ସାରା ରାଜ୍ୟକୁ କଲବଲ କରୁଛି ଅସହ୍ୟ ଥଣ୍ଡା, ଆସନ୍ତା ୨ସପ୍ତାହ ପର୍ଯ୍ୟନ୍ତ ପ୍ରବଳ ଶୀତ ଜାରି ରହିବା ସମ୍ଭାବନା

ଭୁବନେଶ୍ୱର: ମାଘ ମାସ ନୁହେଁ, ଏଥର ଶେଷ ମାର୍ଗଶିରରେ ଶୀତ ଆସିଛି ବାଘ ପରି।  ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠୁ ଖସିଛି ପାରଦ। ସାରା ରାଜ୍ୟକୁ କଲବଲ କରୁଛି ଅସହ୍ୟ ଥଣ୍ଡା। ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୫ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ କମ୍‌ ରହୁଛି। ଫଳରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ତାପମାତ୍ରା ୩ ଡିଗ୍ରୀକୁ ଖସିଥିବା ବେଳେ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ପ୍ରବଳ ଶୀତ ଜାରି ରହିବାର ସମ୍ଭାବନା ସୃଷ୍ଟି ହୋଇଛି। ରାଜ୍ୟରେ ପାରଦ ଲଗାତାର ନିମ୍ନଗାମୀ ହେବାରେ ଲାଗିଛି । ଶୀତ ଲହରିରେ ଅସ୍ତବ୍ୟସ୍ତ ହେଉଛନ୍ତି ରାଜ୍ୟବାସୀ ।

ରାଜ୍ୟର ଏକାଧିକ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ କମ୍‌ ରହୁଥିବା ବେଳେ ଅନେକ ଜିଲ୍ଲାରେ ଶୀତଲହରୀ ସମ ପରିସ୍ଥିତିି ସୃଷ୍ଟି ହୋଇଛି। ଦିନରେ ତାପମାତ୍ରା ସ୍ୱାଭାବିକ ରହୁଥିବା ବେଳେ ସଞ୍ଜ ନଇଁଲେ ପାରଦ ଖସିବା ସହ ଥଣ୍ଡାର ରାଜୁତି ଆରମ୍ଭ ହୋଇଯାଉଛି। ଯେତେ ରାତି ବଢୁଛି ସେତେ ଥଣ୍ଡାର ପ୍ରକୋପ ବଢିବା ସହ ଜାଡ଼ରେ ସାରା ରାଜ୍ୟ ଏବେ ଥରୁଛି। ଅନ୍ୟପଟେ ଗୁରୁବାର ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ତେଣୁ ଓଡ଼ିଶାରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୀତ ଲହରୀ ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। 

ଗତ ବର୍ଷ ରାଜ୍ୟରେ ଗୋଟିଏ ଦିନ ବି ଶୀତ ଲହରୀ (କୋଲ୍ଡ ୱେଭ୍‌)ସ୍ଥିତି ସୃଷ୍ଟି ହୋଇ ନ ଥିବା ବେଳେ ଚଳିତ ବର୍ଷ ଏବେ ସୁଦ୍ଧା ୯ ଦିନ ଶତ ଲହରୀ ସ୍ଥିତି ସୃଷ୍ଟି ହୋଇସାରିଛି। ଚଳିତ ବର୍ଷ ଡିସେମ୍ବର ମାସରେ ୬ ଦିନ ‘କୋଲ୍ଡ ୱେଭ୍‌’ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ନଭେମ୍ବରରେ ମଧ୍ୟରେ ୩ ଦିନ କୋଲ୍ଡ ୱେଭ୍‌ ହୋଇଛି। ଆଗାମୀ ୨ ସପ୍ତାହ ଶୀତ ଲହରୀ ସ୍ଥିତି ପାଇଁ ପାଗ ଅନୁକୂଳ ରହିଥିବାରୁ ଏହି ସଂଖ୍ୟାରେ ଆହୁରି ବୃଦ୍ଧି ନେଇ ଆକଳନ କରାଯାଉଛି। ପୂରା ଶୀତ ଋତୁରେ ଅର୍ଥାତ ଅଭେମ୍ବର ଶେଷରୁ ଜାନୁଆରୀ ଶେଷ ମଧ୍ୟରେ ୫-୬ ଦିନ କୋଲ୍ଡ ୱେଭ୍‌ ସ୍ଥିତି ସୃଷ୍ଟି ହୋଇଥାଏ। ହେଲେ ଚଳିତ ବର୍ଷ ଡିସେମ୍ବର ପ୍ରଥମ ସପ୍ତାହରୁ ଏହି ସଂଖ୍ୟା ୯ ରେ ପହଞ୍ଚି ସାରିଥିବାରୁ ସାରା ରାଜ୍ୟରେ ଲୋକେ ଶୀତରେ କଲବଲ ହେଉଛନ୍ତି। 

ଅନ୍ୟପଟେ ଶୀତ ଆକଳନକୁ ନେଇ ଏଥର ଡବ୍ଲୁଏମ୍‌ଓ ଓ ଆଇଏମ୍‌ଡି ଫେଲ୍‌ ମାରିଛନ୍ତି। ସାଧାରଣତଃ ଲା-ନିନା ବର୍ଷରେ ଶୀତ ଅଧିକ ହେବାର ସମ୍ଭାବନା ଥିବାରୁ ଏବର୍ଷ ଶୀତ ଅଧିକ ପରିବର୍ତ୍ତେ କମ୍‌ ରହିବ ବୋଲି ଏହି ଦୁଇ ସଂସ୍ଥା ଆକଳନ କରିଥିଲେ। ଦେଶରେ ଉତ୍ତର ଭାରତରେ ସାଧାରଣତଃ ଶୀତ ଅଧିକ ରହେ। ସେଠାରୁ ରାଜ୍ୟକୁ ଆସୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ଦ୍ୱାରା ରାଜ୍ୟରେ ଶୀତ ବଢେ଼। ମାତ୍ର ଆଇଏମ୍‌ଡି ଆକଳନ ଅନୁଯାୟୀ ଉତ୍ତର ଭାରତରେ ଚଳିତ ବର୍ଷ ଅପେକ୍ଷାକୃତ ଶୀତ କମ୍‌ ରହିଛି। ହେଲେ ସେଠାରୁ ଆସୁଥିବା ସ୍ୱାଭାବିକ ବାୟୁ ଦ୍ୱାର ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟରେ ଶୀତ ଅଧିକ ରହୁଛି। ଏହାକୁ ନେଇ ଆଇଏମ୍‌ଡି ସମେତ ଅନ୍ୟ ପାଣିପାଗ ବିଜ୍ଞାନୀମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ତେବେ ରାଜ୍ୟରେ ୧୩-୧୭ ମଧ୍ୟରେ ଅଧିକାଂଶ ଅଞ୍ଚଳରେ କୁହୁଡ଼ି ପାଇଁ ପାଗ ଅନୁକୂଳ ରହୁଛି। ଏହି ସମୟରେ ପୂର୍ବ ଦିଗରୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ଆସିବା ଦ୍ୱାରା କୁହୁଡ଼ି ବଢ଼ିବା ନେଇ ଆକଳନ କରାଯାଉଛି।

About The Author: Madhusudan Das