ପାହାଡରୁ ନିଖୋଜ ଯୁବକଙ୍କ କଙ୍କାଳ ଠାବ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୁନ୍ଦରଗଡ଼: ପାହାଡରୁ ନରକଙ୍କାଳ ଉଦ୍ଧାର । ଗତ ଫେବୃଆରୀ ୨୫ ତାରିଖରୁ ନିଖୋଜ ରହିଥିବା ବଡଗାଁ ଥାନା ଅନ୍ତର୍ଗତ ଶଙ୍କରାପୋଷ ଗ୍ରାମର ଲଲିତ ଧୃଆଙ୍କ ପୁଅ ସୁଜିତ(୨୫)ଙ୍କ କଙ୍କାଳସାର ଠାବ ହୋଇଛି । ସୂଚନା ଅନୁସାରେ, ଘଟଣା ଦିନ ସୁଜିତ ତାଙ୍କ ବାପାଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ । ବାପା ଟଙ୍କା ଦେବାକୁ ମନା କରିବାରୁ ସେ ଘରୁ କୁଆଡେ ଚାଲି ଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ବିଫଳ ହେବା ପରେ […]

ସୁନ୍ଦରଗଡ଼: ପାହାଡରୁ ନରକଙ୍କାଳ ଉଦ୍ଧାର । ଗତ ଫେବୃଆରୀ ୨୫ ତାରିଖରୁ ନିଖୋଜ ରହିଥିବା ବଡଗାଁ ଥାନା ଅନ୍ତର୍ଗତ ଶଙ୍କରାପୋଷ ଗ୍ରାମର ଲଲିତ ଧୃଆଙ୍କ ପୁଅ ସୁଜିତ(୨୫)ଙ୍କ କଙ୍କାଳସାର ଠାବ ହୋଇଛି । ସୂଚନା ଅନୁସାରେ, ଘଟଣା ଦିନ ସୁଜିତ ତାଙ୍କ ବାପାଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ । ବାପା ଟଙ୍କା ଦେବାକୁ ମନା କରିବାରୁ ସେ ଘରୁ କୁଆଡେ ଚାଲି ଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ବିଫଳ ହେବା ପରେ ଗତ ମାସ ୭ ତାରିଖରେ ତାଙ୍କ ନିଖୋଜ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ ।

ଏ ନେଇ ପୁଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଆଜି ଶଙ୍କରାପୋଷ ଗ୍ରାମ ନିକଟସ୍ଥ ଜଙ୍ଗଲରେ ନର କଙ୍କାଳ ବିକ୍ଷିପ୍ତ ଭାବେ ପଡିଥିବା ଦେଖିବାକୁ ମିଳିଥିଲା । ଏକ ଗଛ ଡାଳରେ ତାଙ୍କ ଗାମୁଛା ବନ୍ଧା ହୋଇଥିବା ବେଳେ ଘଟଣାସ୍ଥଳରେ ତାଙ୍କ ପିନ୍ଧା ପୋଷାକ, ହାତବଳା ଆଦି ପଡି ରହିଥିଲା । ଗ୍ରାମବାସୀଙ୍କ ଠାରୁ ଖବର ପାଇ ତାଙ୍କ ପରିବାର ଲୋକେ ଘଟଣାସ୍ଥଳକୁ ପଂହଚି ଏହା ସୁଜିତଙ୍କ କଙ୍କାଳସାର ବୋଲି ଚିହ୍ନଟ କରିଥିଲେ । ପରେ ମୃତ ସୁଜିତଙ୍କ ବଡ ଭାଇ ସୁମନ୍ତ ଧୃଆ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପଡୋଶୀ ଗ୍ରାମର ଜଣେ ଯୁବତୀଙ୍କ ସହ ତାଙ୍କ ଭାଇଙ୍କ ପ୍ରେମ ସମ୍ପର୍କ ରହିଥିବାରୁ ପରିବାର ଲୋକେ ସୁପରିକଳ୍ପିତ ଭାବେ ସୁଜିତଙ୍କୁ ହତ୍ୟା କରିଥିବା ସେ ଦର୍ଶାଇଛନ୍ତି । ଆଜି ସନ୍ଧ୍ୟା ହୋଇ ଯିବାରୁ ମୃତ ସୁଜିତଙ୍କ କଙ୍କାଳସାର ଜବତ କରା ଯାଇ ପାରି ନାହିଁ । ସୋମବାର ଏହାକୁ ଜବତ କରା ଯାଇ ଏଫଏମଟି ପାଇଁ ପଠା ଯିବ ବୋଲି ପୁଲିସ କହିଛି ।

About The Author: The Sakala