ଭୁବନେଶ୍ୱର: ରାଜ୍ୟରେ ପ୍ରତି ବର୍ଷ ଘଟୁଥିବା ସାପ କାମୁଡ଼ାଜନିତ ମୃତ୍ୟୁରେ ରୋକ୍ ଲାଗିବ। ଦୃଢ଼ ସଚେତନତା ଓ ତୁରନ୍ତ ଚିକିତ୍ସା ସୁବିଧା ଉପଲବ୍ଧ କରି ରାଜ୍ୟ ସରକାର ଏହି ମୃତ୍ୟୁ ସଂଖ୍ୟା କମାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିବା ବେଳେ ଏହି କମିଟି ସାପକାମୁଡ଼ା ଜନିତ ମୃତ୍ୟୁ ହ୍ରାସ ଦିଗରେ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ହୋଇଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା) କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ବିଭିନ୍ନ ଦିଗରେ ଅନୁଧ୍ୟାନ କରି ଏକ ଖଶଡ଼ା ପ୍ରସ୍ତୁତ କରିବ। ଯାହାକୁ ସାରା ରାଜ୍ୟ ପାଇଁ ଲାଗୁ କରାଯିବା ସହ ଏ ସମ୍ପର୍କରେ ବ୍ୟାପକ ସଂସ୍କାର ଆସିବ ବୋଲି ସୂଚନା ମିଳିଛି।
ଏହି କମିଟିରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସଦସ୍ୟ ଥିବା ବେଳେ ଏମସ୍ ନିର୍ଦ୍ଦେଶକ, ଏସ୍ସିବି ମେଡିକାଲ କଲେଜର ପ୍ରତିନିଧି, ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ବୈଜ୍ଞାନିକ ଡ. ପ୍ରତ୍ୟୁଷ ମହାପାତ୍ର, ବିଶ୍ୱବ୍ୟାଙ୍କର ପ୍ରତିନିଧି ପୀୟୁଷ ରମତ୍ୱର ସେଖ୍ସାରିଆ, ସ୍ନେକ୍ ହେଲ୍ପଲାଇନ୍ ମୁଖ୍ୟ ଶୁଭେନ୍ଦୁ ମଲ୍ଲିକ ପ୍ରମୁଖ ସଦସ୍ୟ ରହିଛନ୍ତି। ଏହି ୬ ଜଣ ସଦସ୍ୟଙ୍କ ସମେତ ଓସ୍ଡମାର ଚିଫ୍ ଜେନେରାଲ୍ ମ୍ୟାନେଜରଙ୍କୁ କମିଟିରେ ଆବାହକ ଭାବେ ନିଯୁକ୍ତ କରାଯାଇଛି। ଓସଡମାର ପରିଚାଳନା ନିର୍ଦ୍ଦେଶକଙ୍କ ତତ୍ୱାବଧାନରେ ଏହି ଟିମ୍ କାର୍ଯ୍ୟ କରିବ ବୋଲି ଓସ୍ଡମା ପକ୍ଷରୁ କୁହାଯାଇଛି।
କେରଳ ଓ ଆସାମ ଭଳି ରାଜ୍ୟ ସାପକାମୁଡ଼ା କ୍ଷେତ୍ରରେ ଭଲ କାର୍ଯ୍ୟ କରୁଛନ୍ତି। ଏ କ୍ଷେତ୍ରରେ ପ୍ରାରମ୍ଭିକ ଅବସ୍ଥାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଆଣ୍ଟିଭେନମ୍ ଦିଆଗଲେ ଜୀବନ ବଞ୍ଚାଇହେବ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏଥି ପାଇଁ ବିଭାଗ ପକ୍ଷରୁ ଖୁବ୍ଶୀଘ୍ର ଏକ ମୋବାଇଲ୍ ଆପ୍ ଲଞ୍ଚ କରାଯିବ ବୋଲି ସୂଚନା ମିଳିଛି। ଏଥୁରୁ ରାଜ୍ୟର ପ୍ରତ୍ୟେକଟି ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ଥିବା ଆଣ୍ଟିଭେନମ୍ ଷ୍ଟକ୍ ବିଷୟରେ ସୂଚନା