ସମ୍ବଲପୁର: ସମ୍ବଲପୁରରେ ଚାଞ୍ଚଲ୍ୟ। ଏସପି ଅଫିସ ନିକଟରେ ସମ୍ପର୍କୀୟ ଶଳାକୁ କାର ମଡ଼ାଇ ହତ୍ୟା ଉଦ୍ୟମ କଲା ଭିଣୋଇ। ଆଜି ଅପରାହ୍ନରେ ବୁର୍ଲାର ପଞ୍ଚାନନ ଦାସ ନାମକ ଜଣେ ବ୍ୟକ୍ତି ନିଜର ସମ୍ପର୍କୀୟ ଶଳା ସୋମ୍ୟରଞ୍ଜନ ଦାସ ଓ ତାଙ୍କ ଶ୍ବଶୁର ରାମଚନ୍ଦ୍ର ମହାପାତ୍ରଙ୍କୁ ଏସପି ଅଫିସ ନିକଟରେ କାର ମଡ଼ାଇ ହତ୍ୟା ଉଦ୍ୟମ କରିଥିଲେ। ଘଟଣା ନେଇ ଅଭିଯୁକ୍ତଙ୍କ ସ୍ତ୍ରୀ ଚିନ୍ମୟୀ ମହାପାତ୍ର ଟାଉନ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଚିନ୍ମୟୀଙ୍କ ବାପା ରାମଚନ୍ଦ୍ର ମହାପାତ୍ର ଓ ତାଙ୍କର ସମ୍ପର୍କୀୟ ଭାଇ ସୋମ୍ୟରଞ୍ଜନ ଦାସ ଏସପି ଅଫିସ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ମହିଳାଙ୍କ ସ୍ୱାମୀ ପଞ୍ଚାନନ ଦାସ ଦ୍ରୁତ ଗତିରେ କାର ଆଣି ଉଭୟଙ୍କୁ ମଡ଼ାଇ ଦେବାକୁ ଚେଷ୍ଟା କରିଥିଲେ। ତେବେ ତାଙ୍କର ବାପା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କର ଭାଇ କାର ଧକ୍କାରେ ଗୁରୁତର ଆହତ ହୋଇଛନ୍ତି। କାର ଧକାରେ ଏସପି ଅଫିସ ପାଚେରୀ ମଧ୍ୟ ଭାଙ୍ଗି ଯାଇଛି। କାର ଧକ୍କା ଦେଇଥିବା ବ୍ୟକ୍ତି ଜଣକ କେଉଁ ଉଦ୍ଦେଶ୍ୟରେ ହତ୍ୟା ଉଦ୍ୟମ କରିଥିଲେ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ଅଭିଯୁକ୍ତଙ୍କୁ ନିସ୍ତୁକ ମାଡ ଦେଇଥିଲେ।