ବରିଷ୍ଠ ନେତ୍ରୀ ତଥା କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତ୍ରୀ ତଥା କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଆଜି ସକାଳେ ସେ ଅସୁସ୍ଥତା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । 

ଶ୍ରୀମତୀ ମହାନ୍ତି ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ କୋରେଇର ବିଧାୟିକା ଥିଲେ। ଏବଂ ରାଜ୍ୟ ବିଜେପିର ଜଣେ ଆଗ ଧାଡ଼ିର ମହିଳା ନେତ୍ରୀ ଥିଲେ। ତାଙ୍କୁ ବାସ ଭବନରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସଞ୍ଚିତାଙ୍କ ବିୟୋଗରେ ଏକ୍ସରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆମ ଦଳର ବରିଷ୍ଠ ନେତ୍ରୀ ତଥା କୋରାଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲି ।  ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଉଛି । ଏହା ସହିତ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।

ସଞ୍ଚିତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଏକ୍ସରେ ସେ କହିଛନ୍ତି କି,  ଲୋକଙ୍କ ସେବା ଓ ଉନ୍ନତିରେ ସଞ୍ଚିତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ ।

About The Author: Madhusudan Das