ମହାନଦୀ ଓ ଦୟାର ତଳ ଅଞ୍ଚଳରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ, ସୂଚନା ଦେଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଉବୁଟୁବୁ ସମସ୍ତ ନଦୀ । ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଆସୁଛି ମଧ୍ୟମ ଧରଣ ବନ୍ୟା । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ବଡ଼ ସୂଚନା । ମହାନଦୀ ଓ ଦୟାର ତଳି ଅଞ୍ଚଳରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ । ବୈତରଣୀରେ ବନ୍ୟା ସ୍ଥିତି ରହିଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

ଯନ୍ତ୍ରୀ କହିଛନ୍ତି, ଏବେ ହୀରାକୁଦରେ ଜଳସ୍ତର ୬୧୬ ଫୁଟ ରହିଥିବାବେଳେ ଦୁଇଟି ଗେଟ୍ ଦେଇ ବନ୍ୟା ପାଣି ଛଡା ଯାଉଛି । ତଥାବି ତେଲ ନଦୀ ବେସିନ ସହ ବଲାଙ୍ଗିର, ଖଇରମାଳରେ ଅଧିକ ବର୍ଷା ଯୋଗୁଁ ଗୁରୁବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୮.୫ରୁ ୪ ଲକ୍ଷ କ୍ୟୁସେକ ପାଣି ଆସିବ । ଫଳରେ ଶୁକ୍ରବାର ଦୟା ନଦୀ ଓ ମହାନଦୀର ତଳି ଅଞ୍ଚଳରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ । ନିମାପଡା, କଣାସ, ଗୋପ, ଅସ୍ତରଙ୍ଗ ଅଞ୍ଚଳରେ ବନ୍ୟା ପାଣି ପଶିବ ବୋଲି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ବୈତରଣୀରେ ବନ୍ୟା ସ୍ଥିତି ରହିଛି । ଯାଜପୁର ଦଶରଥପୁର, ଧାମନଗର, ଚାନ୍ଦବାଲିରେ ବନ୍ୟା ପାଣି ପଶିଛି । ସାଳନ୍ଦୀରେ ଇନଫ୍ଲୋ କମିଛି । ଭଦ୍ରକରେ ସ୍ଥିତି ଗୁରୁବାର ସୁଦ୍ଧା ସୁଧୁରିବ । ଆନନ୍ଦପୁରରେ ଏକ ଛୋଟ ଘାଇ ହୋଇଛି । ପାଣି କମିଲେ ମରାମତି ହେବ । ଯାଜପୁରରେ ଏକ ଛୋଟ ଘାଇ ହୋଇଥିଲା, ସେଠାରେ ପାଣି କମିଲେ ମରାମତି ହେବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

About The Author: Madhusudan Das