ସରିଲା କ୍ୟାବିନେଟ୍‌ ବୈଠକ, ୪ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ବର: ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରିଛନ୍ତି। କ୍ୟାବିନେଟ୍‌ ପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟଗଣଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଓଡିଶାର ସାଢେ ଚାରି କୋଟି ଜନସାଧାରଣଙ୍କ ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇ […]

ଭୁବନେଶ୍ବର: ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରିଛନ୍ତି।

କ୍ୟାବିନେଟ୍‌ ପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟଗଣଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଓଡିଶାର ସାଢେ ଚାରି କୋଟି ଜନସାଧାରଣଙ୍କ ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭାରତୀୟ ଜନତା ପାର୍ଟିର ସଂକଳ୍ପ ପତ୍ରକୁ ଗ୍ରହଣ କରି ରାଜ୍ୟ କ୍ୟାବିନେଟ ଆଜି ୪ଟି ପ୍ରସ୍ତାବ ଗ୍ରହଣ କରିଛନ୍ତି ।

ଏହି ନିଷ୍ପତ୍ତି ଅନୁଯାୟୀ, ଆସନ୍ତାକାଲି ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆରତୀ ସମୟରେ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲାଯିବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ଓ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ ମାନଙ୍କ ଉପସ୍ଥିତିରେ ଚାରି ଦ୍ବାର ଖୋଲାଯିବ। ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ କିଛି ବର୍ଷ ହେବ ତିନି ଦ୍ବାର ବନ୍ଦ ଥିବା ହେତୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାଦ୍ବାରା ଭକ୍ତ ଓ ଭଗବାନଙ୍କ ଭିତରେ ଏକ ବ୍ୟବଧାନ ସୃଷ୍ଟି ହେଉଥିଲା । ଚାରି ଦ୍ବାର ଖୋଲାଯିବା ଦ୍ବାରା ଏହି ବ୍ୟବଧାନ ଦୂର ହେବ।

ଦ୍ବିତୀୟ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିରର ଉନ୍ନତିକରଣ, ସଂରକ୍ଷଣ, ବିକାଶ ତଥା ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ୫୦୦ କୋଟି ଟଙ୍କାର ଏକ କର୍ପସ ଫଣ୍ଡର ବ୍ୟବସ୍ଥା କରିବେ।

ତୃତୀୟ ନିଷ୍ପତ୍ତି ହେଉଛି ରାଜ୍ୟର କୃଷକ ଭାଇଭଉଣୀ ମାନଙ୍କ ସଶକ୍ତିକରଣ ପାଇଁ ଏକ ‘ସମୃଦ୍ଧ କୃଷକ ନୀତି’ ଆସିବ ଏବଂ ଚାଷୀ ମାନଙ୍କୁ ଦିଆଯାଇଥିବା ପ୍ରତିଶୃତି ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏଥିପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆଗାମୀ ୧୦୦ ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ।

ଚତୁର୍ଥ ନିଷ୍ପତ୍ତି ଅନୁଯାୟୀ ମହିଳା ମାନଙ୍କୁ ଅଧିକ ସଶକ୍ତ କରିବା ପାଇଁ ଏବଂ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ମହିଳା ମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ।  ଆଗାମୀ ୧୦୦ ଦିନ ମଧ୍ୟରେ ଏହାର ରୂପରେଖ ପ୍ରସ୍ତୁତ କରି ମାର୍ଗଦର୍ଶିକା (guidelines) ପ୍ରସ୍ତୁତ କରିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

About The Author: The Sakala