ଦିଆଯିବ। ଯାହାଦ୍ୱାରା ସାପ କାମୁଡ଼ାରେ ଶିକାର ହୋଇଥିବା ଲୋକ ତୁରନ୍ତ ଏହାର ଲାଭ ପାଇପାରିବେ। ବୈଜ୍ଞାନିକ ଡ. ପ୍ରତ୍ୟୁଷ ମହାପାତ୍ର କହିଛନ୍ତି ଯେ ପୂର୍ବରୁ ଏ ସମ୍ପର୍କରେ ବୈଠକ ହୋଇଛି। ଏହି ବୈଠକରେ ସାପ କାମୁଡ଼ା ମୃତ୍ୟୁ କମାଇବା ସମ୍ପର୍କରେ ଆଲୋଚନା ହୋଇଛି। ଆଗକୁ ବୈଠକ ବସିବ ଓ ଏ ସମ୍ପର୍କରେ ବ୍ୟାପକ ଆଲୋଚନା କରାଯିବ। ମୁଖ୍ୟତଃ ଲୋକଙ୍କ ମନରେ ସଚେତନତା ସୃଷ୍ଟି ସହ ଅନ୍ୟ ଦିଗକୁ ସୁଦୃଢ଼ କରି ମୃତ୍ୟୁ ସଂଖ୍ୟା ହ୍ରାସ କରିବାକୁ କାର୍ଯ୍ୟ କରାଯିବ ବୋଲି ଡ. ମହାପାତ୍ର କହିଛନ୍ତି।
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଏବେ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ହାସଲ କରିଛି। କିନ୍ତୁ ରାଜ୍ୟ ପାଇଁ ସାପକାମୁଡ଼ା ଜନିତ ମୃତ୍ୟୁ ଆହ୍ୱାନ ସାଜୁଛି। ପ୍ରତିବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ୭୦୦ରୁ ଊର୍ଦ୍ଧ୍ବ ଲୋକ ସାପକାମୁଡ଼ାରେ ପ୍ରାଣ ହରାଉଛନ୍ତି। ମୁଖ୍ୟତଃ ବର୍ଷା ଦିନେ ଏହି ସମସ୍ୟା ଅଧିକ ହେଉଛି। ଓଡ଼ିଶାରେ ପାଖାପାଖି ୮୦ ପ୍ରଜାତିର ସାପ ରହିଥିବା ବେଳେ ସ୍ଥଳଚର ସାପଙ୍କ ମଧ୍ୟରେ ୮ ପ୍ରଜାତିର ସାପ ଦଂଶନରେ ଅଧିକ ଜୀବନ ହାନୀ ହେଉଥିବା ଜଣାପଡ଼ଇଛି। ରାଜ୍ୟରେ ସାପକାମୁଡ଼ା ଜନିତ ମୃତ୍ୟୁ ବଢ଼ିବା ପରେ ରାଜ୍ୟ ସରକାର ଏହାକୁ ବିପର୍ଯ୍ୟୟ ଭାବେ ଗ୍ରହଣ କରିବା ସହିତ ୨୦୧୫ ମସିହାରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରି ଆସୁଛନ୍ତି। ସହୟତା ଦିଆଯାଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ହେଉଥିବାରୁ ବିପର୍ଯ୍ୟୟ ପରିଚାଳନା ପାଇଁ ଚିନ୍ତାର କାରଣ ସାଜିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଶୂନ୍ୟ ଜୀବନହାନୀ ମନ୍ତ୍ରକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏହି କ୍ଷେତ୍ରରେ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନେକାଂଶରେ ପଛରେ ରହିଯାଇଛି। ଯାହାକୁ ଗୁରୁତ୍ୱ ଦେଇ ଗତ ବର୍ଷେ ହେବ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସାପକାମୁଡ଼ା ମୃତ୍ୟୁ କମାଇବା ପାଇଁ ମାନସ ମନ୍ଥନ କରିବା ସହ ଗୁରୁବାର ଏହି କମିଟି ଗଠନ କରିଛି।