ଗୋଟିଏ ଦିନରେ ଜଗତସିଂହପୁର, ଯାଜପୁର ଓ ମାଲକାନଗିରିରେ ଦୁଷ୍କର୍ମ…

– ସଂର୍ପକୀୟଙ୍କ ଜନ୍ମଦିନ ଉତ୍ସବରୁ ଫେରିଲା ବେଳେ ଜଗତସିଂହପୁରରେ ନାବାଳିକାଙ୍କୁ ଦୁଷ୍କର୍ମ – ମାଲକାନଗିରିରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମର ଦୁଇଟି ମାମଲା – ଯାଜପୁରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ – ପୁରୀରେ ୩ ଭଉଣୀଙ୍କୁ ଅସଦାଚରଣ ଭୁୁବନେଶ୍ୱର: ରାଜ୍ୟରେ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନାକୁ ନେଇ ବିଜୁ ଜନତା ଦଳ ଅଭିଯୋଗ କରିଛି ଯେ, ମହିଳାମାନେ ଘର କୋଣରେ ରୁହନ୍ତୁ ଓ ଘରୁ ଗୋଡ କାଢନ୍ତୁ ନାହିଁ ବୋଲି ବିଜେପି ସରକାର ଚାହେଁ। ଆଜି ଶଙ୍ଖଭବନଠାରେ […]

– ସଂର୍ପକୀୟଙ୍କ ଜନ୍ମଦିନ ଉତ୍ସବରୁ ଫେରିଲା ବେଳେ ଜଗତସିଂହପୁରରେ ନାବାଳିକାଙ୍କୁ ଦୁଷ୍କର୍ମ
– ମାଲକାନଗିରିରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମର ଦୁଇଟି ମାମଲା
– ଯାଜପୁରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ
– ପୁରୀରେ ୩ ଭଉଣୀଙ୍କୁ ଅସଦାଚରଣ

ଭୁୁବନେଶ୍ୱର: ରାଜ୍ୟରେ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନାକୁ ନେଇ ବିଜୁ ଜନତା ଦଳ ଅଭିଯୋଗ କରିଛି ଯେ, ମହିଳାମାନେ ଘର କୋଣରେ ରୁହନ୍ତୁ ଓ ଘରୁ ଗୋଡ କାଢନ୍ତୁ ନାହିଁ ବୋଲି ବିଜେପି ସରକାର ଚାହେଁ।

ଆଜି ଶଙ୍ଖଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଶାନ୍ତ ମୁଦୁଲି, ପୂର୍ବତନ ବିଧାୟକ ଚିରଂଜୀବୀ ବିଶ୍ୱାଳ ଏବଂ ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଗୋଟିଏ ଦିନରେ ୩ଟି ଜିଲ୍ଲାରେ ଦୁଷ୍କର୍ମ ଓ ଗଣଦଷ୍କର୍ମ ସହ ପୁରୀରେ ତିନି ଭଉଣୀଙ୍କୁ ଅସଦାଚରଣ ମାମଲା ଉଲ୍ଲେଖ କରି ବିଜେପି ସରକାରରେ ମହିଳାମାନେ ଘରୁ ଗୋଡ କାଢିବା ଆଉ ସୁରକ୍ଷିତ ନୁହେଁ ବୋଲି ଅଭିଯୋଗ କରିଛନ୍ତି।

ଶ୍ରୀ ମୁଦୁଲୀ କହିଛନ୍ତି ଯେ, ଛାତ୍ରୀ ହେଉ ବା ଗୃହିଣୀ ସମାଜରେ ନିଜକୁ ଆତ୍ମନିର୍ଭର କରିବା ପାଇଁ ଘରୁ ବାହାରକୁ ଆସିବାକୁ ପଡିବ କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟ ବିଜେପି ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ଅସମର୍ଥ। ଶ୍ରୀ ଚିରଂଜୀବୀ ବିଶ୍ୱାଳଙ୍କ ନେତୃତ୍ୱରେ ପ୍ରଶାନ୍ତ ମୁଦୁଲି,  ସୁଲୋଚନା ଦାସ, ମଂଜୁଲତା କହଁର, ପ୍ରୀତୀନନ୍ଦା ରାଉତରାୟ,  ଭାରତୀ ସିଂ ଓ  ମହାମାୟା ସ୍ୱାଇଁ ପ୍ରମୁଖ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଜଗତସିଂହପୁରରେ ଗଣଦୁଷ୍କର୍ମର ଶୀକାର ହୋଇଥିବା ନାବାଳିକାଙ୍କ ପରିବାରକୁ ଆଜି ଭେଟି ଆଶ୍ୱାସନା ଦେବା ସହ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମବେଦନା ଜଣାଇଥିଲେ। ଚିରଂଜୀବୀ ବିଶ୍ୱାଳ କହିଥିଲେ, ମାଲକାନଗିରିରେ ଦୁଇ ଦୁଇଟି ଦୁଷ୍କର୍ମ ଘଟଣାକୁ ନେଇ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ପୂର୍ବତନ ବିଧାୟକ ତଥା ଜିଲ୍ଲା ସଭାପତିମାନସ ମାଡକାମୀଙ୍କ ନେତୃତ୍ୱରେ ଏସ୍‌ପିଙ୍କୁ ଭେଟି ଆଲୋଚନା କରିଛନ୍ତି। ଉପାନ୍ତ ଅଞ୍ଚଳରେ ନାବାଳିକା ଓ ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଛି ବୋଲି ନିଜେ ଏସ୍‌ପି ସ୍ୱୀକାର କରିଛନ୍ତି।

ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ମହିଳାଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରିଥିଲେ। କିନ୍ତୁ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ହେବା ଦିନଠାରୁ ମହିଳାମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ଯାଜପୁରରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପୂର୍ବତନ ସାଂସଦ  ସର୍ମିଷ୍ଠା ସେଠୀଙ୍କ ନେତୃତ୍ୱରେ ବିଧାୟିକା ସୁଜାତା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳୀନୀପ୍ରଭା ଜେନା, ମ୍ୟୁନିସପାଲିଟି ଅଧ୍ୟକ୍ଷା ରଂଜୁଲତା ହୋତା, ସବିତା ରାଉତ,  ମାମିନା ମଲ୍ଲିକ ଓ ଶ୍ରୀମତୀ ତପସ୍ୱୀନୀ ସ୍ୱାଇଁ ପ୍ରମୁଖ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ପୀଡିତା ପରିବାରଙ୍କୁ ଭେଟି ଆଲୋଚନା କରି ସମବେଦନା ଜଣାଇଥିଲେ। ଗୋଟିଏ ଦିନରେ ତିନୋଟି ଜିଲ୍ଲାରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା ରାଜ୍ୟବାସୀଙ୍କୁ ବିଚଳିତ କରିଛି। ପୁରୀରେ ଟ୍ୟୁସନରୁ ଫେରୁଥିଲା ବେଳେ ତିନି ଭଉଣୀଙ୍କୁ ଅସଦାଚରଣ ଘଟଣା ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ଦାସ କହିଥିଲେ। ଉତ୍ସବମୁହାଁ ସରକାର ଯଦି ରାଜ୍ୟରେ ବୃଦ୍ଧି ପାଉଥିବା ମହିଳା ନିର୍ଯାତନାରେ ବିରାମ ନଲଗାଏ, ଆଗାମୀ ଦିନରେ ସମଗ୍ର ରାଜ୍ୟରେ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଚେତାବନୀ ଦେଇଛି ବିଜେଡି।

About The Author: The Sakala