ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ନେଇ ଚିଠି ଲେଖିଲା ରାଜସ୍ବ ବିଭାଗ, ମେ ୨୯ ତାରିଖ ସୁଦ୍ଧା ତାଲିକା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ୨୦୨୪ ନିର୍ବାଚନ ପାଇଁ ପ୍ରାଶାସନିକ ସ୍ତରରେ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି । ୨୦୨୪ ମେ ମାସ ପୂର୍ବରୁ ନିର୍ବାଚନ ହେବାକୁ ଥିବାରୁ ସରକାରୀ ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଙ୍ଗ ସହ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଧିକ ସଶକ୍ତ କରିବାକୁ ପ୍ରସେସ ଆରମ୍ଭ ହୋଇଛି । ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସମସ୍ତ ତଥ୍ୟ ମାଗିଛନ୍ତି । ସେହି ଅନୁସାରେ […]

ଭୁବନେଶ୍ବର : ୨୦୨୪ ନିର୍ବାଚନ ପାଇଁ ପ୍ରାଶାସନିକ ସ୍ତରରେ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି । ୨୦୨୪ ମେ ମାସ ପୂର୍ବରୁ ନିର୍ବାଚନ ହେବାକୁ ଥିବାରୁ ସରକାରୀ ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଙ୍ଗ ସହ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଧିକ ସଶକ୍ତ କରିବାକୁ ପ୍ରସେସ ଆରମ୍ଭ ହୋଇଛି । ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସମସ୍ତ ତଥ୍ୟ ମାଗିଛନ୍ତି । ସେହି ଅନୁସାରେ ରାଜସ୍ବ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଜିଲ୍ଲାରେ କାର୍ଯ୍ୟରତ ଓଏଏସ୍, ଓଆରଏସ୍ ଏବଂ ଗ୍ରୁପ-ବି କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଚିଠି ଲେଖାଯାଇଛି ।

ଗୋଟିଏ ପଦବୀରେ ୩ ବର୍ଷ ଥିବା ଅଧିକାରୀ ଏବଂ ନିଜ ଜିଲ୍ଲାରେ କାର୍ଯ୍ୟରତ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ମେ ୨୯ ସୁଦ୍ଧା ଦାଖଲ କରିବାକୁ ରାଜସ୍ବ ବିଭାଗ ନିର୍ଦ୍ଦେଶ ଦେଇଛି । ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ କରିବାକୁ ଅଧିକାରୀଙ୍କ ପୋଷ୍ଟିଙ୍ଗ ଓ ବଦଳି ନେଇ ନିର୍ବାଚନ କମିଶନ କିଛି କଟକଣା ରଖିଛନ୍ତି । ନିର୍ବାଚନ ପ୍ରକ୍ରିୟା ସହ ଜଡ଼ିତ କୌଣସି ଅଧିକାରୀ ନିଜ ଜିଲ୍ଲାରେ ରହିପାରିବେ ନାହିଁ । କୌଣସି ଅଧିକାରୀ ୩ ବର୍ଷରୁ ଅଧିକ ସମୟ ଗୋଟିଏ ପଦବୀରେ ରହିବେ ନାହିଁ । ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର, ପୋଲିସ ଇନସପେକ୍ଟର, ସବ-ଇନସପେକ୍ଟର ଯେଉଁମାନେ ୨୦୧୯ ସାଧାରଣ ନିର୍ବାଚନରେ ଯେଉଁଠି ଥିଲେ, ସେମାନେ ୨୦୨୪ରେ ସେହି ଜାଗାରେ ରହିପାରିବେ ନାହିଁ ।

ଯଦି କୌଣସି ଛୋଟ ରାଜ୍ୟରେ ଅଧିକାରୀଙ୍କ ସମସ୍ୟା ଥାଏ, ତାହାଲେ ସେ ବାବଦରେ ଯଥେଷ୍ଟ କାରଣ ନିର୍ବାଚନ କମିଶନଙ୍କୁ ରାଜ୍ୟ ସରକାର ଜଣାଇବେ । ଏହି ନିୟମ ପୋଲିସ ଆଇଜି, ଡ଼ିଆଇଜି, ଏସପି, ଏସ୍ଡ଼ିପିଓଙ୍କ କ୍ଷେତ୍ରରେ ଲାଗୁ ହେବ । ନିର୍ବାଚନର ୬ ମାସ ମଧ୍ୟରେ ଅବସର ନେବାକୁ ଥିବା କମର୍ଚାରୀ ଓ ଅଧିକାରୀଙ୍କ ପାଇଁ ଏହା ଲାଗୁ ହେବ ନାହିଁ । ଯେଉଁ କମର୍ଚାରୀ ଓ ଅଧିକାରୀମାନେ କମ୍ପ୍ୟୁଟର ସେଲ୍, ଟ୍ରେନିଙ୍ଗ, ସ୍ପେଶାଲ ବ୍ରାଞ୍ଚରେ କାର୍ୟ୍ୟରତ ଥିବେ, ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ବୋଲି ନିର୍ବାଚନ କମିଶନ ମଡ଼େଲ କୋଡ଼ରେ ସ୍ପଷ୍ଟ କରିଛନ୍ତି । ଏହା ସହ ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ଅଧିକାରୀ ଓ କମର୍ଚାରୀଙ୍କ ପାଇଁ ଏହି ନିୟମ ମଧ୍ୟ ପ୍ରଯୁଜ୍ୟ ନୁହେଁ ।

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରି ଟ୍ରାନ୍ସଫର ଓ ପୋଷ୍ଟିଙ୍ଗ କାମ ସାରିବାକୁ ମଡ଼େଲ କୋଡ଼ରେ ଉଲ୍ଲେଖ ରହିଛି । ସେହିପରି ନିର୍ବାଚନ ପାଇଁ ମଡ଼େଲ କୋଡ଼ ଲାଗୁ ହେବା ପରେ କୌଣସି ମନ୍ତ୍ରୀ, ରାଜନେତା ସରକାରୀ ଅଧିକାରୀଙ୍କ ସହ ଭିଡ଼ିଓ କନେଫରେନ୍ସିଂ କରିବାକୁ ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁମତି ନେବାକୁ ପଡ଼ିବ ଏବଂ ଏହି ମିଟିଂର ବିବରଣୀ ଗଣମାଧ୍ୟମକୁ ଦେବେ ନାହିଁ । ସେହିପରି କୌଣସି ଅଧିକାରୀଙ୍କ ସ୍ବାମୀ କିମ୍ବା ସ୍ତ୍ରୀ ରାଜନୈତିକ ଦଳ ସହ ଜଡ଼ିତ ଥିଲେ, ସେହି ଅଧିକାରୀଙ୍କ ଟୁର୍ ଓ ଛୁଟି ଉପରେ ମଧ୍ୟ କଟକଣା ରହିଛି ।

About The Author: The Sakala