ରାହା ଖୋଜୁଛନ୍ତି ରାସ୍ତାକଡ଼ ଶିଶୁ

ଭୁବନେଶ୍ୱର : ଅସହାୟ ଅବସ୍ଥାରେ ଏବେ ରାଜ୍ୟର ୫ ବଡ ସହରର ଶିଶୁ। ରାଜ୍ୟ ସରକାରଙ୍କ ଶିଶୁ ସୁରକ୍ଷା ଆୟୋଗ ଏଭଳି ସମ୍ବେଦନଶୀଳ ତଥ୍ୟ ପ୍ରଦାନ କରିଛି। ବିଭାଗ ଦ୍ୱାରା ଏ ନେଇ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର ଓ ରାଉରକୋଲା ଆଦି ୫ଟି ବଡ ସହରରେ ସର୍ବେକ୍ଷଣ କରାଯାଇଥିଲା। ରାସ୍ତାକଡ଼ରେ ରହୁଥିବା ଶିଶୁଙ୍କ ଉପରେ କରାଯାଇଥିବା ଏହି ସର୍ଭେ ଅନୁସାରେ ପ୍ରାୟ ୧୭% ଶିଶୁ ଅସୁରକ୍ଷିତ ଅବସ୍ଥାରେ ସହରରେ ଘୁରି ବୁଲୁଛନ୍ତି। ଯେଉଁମାନଙ୍କ ପାଖରେ କି […]

ଭୁବନେଶ୍ୱର : ଅସହାୟ ଅବସ୍ଥାରେ ଏବେ ରାଜ୍ୟର ୫ ବଡ ସହରର ଶିଶୁ। ରାଜ୍ୟ ସରକାରଙ୍କ ଶିଶୁ ସୁରକ୍ଷା ଆୟୋଗ ଏଭଳି ସମ୍ବେଦନଶୀଳ ତଥ୍ୟ ପ୍ରଦାନ କରିଛି। ବିଭାଗ ଦ୍ୱାରା ଏ ନେଇ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର ଓ ରାଉରକୋଲା ଆଦି ୫ଟି ବଡ ସହରରେ ସର୍ବେକ୍ଷଣ କରାଯାଇଥିଲା। ରାସ୍ତାକଡ଼ରେ ରହୁଥିବା ଶିଶୁଙ୍କ ଉପରେ କରାଯାଇଥିବା ଏହି ସର୍ଭେ ଅନୁସାରେ ପ୍ରାୟ ୧୭% ଶିଶୁ ଅସୁରକ୍ଷିତ ଅବସ୍ଥାରେ ସହରରେ ଘୁରି ବୁଲୁଛନ୍ତି। ଯେଉଁମାନଙ୍କ ପାଖରେ କି ମୁଣ୍ଡ ଗୁଞ୍ଜିବାକୁ ଛାତ ବି ନାହିଁ।

ୟୁନିସେଫ୍‍ ଓ ସେଭ୍‍ ଦ ଚିଲ୍‍ଡ୍ରେନ୍‍ ସହାୟତାରେ କରାଯାଇଥିବା ଏହି ନମୁନା୍‍ ସର୍ବେକ୍ଷଣରୁ ଜଣାଯାଇଛି ଯେ ରାଜ୍ୟର ଏହି ୫ଟି ବଡ ସହର ଏବେ ରାସ୍ତାକଡ଼ ଶିଶୁଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଯେଉଁଠାରେ ସହରର ୫୭% ରାସ୍ତାକଡ଼ ଶିଶୁ ସରକାରଙ୍କ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ବଞ୍ଚିତ। ୬ରୁ ୧୪ ବର୍ଷ ବୟସର ଏହି ଶିଶୁମାନଙ୍କ ପାଇଁ ସରକାରଙ୍କ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ମାଗଣା ଥିବା ସତ୍ତ୍ବେ ପ୍ରଶାସନିକ ଅବହେଳାରୁ ଏହା ପହଞ୍ଚି ପାରୁନାହାଁନ୍ତି। ସେହିପରି ୧୭% ଶିଶୁ ରାସ୍ତାକଡ଼ରେ ପରିତ୍ୟକ୍ତ ଭାବେ ଓ ଅସୁରକ୍ଷିତ ଭାବେ ରହୁଛନ୍ତି।

