ଅସହ୍ୟ ହେଲା ପୁଅବୋହୂଙ୍କ ନିର୍ଯାତନା; ବରିଷ୍ଠ ନାଗରିକ ଦମ୍ପତିଙ୍କ ମୁହଁରେ ହସ ଫୁଟାଇଲା ‘ମାଧ୍ୟମ’

ଭୁବନେଶ୍ୱର: ପୁଅ ଓ ବୋହୂଙ୍କ ନିର୍ଯାତନା ଅସହ୍ୟ ହେଉଥିଲା। ଆଉ ଦିଆଯାଉଥିଲା ମାନସିକ ନିର୍ଯାତନା। ଗୋଟିଏ ପଟେ ରୋଗର ଯନ୍ତ୍ରଣା ଓ ଅନ୍ୟପଟେ ପୁଅ ଓ ବୋହୂଙ୍କ ନିର୍ଯାତନା। ଏହାରି ଭିତରେ ଅସହାୟ ଅନୁଭବ କରିଥିଲେ ବୟସ୍କ ଦମ୍ପତି। ଏଣୁ ସେମାନେ କମିସନରେଟ୍‍ ପୁଲିସ ପକ୍ଷରୁ ଖୋଲାଯାଇଥିବା ‘ମାଧ୍ୟମ’ ସହାୟତା କେନ୍ଦ୍ରର ସହଯୋଗ ଲୋଡ଼ିଥିଲେ। ଶେଷରେ ‘ମାଧ୍ୟମ’ ସହାୟତାର ହାତ ବଢ଼ାଇ ସମାଧାନ କରିଥିବାରୁ ବୟସ୍କ ଦମ୍ପତିଙ୍କ ମୁହଁରେ ହସ ଫୁଟିଛି। ବରିଷ୍ଠ ନାଗରିକ ସମ୍ପତି ରାଜେନ୍ଦ୍ର […]

ଭୁବନେଶ୍ୱର: ପୁଅ ଓ ବୋହୂଙ୍କ ନିର୍ଯାତନା ଅସହ୍ୟ ହେଉଥିଲା। ଆଉ ଦିଆଯାଉଥିଲା ମାନସିକ ନିର୍ଯାତନା। ଗୋଟିଏ ପଟେ ରୋଗର ଯନ୍ତ୍ରଣା ଓ ଅନ୍ୟପଟେ ପୁଅ ଓ ବୋହୂଙ୍କ ନିର୍ଯାତନା। ଏହାରି ଭିତରେ ଅସହାୟ ଅନୁଭବ କରିଥିଲେ ବୟସ୍କ ଦମ୍ପତି। ଏଣୁ ସେମାନେ କମିସନରେଟ୍‍ ପୁଲିସ ପକ୍ଷରୁ ଖୋଲାଯାଇଥିବା ‘ମାଧ୍ୟମ’ ସହାୟତା କେନ୍ଦ୍ରର ସହଯୋଗ ଲୋଡ଼ିଥିଲେ। ଶେଷରେ ‘ମାଧ୍ୟମ’ ସହାୟତାର ହାତ ବଢ଼ାଇ ସମାଧାନ କରିଥିବାରୁ ବୟସ୍କ ଦମ୍ପତିଙ୍କ ମୁହଁରେ ହସ ଫୁଟିଛି।

ବରିଷ୍ଠ ନାଗରିକ ସମ୍ପତି ରାଜେନ୍ଦ୍ର ଓ ମିନାକ୍ଷୀଙ୍କ ତିନି ପୁଅ ଅଛନ୍ତି। ରାଜେନ୍ଦ୍ର ପାରାଦ୍ୱୀପ ପୋର୍ଟରେ ଚାକିରି କରୁଥିବା ସମୟରେ ଏକ ଫର୍ଣ୍ଣିଚର ଶୋ-ରୁମ୍‍ କରିଥିଲେ। ବେରୋଜଗାର ଥିବା ରାଜେନ୍ଦ୍ରଙ୍କ ସାନ ପୁଅକୁ ସେ ଉକ୍ତ ଫର୍ଣ୍ଣିଚର ଶୋ-ରୁମର ଦାୟିତ୍ୱ ଦେଇଥିଲେ। ସେ ଚାକିରିରୁ ଅବସର ନେବା ପରେ ରାଜେନ୍ଦ୍ର ଓ ମିନାକ୍ଷୀ ପାରାଦ୍ୱୀପରୁ ଆସି ଭୁବନେଶ୍ୱରରେ ଘର କିଣି ରହିଲେ। ସାନ ପୁଅ-ବୋହୂ ମଧ୍ୟ ଆସି ସେହି ଘରେ ରହିଲେ। ସାନପୁଅ ପାରାଦ୍ୱୀପରେ ଥିବା ଫର୍ଣ୍ଣିଚର ଶୋ-ରୁମକୁ ବିକି ଭାଙ୍ଗି ଖାଇଦେଇଥିଲେ। ପରେ ବାପା ଓ ମା’ ରହୁଥିବା ଭୁବନେଶ୍ୱର ଘରେ ଆସି ସେଠାରେ ଗଣ୍ଡଗୋଳ କରିଥିଲେ। ତିନି ପୁଅ-ବୋହୂ ଘରର ଆଉ କୌଣସି ଦାୟିତ୍ୱ ନେଇ ନ ଥିଲେ। ଏପରିକି ରାଜେନ୍ଦ୍ରଙ୍କ ପେନ୍‍ସନ ଟଙ୍କାରେ ଘରର ସମସ୍ତ ସଦସ୍ୟ ଚଳିବା କାଠିକର ପାଠ ହୋଇଥିଲା। ରାଜେନ୍ଦ୍ର ଓ ମିନାକ୍ଷୀ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ଥିବାରୁ ସ୍ୱଳ୍ପ ପେନ୍‍ସନରେ ପରିବାର ସଦସ୍ୟଙ୍କୁ ଚଳାଇ ନ ପାରିବାରୁ ପୁଅ-ବୋହୂ ସେମାନଙ୍କୁ ମାର୍‍ପିଟ୍‍ କରିଥିଲେ। ସମସ୍ତ ପୁଅ-ବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଶେଷରେ ଉଭୟ ଆସି ଏହି ଘଟଣା ବିଷୟରେ କମିସନରେଟ୍‍ ପୁଲିସ ପକ୍ଷରୁ କରାଯାଇଥିବା ‘ମାଧ୍ୟମ’ ସହାୟତା କେନ୍ଦ୍ରରେ ଜଣାଇଥିଲେ।

