ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଛି ଓଡ଼ିଶା। ତେବେ ସାମୁଦ୍ରିକ ଜଳ ପ୍ଲାବନ ଓ ଉପକୂଳରେ ସୃଷ୍ଟି କରୁଥିବା ସମସ୍ୟାର ସମାଧାନ ସକାେଶ ଏବେ ନିଜସ୍ୱ ପାଣ୍ଠିରେ ଉପକୂଳ ସୁରକ୍ଷା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଚଳିତ ବଜେଟରେ ପ୍ରଥମ ଥର ଲାଗି ରାଜ୍ୟ ସରକାର ୭୬୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହି ଅର୍ଥରେ ଆସନ୍ତା ତିନି ବର୍ଷ ଭିତରେ ୧୯୯ କିମି ଉପକୂଳ ବନ୍ଧର ସୁରକ୍ଷା କାମ ସମ୍ପୂର୍ଣ୍ଣ କରିବା ପାଇଁ ନିଷ୍ପତ୍ତି ହୋଇଛି।
ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ପାଇଁ ଦୁଃଖ ଆଣୁଛି ୪୮୦ କିମି ଲମ୍ବର ସୁଦୀର୍ଘ ବେଳାଭୂମି। ପ୍ରାକୃତିକ ବିପର୍ଯ୍ୟୟରେ ଶୂନ ମୃତାହତ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରଧାନ୍ୟ ଦେଉଥିବା ବେଳେ ଏଥିରେ ଅନ୍ୟମାନଙ୍କ ପାଇଁ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଉପକୂଳ ସୁରକ୍ଷା ଅତ୍ୟନ୍ତ ଜରୁରୁ ହୋଇ ପଡ଼ିଛି। ଗତବର୍ଷ ମେ’ ମାସରେ ସାମୁଦ୍ରିକ ଝଡ଼ ‘ୟସ୍’ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିଥିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଉପକୂଳ ସୁରକ୍ଷା ଲାଗି ପ୍ରାକୃତିକ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପ୍ରସ୍ତୁତିରେ ସହାୟତା ଦେବା ଲାଗି ପ୍ରସ୍ତାବ ଦେଇଥିଲେ। ଓଡ଼ିଶାକୁ ସାମୟିକ ବାତ୍ୟା ସହାୟତା ନୁହେଁ; ବରଂ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦାବିର ୨୪ ଘଣ୍ଟା ଭିତରେ କେନ୍ଦ୍ର ଶକ୍ତି ମନ୍ତ୍ରାଳୟର ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଡ଼କାଯାଇ ଓଡ଼ିଶାର ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଏ ସଂକ୍ରାନ୍ତରେ ଏକାଧିକ ନିଷ୍ପତ୍ତି ମଧ୍ୟ ନିଆଗଲା; କିନ୍ତୁ ଏହା ପରଠାରୁ ଆଉ କିଛି ହେଲା ନାହିଁ।
ଏପରି ସ୍ଥିତିରେ ଓଡ଼ିଶା ସରକାର ଉପକୂଳ ସୁରକ୍ଷା ନିମନ୍ତେ ନିଜ ସ୍ତରରେ ଉଦ୍ୟମ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ତିନି ବର୍ଷ ଭିତରେ ୧୯୯ କିମି ଉପକୂଳ ବନ୍ଧ ନିର୍ମାଣ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଚଳିତ ବର୍ଷ ବଜେଟରେ ୭୬୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି କାର୍ଯ୍ୟ ଶେଷ ହେବା ପରେ ଅବଶିଷ୍ଟ ୨୮୦ କିମି ପାଇଁ କାମ ଆରମ୍ଭ ହେବ। ବିଭାଗୀୟ ଅଧିକାରୀଙ୍କ କହିବା ଅନୁସାରେ ବଜେଟରେ ବ୍ୟୟବରାଦ ହେବା ପରେ ପ୍ରକଳ୍ପ ପାଇଁ ପଥ ପରିଷ୍କାର ହୋଇଛି। ଉପକୂଳରେ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଡିପିଆର ପ୍ରସ୍ତୁତ ହେବ। ବିଶେଷଜ୍ଞଙ୍କ ମତାମତ ଆଧାରରେ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଲାଗି ଯୋଜନା ହେବ। ଏହା ପରେ ଟେଣ୍ଡର ଆହ୍ୱାନ କରାଯାଇ କାମ ଆରମ୍ଭ ହେବ।
ଭୁବନେଶ୍ୱର ଆଇଆଇଟି କ୍ଲାଇମେଟ୍ ଏବଂ ଓସିଏନ୍ ସାଇନ୍ସର ବିଭାଗୀୟ ମୁଖ୍ୟ ପ୍ରଫେସର ୟୁସି ମହାନ୍ତି କହିଛନ୍ତି ଯେ ଉପକୂଳ ସୁରକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ ସରକାର ନିଜ ତରଫରୁ ପଦକ୍ଷେପ ନେବା ସ୍ୱାଗତଯୋଗ୍ୟ ପଦକ୍ଷେପ। ରାଜ୍ୟ ସରକାର ଚଳିତ ବଜେଟରେ ଏଥିପାଇଁ ବ୍ୟୟବରାଦ କରିବା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଆମ ରାଜ୍ୟରେ ବିଶେଷଜ୍ଞଙ୍କ ଅଭାବ ନାହିଁ। ସରକାରୀ ଅଧିକାରୀ ଏବଂ ବିଶେଷଜ୍ଞ ମିଳିତ ଆଲୋଚନା କରି ଯୋଜନା କାର୍ଯ୍ୟାନ୍ୱୟନ କଲେ ତାହାର ପ୍ରଭାବ ସୁଦୂର ପ୍ରସାରୀ ହେବ। ଉପକୂଳ ସୁରକ୍ଷାର ବିଭିନ୍ନ ଦିଗ ରହିଛି। ତା ଭିତରେ ସବୁଠାରୁ ମହତ୍ୱପୂର୍ଣ୍ଣ ହେଉଛି ଉପକୂଳରେ ଜଙ୍ଗଲ ସୃଷ୍ଟି। ଉପକୂଳରେ ଘଞ୍ଚ ଜଙ୍ଗଲ ଥିବାରୁ ୧୯୯୯ ମହାବାତ୍ୟାରେ କ୍ଷୟକ୍ଷତି ବହୁତ ହ୍ରାସ ପାଇଥିଲା। ତେଣୁ ଗୋଷ୍ଠୀ ସହଭାଗିତାରେ ଜଙ୍ଗଲ ସୃଷ୍ଟି ସହିତ ଉପକୂଳ ବନ୍ଧ, ଜଳ ନିଷ୍କାସନ ପଥ ଭଳି ଦିଗ ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ।
ସୂଚନାଯୋଗ୍ୟ ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତି ବର୍ଷ ଉପକୂଳ ଅବକ୍ଷୟ ହେଉଛି। ୫୫ କିମି ଉପକୂଳ ପ୍ରତି ଢ଼େର ଅଧିକ ବିପଦ ରହିଛି। ଗତ ତିନି ବର୍ଷ ଭିତରେ ସମୁଦ୍ର ୫ କିମି ସ୍ଥଳ ଭାଗକୁ ଗ୍ରାସ କଲାଣି। ପୁରୀ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଗଞ୍ଜାମ ଜିଲ୍ଲାରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି। ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ ଜୋନ୍ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇ ଥିଲା ଯେ ଓଡ଼ିଶା ଉପକୂଳରେ ୧୦% ଅଞ୍ଚଳ ସମୁଦ୍ର ଅବକ୍ଷୟ ଦୃଷ୍ଟିରୁ ସର୍ବାଧିକ ବିପଦରେ ରହିଛି। ବଦଳୁ ଥିବା ପାଣିପାଗ ଏବଂ ଅନ୍ୟକାରଣ ପାଇଁ ସମୁଦ୍ର ଉପକୂଳକ ଓଡ଼ିଶା ପ୍ରତି ବିପଦର କାରଣ ସାଜୁଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ନିଜସ୍ୱ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।