ରାସ୍ତାକଡ଼ ଶିଶୁଙ୍କ ଭିତରୁ ଅନେକ ରାଜ୍ୟ ବାହାରରୁ ଆସି ଏଠାରେ ରହୁଥିବା ରିପୋର୍ଟରୁ ଜଣାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ୪୭% ଶିଶୁ ନିର୍ଦ୍ଦିଷ୍ଟ ଭାବେ ଉପରୋକ୍ତ ୫ଟି ବଡ଼ ସହରରେ ଆଜିକୁ ୫ ବର୍ଷରୁ ଅଧିକ ସମୟ ହେଲାଣି ରହୁଛନ୍ତି; ହେଲେ ସେମାନଙ୍କୁ ଚିହ୍ନଟ ଓ ଥଇଥାନ କରିବା ଦିଗରେ କୌଣସି ଉଦ୍ୟମ ହୋଇ ନାହିଁ। ଏମାନଙ୍କ ଭିତରୁ ୯୧ ଭାଗ ଭିକ୍ଷାବୃତ୍ତି, ଆବର୍ଜନା ଗୋଟାଇବା, ରାସ୍ତାକଡ଼ ଦୋକାନରେ କାମ କରିବାରେ ନିୟୋଜିତ ହେଉଛନ୍ତି।
ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଦାନ କହିଛନ୍ତି ରିପୋର୍ଟକୁ ଭିତ୍ତିକରି ଆମେ ଦୁଇ ପ୍ରକାର ସମାଧାନର ରାସ୍ତା ବାହାର କରିଛୁ। ଯଥାଶୀଘ୍ର ରାସ୍ତାକଡରେ ରହୁଥିବା କିଶୋରୀମାନଙ୍କୁ ମୁକ୍ତାକାଶ ଆଶ୍ରୟ ସ୍ଥଳୀ ବା ରାତ୍ରି ଆଶ୍ରୟସ୍ଥଳୀ ସହ ସଂଯୋଗ କରାଯାଇ ସେମାନଙ୍କ ସୁରକ୍ଷାକୁ ସ୍ଥିରୀକୃତ କରାଯାଇଛି। ଏହାଛଡା ଉଦ୍ଧାର ପିଲାମାନଙ୍କୁ ଚାଇଲ୍ଡଲାଇନ୍‍ ଓ ଏସ୍‍ଜେପିୟୁ( ସ୍ୱତନ୍ତ୍ର କିଶୋର ପୁଲଇସ୍‍ ୟୁନିଟ୍‍) ମାନଙ୍କ ସହ ସଂଯୋଗ କରାଯାଇଛି। ରାସ୍ତାକଡ଼ ଶିଶୁମାନଙ୍କ ପରିବାର ଲୋକଙ୍କୁ ଆର୍ଥିକ ପୁନର୍ବାସ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଶିଶୁଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଆଗମୀ ଦିନର ରଣନୀତି ମଧ୍ୟ ପ୍ରସ୍ତୁତ କରିଛୁ।

ଶିଶୁ ସୁରକ୍ଷା ବିଭାଗର ରାଜ୍ୟ କାର୍ଯ୍ୟକ୍ରମ ପ୍ରବନ୍ଧକ ପ୍ରତିକାନ୍ତ ପଣ୍ଡା କହିଛନ୍ତି ରାଜ୍ୟରେ ମୋଟ ୮୮୨୦୬ ଶିଶୁ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ୬ ବର୍ଷ ଭିତରେ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ଶିଶୁଙ୍କ ଭିତରୁ ବାଲେଶ୍ୱରରେ ୫୪୭୬ ଜଣଙ୍କୁ ଶିଶୁ ଯତ୍ନ ଗୃହରେ ରଖାଯାଇଛି। ସେହିପରି ଗଜପତି ଜିଲ୍ଲାରେ ୫୪୩ ଜଣ, କଳାହାଣ୍ଡିରେ ୧୧୫୪ ଜଣ, ବୌଦ୍ଧରେ ୧୧୫୬ ଜଣ, ଏବଂ ଗଞ୍ଜାମରେ ୫୩୪ ଜଣଙ୍କୁ ଶିଶୁ ଯତ୍ନ ଗୃହରେ ରଖାଯାଇଛି। ଅନ୍ୟମାନଙ୍କୁ ସେମାନଙ୍କ ପରିବାର, ଗାଁ ଲୋକ ଓ ସମ୍ପର୍କୀୟଙ୍କଠାରେ ଥଇଥାନ କରିବାର ବ୍ୟବସ୍ଥା କରାଯାଇଛି।

About The Author: The Sakala