ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

ଭୁବନେଶ୍ୱର: ରାଜ୍ୟକୁ ପୁଣି ଥରେ ଫେରିଛି ଅସହ୍ୟ ତାତି । ଲଗାତାର ଭାବେ କାଳବୈଶାଖୀ ସତ୍ତ୍ୱେ ପ୍ରବଳ ଗୁଳୁଗୁଳି ମଧ୍ୟରେ ପୁଣି ତାତି ଫେରିବା ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇଛି। ଉପରମୁହାଁ ତାତି ସାଙ୍ଗକୁ ପ୍ରଚୁର ମାତ୍ରାରେ ଆର୍ଦ୍ରତା ହେତୁ ଭୀଷଣ ଗୁଳୁଗୁଳି ଅନୁଭୂତ ହୋଇଛି।  ଶୁକ୍ରବାର ରାଜ୍ୟର ୧୩ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୪୧.୭ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଭୁବନେଶ୍ୱରରେ ତାପମାତ୍ରା ୪୧.୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୪୧.୨, ଅନୁଗୁଳ, ଝାରସୁଗୁଡ଼ାରେ ତାପମାତ୍ରା ୪୧.୧ ଡିଗ୍ରୀ ରେକର୍ଡ ହୋଇଛି। 

ବଡ଼ କଥା ହେଉଛି ଗତକାଲି ଦିନ ତମାମ ରାଜ୍ୟର ଅନେକ ସ୍ଥାନରେ ଆର୍ଦ୍ରତା ପରିମାଣ ୬୦-୭୦ ପ୍ରତିଶତ ଉପରେ ରହିଛି। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ବାୟୁମଣ୍ଡଳରେ ପ୍ରକୃତ ତାପମାତ୍ରା ୩୯-୪୧ ଡିଗ୍ରୀ ମଧ୍ୟରେ ସୀମିତ ଥିଲେ ମଧ୍ୟ ୬୦-୭୦ ପ୍ରତିଶତ ଆର୍ଦ୍ରତା ହେତୁ ଅନୁଭୂତ ହେଉଥିବା ତାପମାତ୍ରା ବା “ହିଟ୍‌ ଇଣ୍ଡେକ୍ସ’ ୪୫-୫୦ ଡିଗ୍ରୀ ଲାଗୁଛି। ଏହି କ୍ରମରେ ଭୁବନେଶ୍ୱରରେ ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୧ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ହିଟ୍‌ ଇଣ୍ଡେକ୍ସ ୫୦ ଡିଗ୍ରି ଅନୁଭୂତ ହୋଇଛି। 

ପାଣିପାଗ ବିଭାଗ ଅନୁସାରେ, ଏଭଳି ସ୍ଥିତି ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ। ଯଦିଓ ଏହି ସମୟରେ ଅନେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ, ମାତ୍ର ମୌସୁମୀ ଆଗମ ପୂର୍ବରୁ ବାୟୁମଣ୍ଡଳରେ ପ୍ରଚୁର ଜଳୀୟବାଷ୍ପ ରହୁଥିବା ହେତୁ ଗୁଳୁଗୁଳି ମଧ୍ୟ ଅଧିକ ରହିବ। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ, ଏବେ ସକାଳ ୭-୮ ଟା ବେଳୁ ହିଁ ଖରା ଆରମ୍ଭ ହୋଇ ଗୁଳୁଗୁଳି ହେଉଛି। ରାତିରେ ମଧ୍ୟ ତାପମାତ୍ରା ସ୍ୱାଭାବିକ ତୁଳନାରେ ଅଧିକ ରହୁଥିବା ହେତୁ ଶୋଇବା କଷ୍ଟକର ହେଉଛି। ବାୟୁମଣ୍ଡଳରେ ପ୍ରଚୁର ପରିମାଣରେ ଜଳୀୟବାଷ୍ପ ରହୁଥିବାରୁ ଶରୀରରୁ ବାହାରୁଥିବା ଝାଳ ଶୁଖୁନାହିଁ। ଫଳରେ ମନୁଷ୍ୟ ଶରୀର ନିଜକୁ ପ୍ରାକୃତିକ ଭାବେ ଥଣ୍ଡା କରିବାରେ ବିଫଳ ହେଉଛି ଏବଂ ଗରମର ପ୍ରକୋପ ଦୁଇଗୁଣା ଅଧିକ ଅନୁଭୂତ ହେଉଛି। ଶନିବାର ଉପକୂଳବର୍ତ୍ତି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଓ ନୟାଗଡ଼ରେ ଗରମ ଗୁଳୁଗୁଳି ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ସେହିପରି ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। 

About The Author: Madhusudan Das