ଖୋଲିଲା ରେଙ୍ଗାଲି ଡ୍ୟାମ୍ ଗେଟ୍: ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୪ ଜିଲ୍ଲାକୁ ସତର୍କ ସୂଚନା

ଅନୁଗୁଳ: ଚଳିତ ବର୍ଷ ପ୍ରଥମ ଥର ପାଇଁ ଖୋଲିଲା ରେଙ୍ଗାଲି ଡ୍ୟାମ୍ ଗେଟ୍। ଅନୁଗୁଳ ଜିଲ୍ଲାରେ ଥିବା ଏହି ବୃହତ୍ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇବା ପରେ ବୁଧବାର ଦିନ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏବଂ ଜଳପ୍ରବାହକୁ ନିୟନ୍ତ୍ରଣ କରିବା ପାଇଁ କର୍ତ୍ତୃପକ୍ଷ ଗୋଟିଏ ସ୍ଲୁଇସ୍ ଗେଟ୍ ଖୋଲିଛନ୍ତି।

ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରେଙ୍ଗାଲି ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର ଥିବାବେଳେ ବର୍ତ୍ତମାନର ଜଳସ୍ତର ୧୨୨.୨୪ ମିଟରରେ ପହଞ୍ଚିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨,୭୩୫ ଘନ ମିଟର ଜଳ ପ୍ରବେଶ କରୁଛି।

ବର୍ଦ୍ଧିତ ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୧,୩୯୪.୨୪ ଘନ ମିଟର ଜଳ ଛଡ଼ାଯାଉଥିବା ବେଳେ ପାୱାର ଟନେଲ୍ ମାଧ୍ୟମରେ ଅତିରିକ୍ତ ୫୦୧ ଘନ ମିଟର ଜଳ ନିଷ୍କାସନ କରାଯାଉଛି।

ଡ୍ୟାମରୁ ଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ଅନୁଗୁଳ, ଢେଙ୍କାନାଳ, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ବ୍ରାହ୍ମଣୀ ନଦୀ କୂଳରେ ରହୁଥିବା ବାସିନ୍ଦାମାନଙ୍କୁ ନଦୀ ନିକଟକୁ ନଯିବାକୁ ଏବଂ ନିଜ ଗୃହପାଳିତ ପଶୁମାନଙ୍କୁ ନଦୀ କୂଳରେ ନଚରାଇବାକୁ ବାରଣ କରାଯାଇଛି।

ଡ୍ୟାମ୍ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ଯଦି ଉପରମୁଣ୍ଡରୁ ଅଧିକ ଜଳ ପ୍ରବେଶ କରେ, ତେବେ ପରିସ୍ଥିତିକୁ ଦେଖି ଆବଶ୍ୟକ ହେଲେ ଅତିରିକ୍ତ ଗେଟ୍ ଖୋଲାଯିବ।

About The Author: Madhusudan Das