ବାରିପଦା: ଏସିଆ ମହାଦେଶର ଦ୍ୱିତୀୟ ବୃହତ ଜୈବ୍ୟ ମଣ୍ଡଳ ଭାବେ ପ୍ରସିଦ୍ଧ ଲାଭ କରିଥିବା ଶିମିଳିପାଳ ଅଭୟାରଣ୍ୟ ଚଳିତ ଜୁନ ୧୨ରୁ ସେପ୍ଟେମ୍ବର ୩୦ତାରିଖ ଯାଏଁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ବିଭାଗୀୟ ବିଜ୍ଞପ୍ତି ଜାରି କରିଛନ୍ତି। ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକ ମାନଙ୍କ ପାଇଁ ସାଢେ ଚାରି ମାସ ପର୍ଯ୍ୟନ୍ତ ଫାଟକ ବନ୍ଦ ରହିବ। ପ୍ରତିବର୍ଷ ବର୍ଷା ଋତୁ ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକ ମାନଙ୍କ ପ୍ରବେଶ ବନ୍ଦ ରହିଥାଏ। ତେବେ ଏଥର ସହଳ ମୌସୁମୀ ପାଇଁ ୪ଦିନ ପୂର୍ବରୁ ବନ୍ଦ କରାଯାଉଛି । ବର୍ଷା ପରେ ସ୍ଥିତିକୁ ଦେଖି ନଭେମ୍ବର ମାସ ପହିଲାକୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଶିମିଳିପାଳ ଅଭୟାରଣ୍ୟ ଖୋଲିବା ନେଇ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି। ସାଧାରଣତଃ ବର୍ଷା ଋତୁରେ ଅଭୟାରଣ୍ୟର ରାସ୍ତାଘାଟ ଧୋଇଯାଇ ବିପଦ ଶଙ୍କୁଳ ଅବସ୍ଥାରେ ରହିଥାଏ। ତେଣୁ ପର୍ଯ୍ୟଟକ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ସାମୟିକ ବନ୍ଦ କରାଯାଇଥାଏ। ଏହି ସମୟ ମଧ୍ୟରେ ଅଭୟାରଣ୍ୟ ଭିତରେ ରାସ୍ତା ସମେତ ଭିଭିନ୍ନ ଭିତ୍ତିଭୂମିର ମରାମତି ମଧ୍ୟ ହୋଇଥାଏ। ସେପଟେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଜାମୁଆଣି, ଗୁଡୁଗୁଡ଼ିଆ, କୁମାରୀ, ବରେହିପାଣି ଓ ରାମତୀର୍ଥ ଇକୋ ଟୁରିଜିମରେ ପର୍ଯ୍ୟଟକଙ୍କ ରହଣି ସମେତ ପର୍ଯ୍ୟଟନ ପାଇଁ ଖୋଲା ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି।