୁ ନେଇ ଇଣ୍ଡିଆ ବ୍ଲକ ମଧ୍ୟ ବିଧାନସଭା ଘେରଉ କରିବାକୁ ଘୋଷଣା କରିିଛି। ଏହି ଦୁଇ ପ୍ରସଙ୍ଗରେ ଶାସକ ଦଳ ଆରମ୍ଭରୁ ବ୍ୟାକଫୁଟରେ ଥିବାବେଳେ ମୌସୁମୀ ଅଧିବେଶନ ଆଦୌ ସେମାନଙ୍କ ପାଇଁ ସହଜ ହେବ ନାହିଁ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି। ଏହାବ୍ୟତୀତ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି, ଦରଦାମ ବୃଦ୍ଧି, ମହାନଦୀ ବିବାଦରେ ଆପୋଷ ସମାଧାନ ନେଇ ସରକାରଙ୍କ ନିରବତା, ଚାଷ ଓ ଚାଷୀ ସମସ୍ୟା, ବେକାରୀ ସମସ୍ୟା, ରାଜ୍ୟରେ ବିକାଶ କାମ ଠପ୍‌ ହୋଇପଡ଼ିବା, ଶିକ୍ଷକ ସମସ୍ୟା ଆଦିକୁ ନେଇ ବିରୋଧୀ ସରକାରଙ୍କୁ ଘେରି ପାରନ୍ତି। ଆସନ୍ତାକାଲି ବିଜେଡି ଓ କଂଗ୍ରେସର ବିଧାୟକ ଦଳ ଅନୁଷ୍ଠିତ ହେବାକୁ ଥିବାବେଳେ ସରକାରଙ୍କୁ ଘେରିବା ନେଇ ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ କରାଯିବ। ସୋମବାର ସନ୍ଧ୍ୟା ୫ଟା ବେଳେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ଅପରପକ୍ଷେ ବିଜେପି ବିଧାୟକ ଦଳ ବୈଠକ ମଧ୍ୟ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇପାରେ ବୋଲି ଜଣାପଡ଼ିଛି। ତେବେ ବିରୋଧୀଙ୍କୁ ସରକାର ଓ ସରକାରୀ ଦଳ କେମିତି ମୁକାବିଲା କରୁଛନ୍ତି, ତାହା ଦେଖିବା ବେଶ୍‌ ରୋଚକ ହେବ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି।

About The Author: Madhusudan Das