ଓଡ଼ିଶା ହେବ ‘ଅକ୍ଷୟ’ ସମୃଦ୍ଧ: ନିୟମାବଳୀର ଅନୁପାଳନ ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଯେପରି ଅଧିକରୁ ଅଧିକ ଅକ୍ଷୟ ଶକ୍ତିର ଆହରଣ ସହ ବ୍ୟବହାର ହୋଇପାରିବ ସେ ନେଇ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏଥିନିମନ୍ତେ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ୨୦୨୨କୁ ମଧ୍ୟ ପ୍ରଣୟନ କରିଛନ୍ତି। ଏହି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଶକ୍ତି ବିଭାଗ ପରିଚାଳନା ନିୟମାବଳୀକୁ ଅନୁମୋଦନ କରିଛି। ଫଳରେ ଅକ୍ଷୟ ଶକ୍ତି ବ୍ୟବହାର, ଉତ୍ପାଦନ କ୍ଷେତ୍ରରେ ଆହୁରି ସହଜତା ଆସିବ। ଏହି ନୀତିର କାର୍ଯ୍ୟକାରିତା ପାଇଁ ଗ୍ରୀଡ୍‌‌କୋକୁ […]

ଭୁବନେଶ୍ୱର: ରାଜ୍ୟରେ ଯେପରି ଅଧିକରୁ ଅଧିକ ଅକ୍ଷୟ ଶକ୍ତିର ଆହରଣ ସହ ବ୍ୟବହାର ହୋଇପାରିବ ସେ ନେଇ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏଥିନିମନ୍ତେ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ୨୦୨୨କୁ ମଧ୍ୟ ପ୍ରଣୟନ କରିଛନ୍ତି। ଏହି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଶକ୍ତି ବିଭାଗ ପରିଚାଳନା ନିୟମାବଳୀକୁ ଅନୁମୋଦନ କରିଛି। ଫଳରେ ଅକ୍ଷୟ ଶକ୍ତି ବ୍ୟବହାର, ଉତ୍ପାଦନ କ୍ଷେତ୍ରରେ ଆହୁରି ସହଜତା ଆସିବ।

ଏହି ନୀତିର କାର୍ଯ୍ୟକାରିତା ପାଇଁ ଗ୍ରୀଡ୍‌‌କୋକୁ ନୋଡାଲ ଏଜେନ୍ସି ଭାବେ ମନୋନୀତ କରାଯାଇଛି। ଏହାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ସିଙ୍ଗଲ ୱିଣ୍ଡୋ କମିଟି, ଷ୍ଟେଟ ଲେଭଲ ଫ୍ୟାସିଲିଟେସନ ସେଲ୍‌ଫ ମଧ୍ୟ ଗଠନ କରିଛନ୍ତି। ଯାହାଫଳରେ ନିବେଶକମାନେ ଅଧିକ ଆକୃଷ୍ଟ ହେବା ସହ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିପାରିବେ। ଓଡ଼ିଶାରେ ନିକଟ ଅତୀତରେ ପବନ, ସୌର ଏବଂ ଜଳ ବିଦ୍ୟୁତ୍‌‌ କ୍ଷେତ୍ରରେ ନିବେଶକଙ୍କୁ ଆକୃଷ୍ଟ କରିବାରେ ଅକ୍ଷୟ ଶକ୍ତି ନୀତି ୨୦୨୨ ବେଶ୍‌‌ ସହାୟକ ହୋଇପାରିଥିବା ବେଳେ ବିପୁଳ ପରିମାଣର ନିବେଶ ପ୍ରସ୍ତାବ ମଧ୍ୟ ଆସୁଛି।

ଗତ ନଭେମ୍ବର ମାସରେ ସୌର ଶକ୍ତିରେ ନିବେଶ ପାଇଁ ପ୍ରାୟ ୪୯୪୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ଏହି ନିବେଶ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ପ୍ରାୟ ୫୭୫ ମେଗାୱାଟ୍‌‌ ପବନ ଶକ୍ତି ରାଜ୍ୟରେ ଉତ୍ପାଦିତ ହୋଇପାରିବ। ସେହିପରି ବିଭିନ୍ନ ସମୟରେ ରାଜ୍ୟରେ ଥିବା ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ବିଭିନ୍ନ ସମୟରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ପ୍ରଦାନ କରୁଛି। ନିକଟରେ ରାଜ୍ୟରେ ନବୀକରଣଯୋଗ୍ୟ ଶକ୍ତି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଗଠିତ ସିଙ୍ଗଲ ୱିଣ୍ଡୋ କମିଟି ଏକ ବଡ଼ ନିଷ୍ପତ୍ତି ନେଇଛି। ରାଜ୍ୟରେ ୧୦୭୯.୬୨ କୋଟି ଟଙ୍କାର ସବୁଜ ଶକ୍ତି ନିବେଶ ପ୍ରସ୍ତାବକୁ କମିଟି ଅନୁମୋଦନ ଦେଇଥିବା ବେଳେ ଏହାଦ୍ୱାରା ରାଜ୍ୟରେ ମୋଟ ୧୧୨.୫୩ ମେଗାୱାଟ କ୍ଷମତା ବିଶିଷ୍ଟ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଅନୁମୋଦନ ମିଳିଥିବା ପ୍ରକଳ୍ପ ମଧ୍ୟରେ ୩୦ ମେଗାୱାଟ୍‌‌ ବିଶିଷ୍ଟ ସୌରଶକ୍ତି ପ୍ରକଳ୍ପ, ୧୯.୫୩ ରୁଫ୍‌‌ଟପ ସୋଲାର ପ୍ରକଳ୍ପ ଏବଂ ୬୩ ମେଗାୱାଟ୍‌‌ ବିଶିଷ୍ଟ ବୃହତ୍‌‌ ଜଳ ବିଦ୍ୟୁତ୍‌‌ ପ୍ରକଳ୍ପ ରହିଛି। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ବର୍ତ୍ତମାନ ପବନ ଓ ସୌର ଶକ୍ତି ସହ ରୁଫ୍‌‌ଟପ୍‌‌ ସୋଲାର ପ୍ରକଳ୍ପ, ଜଳ ବିଦ୍ୟୁତ୍‌‌ ପ୍ରକଳ୍ପ ସହ ପମ୍ପ ଷ୍ଟୋରେଜ ଜଳ ବିଦ୍ୟୁତ୍‌‌ ପ୍ରକଳ୍ପରୁ ଅଧିକରୁ ଅଧିକ ପରିମାଣରେ ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି।

About The Author: The Sakala