ଅପରାଧୀଙ୍କୁ ଧରିବ ‘ସ୍ପେଶାଲ ୬୦’ : ରାତିରେ ସାଦା ପୋଷାକରେ ବୁଲିବେ ପୁଲିସ

ଭୁବନେଶ୍ୱର : ଆଉ ଅପରାଧୀଙ୍କୁ ନିସ୍ତାର ମିଳିବ ନାହିଁ। ରାଜଧାନୀରେ ଅପରାଧ ଘଟାଉଥିବା ପେଷାଦାର ଅପରାଧୀଙ୍କୁ ସାବାଡ଼ କରିବ କମିସନରେଟ ପୁଲିସ। ଏଥିଲାଗି ଭୁବନେଶ୍ୱର ଡିସିପି ଗଢ଼ିଛନ୍ତି ସ୍ୱତନ୍ତ୍ର ଟିମ୍‍ ‘ସ୍ପେଶାଲ ୬୦’। ରାଜଧାନୀ ୫ଟି ଥାନା ଅଞ୍ଚଳର ବଛାବଛା ଅଧିକାରୀଙ୍କୁ ନେଇ ଏହି ଟିମ୍‍ ଗଠନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଖାରବେଳନଗର, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ ଓ କ୍ୟାପିଟାଲ ଥାନା ଅଞ୍ଚଳ ଫୋକସ୍‍ରେ ରହିବ। ଏହି ଥାନାଗୁଡ଼ିକର ପୁଲିସ କର୍ମଚାରୀମାନେ ରାତି ୧୧ଟା ରୁ ସକାଳ ୬ […]

ଭୁବନେଶ୍ୱର : ଆଉ ଅପରାଧୀଙ୍କୁ ନିସ୍ତାର ମିଳିବ ନାହିଁ। ରାଜଧାନୀରେ ଅପରାଧ ଘଟାଉଥିବା ପେଷାଦାର ଅପରାଧୀଙ୍କୁ ସାବାଡ଼ କରିବ କମିସନରେଟ ପୁଲିସ। ଏଥିଲାଗି ଭୁବନେଶ୍ୱର ଡିସିପି ଗଢ଼ିଛନ୍ତି ସ୍ୱତନ୍ତ୍ର ଟିମ୍‍ ‘ସ୍ପେଶାଲ ୬୦’। ରାଜଧାନୀ ୫ଟି ଥାନା ଅଞ୍ଚଳର ବଛାବଛା ଅଧିକାରୀଙ୍କୁ ନେଇ ଏହି ଟିମ୍‍ ଗଠନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଖାରବେଳନଗର, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ ଓ କ୍ୟାପିଟାଲ ଥାନା ଅଞ୍ଚଳ ଫୋକସ୍‍ରେ ରହିବ। ଏହି ଥାନାଗୁଡ଼ିକର ପୁଲିସ କର୍ମଚାରୀମାନେ ରାତି ୧୧ଟା ରୁ ସକାଳ ୬ ଟା ପର୍ଯ୍ୟନ୍ତ ନିଜ ଅଞ୍ଚଳରେ ସାଦା ପୋଷାକରେ ପାଟ୍ରୋଲିଂ କରିବେ। ଏ ନେଇ ଏଜି ଛକସ୍ଥିତ ଟ୍ରାଫିକ ଥାନାରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି।

ବୈଠକରେ କୋଭିଡ ପରିଚାଳନା ଠାରୁ ଆରମ୍ଭ କରି ରାଜଧାନୀର ଅପରାଧ ନିୟନ୍ତ୍ରଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ କମିସନରେଟ ପୁଲିସ ସମସ୍ତ ଥାନାର ଅଧିକାରୀ ଏବଂ ଏସିପି ଯୋଗ ଦେଇଥିଲେ। ଏହି ବୈଠକରେ ରାଜଧାନୀରେ ବଢ଼ୁଥିବା ଅପରାଧକୁ ନିୟନ୍ତ୍ରଣ କରିବା ଲାଗି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଅଯାଇଛି। ଏଥିସହିତ ପୁରୁଣା ଅପରାଧୀଙ୍କୁ ଉପରେ ନଜର ରଖିବା ସହ ଥାନାରେ ହାଜିର ହେବାକୁ କୁହାଯାଇଛି। ଏଥିସହିତ ଅର୍ଥନୈତିକ କାରବାର ଓ ଷ୍ଟ୍ରିଟ୍‍ କ୍ରାଇମ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଥାନାଗୁଡ଼ିକୁ ଗାଡ଼ି ହଟାଇବା, ମାଲ୍‍ଖାନା ସଜାଡ଼ିବା ଉପରେ ଗୁରୁତ୍ୱ ଦେବା ଲାଗି କୁହାଯାଇଛି।

ଆହୁରି ମଧ୍ୟ ଥାନାକୁ ଯାଉଥିବା ବ୍ୟକ୍ତିଙ୍କୁ ଉତ୍ତର ବ୍ୟବହାର ଦେଇ ସେମାନଙ୍କୁ ସମସ୍ୟା ବୁଝିବାକୁ କୁହାଯାଇଛି। ଯେପରି ପୁଲିସ ଲୋକାଭିମୁଖୀ ହୋଇପାରିବ ସେ ଦିନରେ ଧ୍ୟାନ ଦେବାକୁ ଡିସିପି କହିଛନ୍ତି। ଆହୁରି ମଧ୍ୟ ପଡ଼ି ରହିଥିବା ମାମଲାକୁ ଶେଷ କରି କୋର୍ଟରେ ତୁରନ୍ତ ଚାର୍ଜସିଟ୍‍ ଦାଖଲ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଅତିରିକ୍ତ ଡିସିପିଙ୍କ ସମେତ ଏସିପି ଓ ସମସ୍ତ ଥାନାର ଅଧିକାରୀ ଯୋଗ ଦେଇଥିଲେ। ସେମାନଙ୍କୁ ଅପରାଧୀଙ୍କୁ ଧରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଗୁରୁମନ୍ତ୍ର ଦିଆଯାଇଥିଲା।

ଏନେଇ ଡିସିପି ଶ୍ରୀ ଦାଶ କହିଛନ୍ତି ଅପରାଧୀଙ୍କୁ ଧରିବା ଏବଂ ଚୋରି ସାମଗ୍ରୀ ଜବତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଗତକିଛି ଦିନ ହେବ ଚଢ଼ଉ ଜୋରଦାର ହେବାରୁ ସହରରୁ ଅପରାଧ କମିଛି ବୋଲି ସେ ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ କମିସନରେଟ ପୁଲିସ ସ୍ପେଶାଲ ୨୬ ଗଠନ କରି ବିଭିନ୍ନ ଅପରାଧୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

About The Author: The Sakala