ପୁରୀ: ଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଆଉ ଦିନକ ପରେ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଯିବେ ଚତୁର୍ଦ୍ଧାମୂର୍ତ୍ତି। ରବିବାର ନବମୀ ସନ୍ଧ୍ୟା ଦର୍ଶନ। ସକାଳ ୭ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ୫ଟା ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେଥିଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଆରମ୍ଭ ହୋଇଯାଇଛି ବାହୁଡା ପ୍ରସ୍ତୁତି। ଶୁକ୍ରବାର ତାଳଧ୍ୱଜ ଏବଂ ଦେବଦଳନ ରଥ ରଥ ଦକ୍ଷିଣ ମୋଡ଼ ହୋଇ ନାକଚଣା ଦ୍ୱାରରେ ଲାଗିଥିଲା। ମାତ୍ର ନୀତି ବିଳମ୍ବ ଯୋଗୁ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ ହୋଇ ନ ଥିଲା। ଶନିବାର ସକାଳେ ନନ୍ଦିଘୋଷ ରଥ ନାକଚଣା ଦ୍ୱାରରେ ଲାଗିଛି। ଅପରପକ୍ଷେ ରବିବାର ନବମୀ ସନ୍ଧ୍ୟା ଦର୍ଶନ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ସକାଳ ୭ଟାରୁ ଦର୍ଶନ ଆରମ୍ଭ ହେବ। ପ୍ରାୟ ଲକ୍ଷାଧିକ ଭକ୍ତ ସନ୍ଧ୍ୟା ଦର୍ଶନ କରିବେ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି। ଅପରାହ୍ନ ୫ଟା ପର୍ଯ୍ୟନ୍ତ ହିଁ ସନ୍ଧ୍ୟା ଦର୍ଶନ ଚାଲିବ। ଏହାପରେ ଦର୍ଶନ ବନ୍ଦ ହୋଇ ବାହୁଡ଼ା ଯାତ୍ରା ପାଇଁ ସ୍ୱତନ୍ତ୍ର ନୀତିକାନ୍ତି କରାଯିବ। ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ହୋଇଥିବା ବ୍ୟାରିକେଡ ସମ୍ପ୍ରସାରଣ କରାଯିବ। ସନ୍ଧ୍ୟା ଦର୍ଶନ ବ୍ୟବସ୍ଥା କିପରି ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ସମ୍ପନ୍ନ ହେବ ସେ ନେଇ ଶନିବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍ପି ପିନାକ ମିଶ୍ର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିପରି ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବ। ସନ୍ଧ୍ୟା ଦର୍ଶନ ପରେ ରାତିରେ ସେନାପଟା ଲାଗି, ବାହୁଟ କଣ୍ଟ, କୁସୁମୀ ଲାଗି ପରି ସ୍ୱତନ୍ତ୍ର ନୀତି ହେବ ବୋଲି ସୂଚନା ଦିଆଯାଇଛି।
ତେବେ ସନ୍ଧ୍ୟା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଚୂଡ଼ାନ୍ତ ହୋଇଥିବା ନୀତି ଅନୁଯାୟୀ, ଭୋର ୪ଟାରେ ଦ୍ୱାରଫିଟା, ମଙ୍ଗଳ ଆଳତି ୪ଟା ୩୦, ମଇଲମ-ତଡ଼ପଲାଗି ଭୋର ୫ଟା, ଅବକାଶ ସକାଳ ୬ଟା, ରୋଷହୋମ ୬ଟା ୧୫, ସୂର୍ଯ୍ୟପୂଜା ୬ଟା ୩୦, ଦ୍ୱାରପାଳ ପୂଜା ୬ଟା ୪୫, ବେଶ ଶେଷ ୭ଟା, ଗୋପାଳ ବଲ୍ଲଭ ୭ଟା ୩୦, ସକାଳ ଧୂପ ୮ଟାରୁ ୯ଟା ୩୦, ଭୋଗମଣ୍ଡପ ୮ଟା ୩୦ରୁ ପୂର୍ବାହ୍ନ ୧୦ଟା ୩୦, ମଇଲମ ୧୦ଟା ୪୫, ଯାତ୍ରାଙ୍ଗୀ ମହାସ୍ନାନ ୧୧ଟା ୩୦, ସର୍ବାଙ୍ଗ ମଧ୍ୟାହ୍ନ ୧୨ଟା, ନୂଆ ଲୁଗାଲାଗି ଓ ବେଶ ଅପରାହ୍ନ ୧ଟା, ମଧ୍ୟାହ୍ନ ଧୂପ ୧ଟା ୩୦ରୁ ୩ଟା, ଦ୍ୱିତୀୟ ଭୋଗମଣ୍ଡପ ୨ଟାରୁ ୩ଟା ୩୦, ମଇଲମ, ବେଶ ୩ଟା ୪୫ରୁ ୪ଟା ୪୦, ସନ୍ଧ୍ୟା ଆଳତି ଅପରାହ୍ନ ୫ଟା, ସନ୍ଧ୍ୟା ଧୂପ ୫ଟା ୩୦ରୁ ସନ୍ଧ୍ୟା ୭ଟା, ତୃତୀୟ ଭୋଗମଣ୍ଡପ ୫ଟା ୪୫ରୁ ୭ଟା ୩୦, ରାହାସକୁ ଦିଅଁ ବିଜେ ରାତି ୮ଟା, ମଇଲମ ୮ଟା ୧୫, ଚନ୍ଦନଲାଗି ୮ଟା ୩୦, ବଡ଼ସିଂହାର ବେଶ ୯ଟା, ବଡ଼ସିଂହାର ଭୋଗ ୯ଟା ୩୦, ପହୁଡ଼ ଆଳତି ୧୦ଟା, ଶ୍ରୀମୁଖ ଖଣ୍ଡୁଆ ୧୦ଟା ୧୫, ବାହୁଟକଣ୍ଟ ୧୦ଟା ୩୦, ଚାରବନ୍ଧା ରାତି ୧୧ଟାରୁ ୨ଟା ଏବଂ କୁସୁମିଲାଗି ରାତି ୨ଟା ୩୦ରୁ ୪ଟା।