ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି: ୬ଟି ଦକ୍ଷିଣ ଜିଲ୍ଲାରେ ରେସକ୍ୟୁ ଟିମ୍ ମୁତୟନ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏକ ଘୂର୍ଣ୍ଣିବଳୟ ବା ବାତ୍ୟାର ରୂପ ନେବା ପରେ ଓଡ଼ିଶା ସରକାର ନିଜର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ୬ଟି ଦକ୍ଷିଣ ଜିଲ୍ଲାରେ ବିପର୍ଯ୍ୟୟ ମୁକାବିଲାକାରୀ ଦଳ ମୁତୟନ କରାଯାଇଛି। ସରକାରଙ୍କ 'ଜିରୋ କାଜୁଆଲିଟି' ବା ଶୂନ୍ୟ ମୃତାହତ ଲକ୍ଷ୍ୟକୁ ପୂରଣ କରିବା ପାଇଁ ୨୭ଟି ଓଡ୍ରାଫ୍ (ODRAF) ଏବଂ ୬ଟି ଏନଡିଆରଏଫ୍ (NDRF) ଟିମକୁ ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ମୁତୟନ କରାଯାଇଛି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନ ସ୍ଥିତ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ ଜଣ ଉପମୁଖ୍ୟମନ୍ତ୍ରୀ ଏବଂ ୬ ଜଣ ମନ୍ତ୍ରୀଙ୍କୁ ୮ଟି ଜିଲ୍ଲାର ବାତ୍ୟା ପ୍ରସ୍ତୁତି ଏବଂ ରିଲିଫ୍ କାର୍ଯ୍ୟର ତଦାରଖ କରିବା ପାଇଁ ଦାୟିତ୍ୱ ଅର୍ପଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କୋରାପୁଟ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାୟଗଡ଼ା ଜିଲ୍ଲାର ଦାୟିତ୍ୱ ନେଇଛନ୍ତି।

ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକ ଯଥା- ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରରେ ବିଦ୍ୟାଳୟ, କଲେଜ ଏବଂ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରୀ ଅଧିକାରୀମାନଙ୍କ ଛୁଟି ବାତିଲ କରାଯାଇଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନ ବା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ଏହା ସହିତ ଗର୍ଭବତୀ ମହିଳାମାନଙ୍କୁ ଆଗୁଆ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରିଲିଫ୍ କେନ୍ଦ୍ରରେ ଆଶ୍ରୟ ନେଉଥିବା ଲୋକଙ୍କୁ 'ସମ୍ମାନିତ ଅତିଥି' ଭାବରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରତିଷେଧକ ମୂଳକ ପଦକ୍ଷେପ ସ୍ୱରୂପ ସମୁଦ୍ରକୁ ମାଛ ମାରିବାକୁ ଯିବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି। ପାହାଡ଼, ଜଳପ୍ରପାତ ଏବଂ ଡ୍ୟାମ୍ ଭଳି ପର୍ଯ୍ୟଟନ ସ୍ଥଳୀକୁ ଯିବା ଉପରେ ମଧ୍ୟ ରୋକ୍ ଲଗାଯାଇଛି। ୮୦ ରୁ ୮୫ ପ୍ରତିଶତ ଅମଳକ୍ଷମ ହୋଇଥିବା ଧାନ ଏବଂ ଅନ୍ୟାନ୍ୟ ଫସଲକୁ ଶୀଘ୍ର କାଟି ସୁରକ୍ଷିତ ସ୍ଥାନରେ ରଖିବାକୁ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ମେଡିକାଲଗୁଡ଼ିକରେ ଆଣ୍ଟି-ସ୍ନେକ ଭେନମ୍ (ସାପ କାମୁଡ଼ା ଔଷଧ) ଏବଂ କ୍ଲୋରିନ୍ ବଟିକା ମହଜୁଦ୍ ରଖିବାକୁ କୁହାଯାଇଛି।

About The Author: Madhusudan Das