ବାତ୍ୟା ଆଶଙ୍କା: ଅକ୍ଟୋବର ୨୮ ଓ ୨୯ ତାରିଖରେ ରାଜ୍ୟର ୫ଟି ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ

ଭୁବନେଶ୍ୱର: ଅକ୍ଟୋବର ୨୮ ଓ ୨୯ ତାରିଖରେ ରାଜ୍ୟର ୫ଟି ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ । ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସମ୍ଭାବ୍ୟ ବାତ୍ୟା ଅକ୍ଟୋବର ୨୮ ତାରିଖରେ ଲ୍ୟାଣ୍ଡଫଲ୍ କରିବା ନେଇ ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅକ୍ଟୋବର ୨୮ ଏବଂ ୨୯ ତାରିଖରେ ୫ଟି ସମ୍ବେଦନଶୀଳ ଜିଲ୍ଲାରେ ସମସ୍ତ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଶାସନର ଏହି ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହେବାକୁ ଥିବା ୫ଟି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି। ଏହି ୫ଟି ହାଇ-ରିସ୍କ ଜିଲ୍ଲା ବ୍ୟତୀତ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ପାଣିପାଗର ସ୍ଥିତିକୁ ଦେଖି ସ୍କୁଲ ଛୁଟି ନେଇ ନିଷ୍ପତ୍ତି ନେବାକୁ ସ୍ଥାନୀୟ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି।

ଆଜି ଲୋକସେବା ଭବନଠାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟର ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ। ଅତୀତରେ ଦାନା ଭଳି ଭୟଙ୍କର ବାତ୍ୟାର ମୁକାବିଲା କରିବାର ଅଭିଜ୍ଞତାକୁ ଆଧାର କରି ମୁଖ୍ୟମନ୍ତ୍ରୀ ରାଜ୍ୟର ସର୍ବୋଚ୍ଚ ଲକ୍ଷ୍ୟ ଜିରୋ କାଜୁଆଲଟି (ଶୂନ୍ୟ ମୃତାହତ) ଉପରେ ଦୃଢ଼ ଗୁରୁତ୍ୱାରୋପ କରିଛନ୍ତି।

ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଏହି ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୮୦ ରୁ ୯୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଯଦିଓ ଏହି ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ରହିଛି, ତଥାପି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ କ୍ଷୟକ୍ଷତିର ଆଶଙ୍କା ରହିଛି।

About The Author: Madhusudan Das