କ୍ରିକେଟ୍ ଖେଳୁଥିବା ବେଳେ ଟଳିପଡ଼ିଲେ ରାଜସ୍ୱ ନିରୀକ୍ଷକ, ହୃଦଘାତରେ ମୃତ୍ୟୁ ସନ୍ଦେହ

ରାୟଗଡ଼ା: କ୍ରିକେଟ ଖେଳ ହେଲା କାଳ । କ୍ରିକେଟ ଖେଳୁଥିବା ବେଳେ ହୃଦଘାତରେ ଚାଲିଗଲା RIଙ୍କ ଜୀବନ । କ୍ରିକେଟ୍ ଖେଳୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇ ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କର ମୃତ୍ୟୁ ହୋଇଛି। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ନାମ ପି. ରାଜେଶ ବୋଲି ଜଣାପଡ଼ିଛି। ସେ ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଲକରେ ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଘର ରାୟଗଡ଼ା ସହରର ୟେଦୁ ସାହିରେ ଅବସ୍ଥିତ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଆଇଏସିଆର କଲେଜ ନିକଟସ୍ଥ ଆରସିସି ପଡ଼ିଆରେ ପି. ରାଜେଶ ସାଙ୍ଗମାନଙ୍କ ସହ କ୍ରିକେଟ୍ ଖେଳୁଥିଲେ। ଖେଳ ଚାଲିଥିବା ବେଳେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ ଏବଂ ଏନେଇ ସାଥୀ ଖେଳାଳିମାନଙ୍କୁ ଜଣାଇଥିଲେ। କିଛି ସମୟ ପରେ ସେ ପଡ଼ିଆରେ ଟଳି ପଡ଼ିଥିଲେ।

ସାଥୀ ଖେଳାଳିମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ)ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରାୟଗଡ଼ା ବିଧାୟକ ଆପଲା ସ୍ୱାମୀ କାଡ୍ରାକା ଏହି ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ରାୟଗଡ଼ା ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

About The Author: Madhusudan Das