ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରୁ ଅପସାରଣ କରାଯାଇଥିବା ଦଶାବତାର ମୂର୍ତ୍ତି ପୁନଃ ଅବସ୍ଥାପନ କରାଯିବା ପ୍ରସ୍ତାବ ଉପରେ ମୁକ୍ତି ମଣ୍ଡପ ସ୍ଥାୟୀ ସଭାପତି ପରମପୂଜ୍ୟ ଶ୍ରୀମଦ୍ ଜଗଦ୍ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ୨୦୧୨ରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ଙ୍କ ଦ୍ୱାରା ସିଂହଦ୍ୱାର ଗୁମୁଟ ଓ ପାର୍ଶ୍ୱବର୍ତ୍ତୀ ପୁରାତନ ନିର୍ମାଣ କାର୍ଯ୍ୟର ମରାମତି ଓ ସଂରକ୍ଷଣ କରାଯାଇଥିଲା। ଏହି କାମ ସମୟରେ ସିଂହଦ୍ୱାର ଗୁମୁଟରେ ସଂସ୍ଥାପିତ ହୋଇଥିବା ଦଶାବତାର ମୂର୍ତ୍ତି ଅପସାରଣ କରାଯାଇ ସେହି ସ୍ଥାନରେ ନୂତନ ପ୍ରସ୍ତର ବିମ୍ ସ୍ଥାପନ କରାଯାଇଛି। ପୂର୍ବରୁ ଦଶାବତାର ମୂର୍ତ୍ତି ଚୂନ ପ୍ରଲେପରେ ତିଆରି ହୋଇଥିଲା। ଦଶାବତାର ମୂର୍ତ୍ତି ନବମ ଅବତାର ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିଙ୍କ ଅବସ୍ଥିତି ରହିଥିଲା, ଯାହାକି ସେତେବେଳେ ମତଭେଦ ସୃଷ୍ଟି କରିଥିଲା।
ତେବେ ଦଶାବତାର ମୂର୍ତ୍ତି ପୁନଃ ଅବସ୍ଥାପନ ନିମନ୍ତେ ଗତ ଜାନୁଆରୀ ୧୭ରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା କରାଯାଇଥିଲା। ଏ ସମ୍ପର୍କରେ ଶ୍ରୀମଦ୍ ଜଗଦ୍ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିବାକୁ ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା। ପରମ୍ପରାନୁଯାୟୀ ଶ୍ରୀମନ୍ଦିର ଧାର୍ମିକ ପ୍ରସଙ୍ଗ ଉପରେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସ୍ଥାୟୀ ଅଧ୍ୟକ୍ଷ ଶ୍ରୀମଦ୍ ଜଗଦ୍ଗୁରୁଙ୍କ ମାର୍ଗଦର୍ଶନ ପାଇଁ ସବିନୟ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ।