ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଛି। ଛାତ୍ର କଂଗ୍ରେସ ଆଜି ସନ୍ଧ୍ୟାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜଙ୍କ ବାସଭବନ ଘେରିଛି।ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ଉତ୍ତେଜିତ ହୋଇଛି। ଛାତ୍ର କଂଗ୍ରେସର ସଦସ୍ୟମାନେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡା ମାଡ଼ କରିଛନ୍ତି। ଏଥି ସହିତ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି। କଂଗ୍ରେସ ଘଟଣାର ନ୍ୟାୟିକ ତଦନ୍ତ ଦାବି ସହିତ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।
ସୂଚନାଯୋଗ୍ୟ, କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଗତ ୧୨ ତାରିଖ ଶନିବାର ମଧ୍ୟାହ୍ନରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା । ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ୬୦ ଘଣ୍ଟା ଧରି ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଦଳଙ୍କ ସହାୟତାରେ ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା । ହେଲେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି ।