ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣ (ସେଆ)ର ଅଧ୍ୟକ୍ଷ ଶିଶିର କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୯୩ତମ ବୈଠକରେ ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ ପାଇଁ ପରିବେଶ ମଞ୍ଜୁରୀ (ଇସି) ପ୍ରଦାନ କରାଯାଇଛି। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ଏହି ବିମାନ ବନ୍ଦରର ବିକାଶ କରିବା ସହିତ ଏହାକୁ ୩ ବର୍ଷ ପର୍ଯ୍ୟନ୍ତ ପରିଚାଳନା କରିବ। ରାଜ୍ୟ ସରକାରଙ୍କ ଦ୍ୱାରା ରାଉରକେଲାରେ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି, ଫେବୃଆରୀ ୨୦୨୧ରେ ଆରସିଏସ ଉଡାନ ଯୋଜନା ଅନ୍ତର୍ଗତ ଏଟିଆର-୭୨ / କ୍ୟୁ-୪୦୦ ବିମାନ ଚଳାଚଳ ପାଇଁ ରାଉରକେଲା ବିମାନବନ୍ଦରକୁ କୋଡ୍ -୨ବି ରୁ କୋଡ୍ -୩ସି କୁ ରୂପାନ୍ତରିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଏହି ପ୍ରସ୍ତାବରେ ରନେୱର ସମ୍ପ୍ରସାରଣ, ଏଟିସି ଟାୱାର ନିର୍ମାଣ, ଟ୍ୟାକ୍ସିୱେ, ନୂତନ ଶୌଚାଳୟ ବ୍ଲକ ଏବଂ ଟର୍ମିନାଲ୍ ବିଲଡିଂ ନିର୍ମାଣ ପ୍ରମୁଖ ଅନ୍ତର୍ଭୁକ୍ତ ଅଟେ। ଏହି ପ୍ରକଳ୍ପର ବିସ୍ତୃତ ଇଆଇଏ ଅଧ୍ୟୟନ ପାଇଁ ସେଆ ପକ୍ଷରୁ ୨୨ ଅଗଷ୍ଟ ୨୦୨୨ ରେ ଟର୍ମ ଅଫ୍ ରେଫରେନ୍ସ (ଟିଓଆର) ଜାରି କରାଯାଇଥିଲା। ଗତ ଡିସେମ୍ୱର ୨୦୧୯ରୁ ମାର୍ଚ୍ଚ ୨୦୨୦ (ଶୀତ ଋତୁ) ଏବଂ ଜୁନ୍ ୨୦୨୨ (୧୫ ଦିନ) ମଧ୍ୟରେ ବେସ୍ ଲାଇନ୍ ତଥ୍ୟ ସଂଗ୍ରହ କରି ଇଆଇଏ ଅଧ୍ୟୟନ କରାଯାଇଛି। ରାଉରକେଲା ବିମାନ ବନ୍ଦରଟି ରାଉରକେଲା ଇସ୍ପାତ କାରଖାନାର ନୋଟିଫାଏଡ୍ ଇଣ୍ଡଷ୍ଟ୍ରିଆଲ୍ ଟାଉନସିପ୍ ଭିତରେ ଥିବାରୁ ସେଆ ପକ୍ଷରୁ ପ୍ରକଳ୍ପକୁ ଟିଓଆର ସମ୍ପର୍କିତ ଜନଶୁଣାଣିରୁ ଛାଡ଼ କରାଯାଇଛି। କାରଣ କୌଣସି ଜମି ଅଧିଗ୍ରହଣ, ପୁନଃଥଇଥାନ କିମ୍ୱା ପୁନଃବିସ୍ଥାପନ ସମ୍ପର୍କିତ ସମସ୍ୟା ନାହିଁ। କେବଳ ରାଉରକେଲା ଇସ୍ପାତ କାରଖାନାର ଟାଉନସିପ୍ ଠାରୁ ବିମାନବନ୍ଦର ପର୍ଯ୍ୟନ୍ତ ଜମି ବ୍ୟବହାର ଆଭ୍ୟନ୍ତରୀଣ ସୀମା ନିର୍ଦ୍ଧାରଣରେ ପରିବର୍ତ୍ତନ ହେଉଛି। ଏହାର ଆନୁମାନିକ ପ୍ରକଳ୍ପ ମୂଲ୍ୟ ୫୦ କୋଟି ଟଙ୍କା ରହିଛି। ପରିବେଶ ପରିଚାଳନା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ୮.