ଭୁବନେଶ୍ୱର: ପ୍ରଖ୍ୟାତ ବର୍ଷୀୟାନ ସାହିତ୍ୟିକ, ସମ୍ପାଦକ ତଥା ପ୍ରଶାସକ ସାତକଡି ହୋତାଙ୍କ ବିୟୋଗରେ ଓଡିଶା ଜଣେ ସୁଯୋଗ୍ୟ ସନ୍ତାନ ହରାଇଲା । ତାଙ୍କ ବିୟୋଗରେ ଦୈନିକ ‘ସକାଳ’ର ସମ୍ପାଦକ ଉମାକାନ୍ତ ମିଶ୍ର ଶୋକ ପ୍ରକାଶ କରିଛନ୍ତି । ତାଙ୍କର କର୍ମମୟ ଜୀବନର ଶେଷ ପର୍ଯ୍ୟନ୍ତ ସାତକଡି ବାବୁ ସାହିତ୍ୟ ସାଧନା ଓ ସ୍ତମ୍ଭ ରଚନା କରିବା ସହିତ ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ସଭା ସମ୍ମିଳନୀରେ ଯୋଗଦେଇ ମାର୍ଗଦର୍ଶନ କରିଆସୁଥିଲେ ବୋଲି ଉମାକାନ୍ତ ମିଶ୍ର କହିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ ଶ୍ରୀଯୁକ୍ତ ହୋତା ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ସଫଳ ନେତୃତ୍ୱ ନେଇଥିଲେ। ଭାରତୀୟ ରେଳବାଇର ଜଣେ ବହୁତ ବରିଷ୍ଠ ପ୍ରଥମ ଓଡ଼ିଆ ଅଧିକାରୀ ଭାବେ ସାତକଡି ବାବୁ ଓଡ଼ିଶାରେ ବହୁ ନୂତନ ରେଳ ପ୍ରକଳ୍ପ ପାଇଁ ପ୍ରଶଂସନୀୟ ପଦକ୍ଷେପ ନେଇଥିଲେ। ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ଜାତୀୟ ତଥା ରାଜ୍ୟ ସ୍ତରରେ ସେ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ସାତକଡି ହୋତାଙ୍କ ବିୟୋଗରେ, ଦୈନିକ ‘ସକାଳ’ ପରିବାର ପକ୍ଷରୁ ତାଙ୍କର ଶୋକ ସନ୍ତପ୍ତ ପରିବାର ବର୍ଗ ପାଇଁ ଗଭୀର ସମବେଦନା ଜଣାଇଛନ୍ତି ସମ୍ପାଦକ ଉମାକାନ୍ତ ମିଶ୍ର । ତାଙ୍କ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।