ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ: 'ଜଗନ୍ନାଥ ଟେମ୍ପଲ ସ୍କ୍ୱାଡ୍' ପାଇଁ ବାହାରିଥିବା ନିଯୁକ୍ତି ପତ୍ର ଜାଲ୍

ପୁରୀ: ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା 'ଜଗନ୍ନାଥ ଟେମ୍ପଲ ସ୍କ୍ୱାଡ୍' ପଦବୀ ପାଇଁ ଥିବା ନିଯୁକ୍ତି ପତ୍ରକୁ ଜାଲ୍ ବୋଲି ସ୍ପଷ୍ଟ କରିଛି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA)। ଏହି ପଦବୀ ପାଇଁ କୌଣସି ପ୍ରକାରର ନିଯୁକ୍ତି ପ୍ରକ୍ରିୟା କରାଯାଇନାହିଁ ବୋଲି ପ୍ରଶାସନ ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ କରାଯାଇଛି।

ଭାଇରାଲ୍ ହେଉଥିବା ଏହି ଜାଲ୍ ନିଯୁକ୍ତି ପତ୍ରଗୁଡ଼ିକରେ ଶ୍ରୀମନ୍ଦିର ପ୍ରଶାସନର ଲେଟରହେଡ୍, ସିଲ୍ ଏବଂ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଜାଲ୍ ସ୍ୱାକ୍ଷର ବ୍ୟବହାର କରାଯାଇଛି। ଏହି ନିଯୁକ୍ତି ଗୃହ ବିଭାଗ ଅଧୀନରେ ଦିଆଯାଇଥିବା ଦାବି କରାଯାଇଛି। ଗଡ଼ମୃଗଶିରା ଅନ୍ତର୍ଗତ ଜାମରାସୁଆଁର ସ୍ୱସ୍ତି ପ୍ରୀତମ ପାଇକରଙ୍କ ନାମରେ ମଧ୍ୟ ଏଭଳି ଏକ ଚିଠି ଜାରି କରାଯାଇଥିବା ଦେଖିବାକୁ ମିଳିଛି। ସୂତ୍ର ଅନୁଯାୟୀ, ଅତି କମରେ ୧୬ ଜଣ ବ୍ୟକ୍ତିଙ୍କ ନାମରେ ଏଭଳି ନକଲି ନିଯୁକ୍ତି ପତ୍ର ସାମ୍ନାକୁ ଆସିଛି।

ଏହି ଭାଇରାଲ୍ ଦସ୍ତାବେଜକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ସ୍ୱତନ୍ତ୍ର କାର୍ଯ୍ୟାଧିକାରୀ (ସୁରକ୍ଷା) ସ୍ପଷ୍ଟ କରିଛନ୍ତି ଯେ ଏହି ଚିଠିଗୁଡ଼ିକ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ପ୍ରଶାସନ ପକ୍ଷରୁ ମନ୍ଦିର ସ୍କ୍ୱାଡ୍ ପାଇଁ କୌଣସି ନିଯୁକ୍ତି ଆଦେଶ ଜାରି କରାଯାଇନାହିଁ। ଏହି ଘଟଣାରେ ସମ୍ପୃକ୍ତ ଥିବା ଦୋଷୀମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ ହୋଇଛି ଏବଂ ଏହି ଜାଲ୍ ଦସ୍ତାବେଜ୍ ପ୍ରସ୍ତୁତ ତଥା ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଜେଟିଏ (SJTA) ପକ୍ଷରୁ ଚେତାବନୀ ଦିଆଯାଇଛି।

About The Author: Madhusudan Das