‘ମାଧ୍ୟମ’ର ସଦସ୍ୟମାନେ ସମସ୍ତଙ୍କୁ ଡକାଇ କାଉନସେଲିଂ କରିଥିଲେ। ପୁଅ-ବୋହୂଙ୍କୁ ଘରୁ ବାହାରି ଯିବା ଲାଗି ରାଜେନ୍ଦ୍ର ଓ ମିନାକ୍ଷୀ ଆବେଦନ କରିଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ କାଉନସେଲିଂ କରାଯାଇ ‘ମାଧ୍ୟମ’ ନେଇଥିଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ସମସ୍ତ ୩ ପୁଅ-ବୋହୂଙ୍କୁ ଅନ୍ୟତ୍ର ରହିବା ସହ ବାପା ଓ ମା’ଙ୍କ ଦେହ ଅସୁସ୍ଥ ଥିବାରୁ ପ୍ରତ୍ୟେକ ମାସ ଔଷଧ ଖର୍ଚ୍ଚ ମଧ୍ୟ ତୁଲାଇବା ଲାଗି ପରାମର୍ଶ ଦିଆଯାଇଥିଲା। ଏପରିକି ବାପା ଓ ମା’ଙ୍କୁ ଫୋନ କରି କୌଣସି ପ୍ରକାର ମାନସିକ ଚାପ ନ ଦେବା ଲାଗି ତାଗିଦା କରାଯାଇଥିଲା। ଏବେ ଉଭୟ ବରିଷ୍ଠ ଦମ୍ପତି ଭଲରେ ଅଛନ୍ତି।

ମାସକରେ ୧୪ ଅଭିଯୋଗ; ୧୦ ସମାଧାନ

ଅକ୍ଟୋବର ମାସରେ ଭୁବନେଶ୍ୱରସ୍ଥିତ ଡିସିପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ସହଯୋଗ କେନ୍ଦ୍ର ‘ମାଧ୍ୟମ’ରେ ସମୁଦାୟ ୧୪ଟି ଅଭିଯୋଗ ହୋଇଛି। ସେଥିରୁ ୧୦ଟି ମାମଲାରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଉଛି। ସେହିପରି ଜଣେ ମହିଳାଙ୍କୁ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଇଛି। ଅନ୍ୟ ଜଣେ ମହିଳାଙ୍କୁ ଆଇନଗତ ସହାୟତା ଯୋଗାଇ ଦିଆଯାଇ ଥିବା ବେଳେ ୨ଜଣଙ୍କର ଗୃହ ପରିଦର୍ଶନ କରଯାଇଛି। ସେଭଳି ‘ମାଧ୍ୟମ’ ପକ୍ଷରୁ କେତେକ ପୀଡ଼ିତା ମହିଳାଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ବିଭିନ୍ନ ଧନ୍ଦାମୂଳକ ତାଲିମ କେନ୍ଦ୍ରଗୁଡ଼ିକରେ ମାଗଣା ତାଲିମ ନେବାର ବ୍ୟବସ୍ଥା କରାଯାଇଛି। ବିବାହ ବିଚ୍ଛେଦ ହେବାକୁ ଯାଉଥିବା କେତେକ ଘଟଣାରେ ବ୍ୟକ୍ତିଗତ ଭାବେ କେବଳ ସ୍ୱାମୀ କିମ୍ୱା ସ୍ତ୍ରୀଙ୍କୁ ଡକାଇ କିମ୍ୱା ଉଭୟଙ୍କୁ ଏକାଠି ବସାଇ, ପରେ ଆବଶ୍ୟକ ହେଲେ ଉଭୟଙ୍କ ପରିବାର ସଦସ୍ୟଙ୍କୁ ଡକାଯାଇ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ କରାଯାଉଛି। ସେପଟେ କାର୍ଯ୍ୟସ୍ଥଳରେ ଶାରୀରିକ, ମାନସିକ ଓ ସାମାଜିକ ନିର୍ଯାତନା, ଘରୋଇ ହିଂସା, ଯୌନ ନିର୍ଯାତନା, ମହିଳା ଚାଲାଣ, ବାଲ୍ୟ ବିବାହ, ଏସିଡ୍‍ ଆକ୍ରମଣ ପୀଡ଼ିତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି।

About The Author: The Sakala