୫ କୋଟି ଟଙ୍କା ଏବଂ ରିକରିଙ୍ଗ କଷ୍ଟ ବାବଦରେ ବାର୍ଷିକ ୧୭.୫ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଛି। ରାଉରକେଲା ବିମାନବନ୍ଦରର କ୍ଷେତ୍ର ୧୦୨ ଏକରରୁ ୨୫୦ ଏକରକୁ ବୃଦ୍ଧି ପାଇବ ବୋଲି କୁହାଯାଇଛି।
ପରିବେଶ ମଞ୍ଜୁରୀ ଦେବା ସମୟରେ ସେଆ ବର୍ଷା କିମ୍ୱା ବର୍ଜ୍ୟବସ୍ତୁରୁ ନିର୍ଗତ ଜଳର ପରୀକ୍ଷା ଓ ସୁପରିଚାଳନା, ବର୍ଷା ଜଳ ଅମଳ, କଠିନ ବର୍ଜ୍ୟବସ୍ତୁ ନିଷ୍କାସନ, ୩୫ ପ୍ରତିଶତ ସବୁଜ ବଳୟ, ଶୂନ୍ୟ ତରଳ ନିଷ୍କାସନ, ଟ୍ରାଫିକ୍ ଏବଂ ପରିବହନ ଅଧ୍ୟୟନ, ପରିବେଶ ସୁରକ୍ଷା ବ୍ୟବସ୍ଥା, ଶକ୍ତି ସଂରକ୍ଷଣ ପଦକ୍ଷେପ, ଅନ-ସାଇଟ୍ ଏବଂ ଅଫ୍ ସାଇଟ୍ ଜରୁରୀକାଳୀନ ଯୋଜନା, ବିପର୍ଯ୍ୟୟ ପରିଚାଳନା ଯୋଜନା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଆଦି ଉପରେ ଗୁରୁତ୍ୱ ଦେଇଛି। ସେହିପରି ଶ୍ରୀ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସେଆ ବୈଠକରେ ଟାଟା ଷ୍ଟିଲ୍ସ ଲିମିଟେଡକୁ ସୁନ୍ଦରଗଡ଼ ଜିଲ୍ଲାର କଳାମାଙ୍ଗ ଏବଂ ଘୋଡାବୁଦାନୀ ଗ୍ରାମ ଏବଂ କେନ୍ଦୁଝର ଜିଲ୍ଲାର ଗଣ୍ଡଲପଡ଼ା ଗ୍ରାମରେ ୨.୯୫ ଏମଟିପିଏ (ଆରଓଏମ) ଉତ୍ପାଦନ କ୍ଷମତା ସମ୍ପୂର୍ଣ୍ଣ ୯୨.୮୭୫ ହେକ୍ଟର ଜମିରୁ ଲୁହାପଥର ଖନନ ପାଇଁ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଛି। କଟକ ମ୍ୟନିସିପାଲ କର୍ପୋରେସନ୍ ଅନ୍ତର୍ଗତ ତେଲେଙ୍ଗାପେଣ୍ଠଠାରେ ୧୨୬ଟି ବାସଗୃହସମ୍ପନ୍ନ ୧୨ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଆର୍ୟନ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ୍କୁ ପରିବେଶ ମଞ୍ଜୁରୀ ମଧ୍ୟ ପ୍ରଦାନ କରାଯାଇଛି।