ଭୁବନେଶ୍ୱର : ରାଜ୍ୟରେ ମୃତ ଅବା ବ୍ରେନ୍ ଡେଡ୍ ରୋଗୀଙ୍କ ଠାରୁ ଅଙ୍ଗ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯିବ। ଏହି ଲକ୍ଷ୍ୟରେ ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍ (ସୋଟ୍ଟୋ)କୁ ଅଧିକ ସୁଦୃଢ଼ କରାଯିବ। ନିକଟରେ ବସିଥିବା ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ଏକାଧିକ ନିଷ୍ପତ୍ତି ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ ଅଙ୍ଗ ପ୍ରତିରୋପଣ ପାଇଁ ରାଜ୍ୟ ସରକାର ୨୦୧୯ ମସିହାରେ ସୋଟ୍ଟୋ ପ୍ରତିଷ୍ଠା କରିଥିଲେ। ଆଜି ସୁଦ୍ଧା ଏହି ଅନୁଷ୍ଠାନ ଜରିଆରେ ସମୁଦାୟ ୧୩୦୨ଟି ଅଙ୍ଗ ପ୍ରତିରୋପଣ କରାଯାଇ ଥିବା ବେଳେ ସେଥିରୁ ମୃତବ୍ୟକ୍ତିଙ୍କ ଠାରୁ ପ୍ରତିରୋପଣ ସଂଖ୍ୟା ରହିଛି ମାତ୍ର ୧୦। ଅବଶିଷ୍ଟ ୧୩୧୨ଟି ଅଙ୍ଗ ପ୍ରତିରୋପଣ ଜୀବନ୍ତ ବ୍ୟକ୍ତିଙ୍କ ଠାରୁ ଅଙ୍ଗ ସଂଗ୍ରହ ଜରିଆରେ ସମ୍ପାଦିତ ହୋଇଛି। ସୋଟ୍ଟୋର ପ୍ରଦର୍ଶନ ଆଖି ଦୃଶୀଆ ନଥିବାରୁ ଅଙ୍ଗ ପ୍ରତିରୋପଣ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଛି। ଡାକ୍ତର ବିଭୂତି ଭୂଷଣ ନାୟକଙ୍କୁ ସୋଟ୍ଟୋ, ଓଡ଼ିଶାର ଯୁଗ୍ମ ନିର୍ଦ୍ଦେଶକ ତଥା ଭାରପ୍ରାପ୍ତ ବୈଷୟିକ ଅଧିକାରୀ ନିଯୁକ୍ତ କରାଯାଇଛି। ତାଙ୍କ ଅଧୀନରେ ଦୁଇ ଜଣ କନସଲଟାଣ୍ଟ ଏବଂ ଜଣେ ପ୍ରୋଗ୍ରାମ୍ ଆସିଷ୍ଟାଣ୍ଟ ନିଯୁକ୍ତ ହୋଇଛନ୍ତି।
- ଏସ୍ସିବିରେ ପ୍ରତିଷ୍ଠା ହେବ କ୍ରସ୍ ମ୍ୟାଚିଂ ସେଣ୍ଟର
- ୫ ବର୍ଷ ପାଇଁ ଦିଆଗଲା ୭.୫୨ କୋଟି
- ଡାକ୍ତରଖାନା ସହ ସମନ୍ୱୟ ରକ୍ଷା କରି ମୃତ ଓ ବ୍ରେନ୍ ଡେଡ୍ ରୋଗୀଙ୍କ ତଥ୍ୟ ସଂଗ୍ରହ କରାଯିବ
- ଗ୍ରୀନ୍ କରିଡର୍ ପ୍ରସ୍ତୁତି ଉପରେ ଗୁରୁତ୍ୱ
ତେବେ ଜୀବନ୍ତ ବ୍ୟକ୍ତିଙ୍କ ତୁଳନାରେ ମୃତ ବ୍ୟକ୍ତିଙ୍କ ଶରୀରରୁ ଅଙ୍ଗ ଆଣି ଜଣେ ରୋଗୀଙ୍କ ଜୀବନ ବଞ୍ଚାଇବା ଅଧିକ ଉପାଦେୟ। କିନ୍ତୁ ଏହି ପ୍ରକ୍ରିୟା ଏତେଟା ସହଜ ନୁହେଁ। ବଞ୍ଚିବା ଆଶା କ୍ଷୀଣ ଥିବା ରୋଗୀ ଅବା ବ୍ରେନ୍ ଡେଡ୍ ତଥା ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶରୀରରୁ ଅଙ୍ଗ ସଂଗ୍ରହ ଉପରେ ଗୁରୁତ୍ୱ ଦେବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ପ୍ରତି ମାସରେ ରାଜ୍ୟ ନୋଡ଼ାଲ ଅଧିକାରୀଙ୍କ ନେତୃତ୍ୱରେ ମୃତ ବ୍ୟକ୍ତିଙ୍କ ଅଙ୍ଗ ପ୍ରତିରୋପଣ ସମ୍ପର୍କରେ ସମୀକ୍ଷା କରାଯିବ। ସରକାରୀ ଓ ଘରୋଇ ହସ୍ପିଟାଲରୁ ମୃତ ଅବା ବ୍ରେନ୍ ଷ୍ଟେମ୍ ଡେଥ୍ ରୋଗୀଙ୍କ ସମ୍ପର୍କରେ ସୋଟ୍ଟୋ ତଥ୍ୟ ସଂଗ୍ରହ କରିବ। ଅଙ୍ଗ ପ୍ରତିରୋପଣ ପାଇଁ ପ୍ରାଧିକୃତ ହସ୍ପିଟାଲକୁ ସୋଟ୍ଟୋ ଅଧିକାରୀ ଯାଇ ଅଙ୍ଗଦାନ ପାଇଁ ଆଲୋଚନା କରିବେ। ଠିକ୍ ସମୟରେ ସମ୍ଭାବ୍ୟ ଅଙ୍ଗଦାତାଙ୍କ ନିକଟରେ ପହଞ୍ଚିବା ସହିତ ତାଙ୍କ ପରିବାର ଲୋକଙ୍କ ସହ ଅଙ୍ଗଦାନ ସମ୍ପର୍କରେ ଆଲୋଚନା କରିବେ। ସେମାନଙ୍କୁ ବୁଝାସୁଝା କରି ଅଙ୍ଗଦାନ ଜରିଆରେ ଆଉ କାହାକୁ ନୂଆ ଜୀବନ ଦେବା ପାଇଁ ଉଦ୍ୟମ କରିବେ। ଅଙ୍ଗଦାନ ପାଇଁ ପ୍ରସ୍ତୁତ ଥିବା ମୃତ ବ୍ୟକ୍ତିଙ୍କ ଶବ ବ୍ୟବଛେଦ କରାଇବା ଏବଂ କମ୍ ସମୟରେ ଅଙ୍ଗକୁ ସୁରକ୍ଷିତ ଭାବେ ଡାକ୍ତରଖାନା ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଗ୍ରୀନ୍ କରିଡର ପ୍ରସ୍ତୁତ କରିବା ଦିଗରେ ସୋଟ୍ଟୋ କାମ କରିବ। ଏଥିପାଇଁ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବେ। ଏକାଧିକ ଅଙ୍ଗ ପ୍ରତିରୋପଣ ପାଇଁ ସୋଟ୍ଟୋ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ନିମନ୍ତେ ପଦକ୍ଷେପ ନେବ।
ଏଥିସହ ଅଙ୍ଗଦାନ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଦିଗରେ ମଧ୍ୟ ଅନୁଷ୍ଠାନ କାମ କରିବ। ଅଦ୍ୟାବଧି ରାଜ୍ୟର ୧୦ଟି ହସ୍ପିଟାଲକୁ ଅଙ୍ଗ ପ୍ରତିରୋପଣ ଏବଂ ଟିସ୍ୟୁ ବ୍ୟାଙ୍କ ପରିଚାଳନା ପାଇଁ ଅନୁମତି ପ୍ରଦାନ କରାଯାଇଛି। ତେବେ ମୃତ ବ୍ୟକ୍ତିଙ୍କ ଅଙ୍ଗ ପ୍ରତିରୋପଣକୁ ଅଗ୍ରାଧିକାର ଦେଇ ରାଜ୍ୟରେ ଅଧିକ ସଂଖ୍ୟକ ଅଣ ପ୍ରତିରୋପିତ ଅଙ୍ଗ ସଂଗ୍ରହ କେନ୍ଦ୍ର ସ୍ଥାପନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ବିଏସ୍କେୱାଇରେ ଅଙ୍ଗପ୍ରତିରୋପଣକୁ ସାମିଲ କରିବା ପାଇଁ ବିଚାର କରାଯିବ। ଅଙ୍ଗ ପ୍ରତିରୋପଣ ନିମନ୍ତେ ଜରୁରୀ ଥିବା ବିଭିନ୍ନ ପ୍ରକାର ପରୀକ୍ଷା ମଧ୍ୟରୁ ଅଧିକ ଜରୁରୀ ଥିବା କ୍ରସ୍ ମ୍ୟାଚିଂ ଟେଷ୍ଟ ସୁବିଧା କେବଳ ଆପୋଲୋ ହସ୍ପିଟାଲରେ ଉପଲବ୍ଧ ହେଉଛି। ତେଣୁ ମୃତ ଦେହ ସଂରକ୍ଷଣ କରି ରଖିବା, ପରୀକ୍ଷା ନିରୀକ୍ଷା ଏବଂ ଅଙ୍ଗ ବାହାର କରିବା ଆଦି ବାବଦ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏଥିପାଇଁ ସରକାରଙ୍କ ଅନୁମୋଦନ ନିଆଯିବ। କିଡ୍ନୀ, ଲିଭର୍ ଏବଂ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଉପରେ ଅଧିକ ଗୁୁରୁତ୍ୱ ଦିଆଯିବ। ଏସ୍ସିବି ମେଡିକାଲ କଲେଜରେ କ୍ରସ୍ ମ୍ୟାଚ୍ ଏବଂ ଅନ୍ୟ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ। ୨୦୨୧ ମସିହାରେ ଆଗାମୀ ୫ ବର୍ଷ ନିମନ୍ତେ ରାଜ୍ୟ ସରକାର ସୋଟ୍ଟୋକୁ ୭.୫୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି।