ପୁରୀ: କୋଭିଡ଼ ମହାମାରୀ ପାଇଁ ଦୁଇବର୍ଷ ବନ୍ଦ ରହିଥିବା ହବିଷିଆଳି ଯୋଜନା ପୁଣି ଆରମ୍ଭ କରାଯିବ। ଚଳିତବର୍ଷ ଶ୍ରୀକ୍ଷେତ୍ରରେ ରହି ରାଇଦାମୋଦର ବ୍ରତ ପାଳନ କରିବେ ହବିଷିଆଳୀ। ପ୍ରାୟ ଅଢେଇରୁ ତିନିହଜାର ହବିଷିଆଳି ମାସେ ପୁରୀରେ ରହିବେ। ତେବେ ବ୍ରତ ଶେଷ କରି କିପରି ସୁରୁଖୁରରେ ଘରକୁ ଫେରିବେ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ। ଏଥିପାଇଁ ମଙ୍ଗଳବାରଠାରୁ ଆରମ୍ଭ ହେବ ପଞ୍ଜୀକରଣ। ଆଗ୍ରହୀ ମା’ମାନେ ଚଳିତ ମାସ ୧୩ରୁ ୨୯ ତାରିଖ ମଧ୍ୟରେ www.puri.nic.in ସାଇଟ୍କୁ ଯାଇ ଫର୍ମ ପୂରଣ କରି ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କୁ oritourpuri@gmail.com ରେ ଅନ୍ଲାଇନ ବା ଅଫ୍ଲାଇନ, ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିପାରିବେ। ଦରଖାସ୍ତକାରୀଙ୍କ ନାମ, ବୟସ, ସ୍ଥାୟୀ ଓ ବର୍ତ୍ତମାନର ଠିକଣା, ଯୋଗାଯୋଗ ନମ୍ବର ବା ମେଲ୍ ଆଇଡି, ଜରୁରୀ ଆବଶ୍ୟକତା ପାଇଁ ସମ୍ପର୍କୀୟଙ୍କ ଯୋଗାଯୋଗ ନମ୍ବର, ଆଧାର ବା ଭୋଟର ପରିଚୟପତ୍ର ନମ୍ବର, ଆବେଦନପତ୍ରରେ ଗୋଟିଏ ଏବଂ ଅନ୍ୟ ଦୁଇଟି ପାସ୍ପୋର୍ଟ ସାଇଜ ଫଟୋ ସହ ଆବେଦନ କରିପାରିବେ। ଆବେଦନକାରୀ ଡବଲ ଡୋଜ୍ ଟିକା ନେଇଥିବା ଜରୁରୀ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ପାଖରେ ରହି ହବିଷ କରିବାକୁ ହବିଷିଆଳୀମାନେ ପୁରୀ ଆସିଥାନ୍ତି। ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରତଧାରୀଙ୍କ ରହିବା, ମହାପ୍ରଭୁଙ୍କ ଦର୍ଶନ, ପୂଜାର୍ଚ୍ଚନା, ମହାପ୍ରସାଦ ସେବନ ଇତ୍ୟାଦିର ସୁବନ୍ଦୋବସ୍ତ ବିଗତ ବର୍ଷମାନଙ୍କରେ କରାଯାଇଥିଲା। ତେବେ କରୋନା ପାଇଁ ଦୁଇବର୍ଷ ଏହି ବ୍ୟବସ୍ଥା ବନ୍ଦ ରହିଥିବା ବେଳେ ଚଳିତବର୍ଷ ହବିଷିଆଳୀ ମା’ମାନଙ୍କ ପୁନଶ୍ଚ ଏହା କାର୍ଯ୍ୟକ୍ଷମ କରାଯାଇଛି। ସେମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ବିବିଧ ବ୍ୟବସ୍ଥା ସମ୍ପର୍କରେ ସୋମବାର ସର୍କିଟ ହାଉସରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ବିଭାଗ ପରସ୍ପର ସମନ୍ୱୟ ରଖି ସୁଚାରୂ ରୂପେ ଓ ଶୃଙ୍ଖଳିତ ଭାବେ ଏହାକୁ ସମ୍ପାଦନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ହବିଷିଆଳୀମାନଙ୍କୁ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଓ ମୋଚିସାହିସ୍ଥିତ ପୌରସଂସ୍ଥା କଲ୍ୟାଣମଣ୍ଡପରେ ରଖାଯିବ। ପଞ୍ଜିକରଣ ପାଇଁ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଦିଆଯାଇଥିବାରୁ ତାହାର ଡାଟାବେଶ୍କୁ ତ୍ୱରାନ୍ୱିତ କରାଯିବ। ଚଳିତବର୍ଷ ଅକ୍ଟୋବର ୧୦ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ହବିଷିଆଳୀଙ୍କ ରହିବା ବ୍ୟବସ୍ଥା କରାଯାଇଛି। ମହାପ୍ରସାଦ ସେବନ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ୍ ଯୋଗାଣ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପରବହନ, ପ୍ରବଚନ ଓ ଭାଗବତ କଥାମୃତ ଇତ୍ୟାଦିର ସୁବନ୍ଦୋବସ୍ତ କରାଯିବ।