ସାତ ଦିନରେ ୨ ଲଘୁଚାପ ଆଶଙ୍କା

ଭୁବନେଶ୍ୱର : ଉତ୍ତରପଶ୍ଚିମ ତଥା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଶନିବାର ଏକ ଲଘୁଚାପ ସୃଷ୍ଟି ହେବ। ମାତ୍ର ଲଘୁଚାପ ହେଲେ ମଧ୍ୟ ଓଡ଼ିଶାରେ ବିଶେଷ ବର୍ଷାର ସମ୍ଭାବନା କମ୍‍ ରହିଛି। ଏହି ଲଘୁଚାପ ଉତ୍ତରପଶ୍ଚିମ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ। ଏହି ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବା ଦ୍ୱାରା ରାଜ୍ୟର ସାଧାରଣତଃ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇଥାଏ। ଏହି ଆଧାରରେ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ମଧ୍ୟ ଦକ୍ଷିଣ […]

ଭୁବନେଶ୍ୱର : ଉତ୍ତରପଶ୍ଚିମ ତଥା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଶନିବାର ଏକ ଲଘୁଚାପ ସୃଷ୍ଟି ହେବ। ମାତ୍ର ଲଘୁଚାପ ହେଲେ ମଧ୍ୟ ଓଡ଼ିଶାରେ ବିଶେଷ ବର୍ଷାର ସମ୍ଭାବନା କମ୍‍ ରହିଛି। ଏହି ଲଘୁଚାପ ଉତ୍ତରପଶ୍ଚିମ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ। ଏହି ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବା ଦ୍ୱାରା ରାଜ୍ୟର ସାଧାରଣତଃ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇଥାଏ। ଏହି ଆଧାରରେ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ମଧ୍ୟ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲା ପାଇଁ ରହିଛି। କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନରେ ଦର୍ଶାଯାଇଛି ଯେ ଶନିବାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଯାଇଛି। ଅନ୍ୟପକ୍ଷରେ ସେପ୍ଟେମ୍ବର ୫ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆଇଏମଡି ପକ୍ଷରୁ ଆକଳନ କରିଛି। ଗୁରୁବାର ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ସେପ୍ଟେମ୍ବର ୫ ବେଳକୁ ପଶ୍ଚିମକେନ୍ଦ୍ରୀୟ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବ ମଧ୍ୟ ଓଡ଼ିଶା ଉପରେ କେତେ ରହିବ ତାହା ସ୍ପଷ୍ଟ ହୋଇନାହିଁ।
ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୨୫ ଜିଲ୍ଲାରେ ସ୍ୱାଭାବିକଠାରୁ ବର୍ଷା କମ୍‍ ହୋଇଛି। ବିଶେଷ କରି ଉତ୍ତରଓଡ଼ିଶା ଉପକୂଳବର୍ତ୍ତି ଜିଲ୍ଲା ସମେତ ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସ୍ଥିତି ଉଦବେଗଜନକ ରହିଛି।

ଯଦିଓ ବର୍ତ୍ତମାନ ସୁଦ୍ଧା ୫ ଟି ଲଘୁଚାପ ସୃଷ୍ଟି ହୋଇଛି କିନ୍ତୁ ଏଥିରୁ ଓଡ଼ିଶାରେ ବିଶେଷ ବର୍ଷା ହୋଇନାହିଁ। ସେହିପରି ଅଗଷ୍ଟ ମାସରେ ମାତ୍ର ୫ ଦିନ ମୌସୁମୀ ଜନିତ ବର୍ଷା ହୋଇଥିବାବେଳେ ବାକି ୨୨ ଦିନ ଦୁର୍ବଳ ରହିଛ। ଏହାଦ୍ୱାରା ବର୍ଷା ନିଅଣ୍ଟିଆ ସ୍ଥିତି ବଢ଼଼ି ଚାଲିଛି। ଗତ ୩୬ ଘଣ୍ଟା ମଧ୍ୟରେ ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବାଧିକ ୭୦.୫ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବାରିପଦାରେ ୫୬, ବାଲେଶ୍ୱରରେ ୪୧.୯, କେନ୍ଦୁଝରରେ ୫୮, ନୟାଗଡ଼଼ରେ ୩୬, କୋରାପୁଟରେ ୩୩, ଭୁବନେଶ୍ୱରରେ ୨୨, କଟକରେ ୨୮ ଓ ପାରାଦୀପରେ ୨୨ ମିମି ବର୍ଷା ରେକର୍ଡ କରାଯାଇଛି। ଶନିବାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ମଧ୍ୟ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ରବିବାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼଼ ଆଦି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ଆଶଙ୍କା ରହିଛି।

About The Author: The Sakala