୧୮ରୁ ପୁଣି ବଢ଼ିବ ବର୍ଷା, ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,: ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବିଶେଷକରି ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ସର୍ବାଧିକ ରହିଥିବା ବେଳେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି। ଲଘୁଚାପ ଶକ୍ତିଶାଳୀ ହେବା ଯୋଗୁଁ ରାଜ୍ୟରେ ମୌସୁମୀ ଅତ୍ୟନ୍ତ ସକ୍ରିୟ ରହିଛି। ଏହି କାରଣରୁ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୪୭.୫ ମିମି ରେକର୍ଡ କରାଯାଇଛି। ଯାହା […]

ଭୁବନେଶ୍ୱର,: ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବିଶେଷକରି ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ସର୍ବାଧିକ ରହିଥିବା ବେଳେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି। ଲଘୁଚାପ ଶକ୍ତିଶାଳୀ ହେବା ଯୋଗୁଁ ରାଜ୍ୟରେ ମୌସୁମୀ ଅତ୍ୟନ୍ତ ସକ୍ରିୟ ରହିଛି। ଏହି କାରଣରୁ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୪୭.୫ ମିମି ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୭.୬ ମିମି ତୁଳନାରେ ୫୨୪ ପ୍ରତିଶତ ଅଧିକ ରହିଛି ବୋଲି ପାଣପିାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାୟଗଡ଼ା ଜିଲ୍ଲାରେ ହାରାହାରି ବର୍ଷା ୭୨.୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୪.୩ ମିମି ତୁଳନାରେ ୧୫୭୬ ପ୍ରତିଶତ ଅଧିକ ରହିଛି।

ସେହିପରି ଗତ ୨୪ ଘଣ୍ଟାରେ ବଲାଙ୍ଗିରରେ ସର୍ବାଧିକ ୨୧୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କଳାହାଣ୍ଡି ଏମରାମପୁରରେ ୧୯୩ ମିମି, ଥୁଆମୁଳ ରାମପୁର, କଣ୍ଟାମାଳ ଓ ବୌଦ୍ଧରେ ୧୫୮ମିଲିମିଟର ବର୍ଷା ରେକର୍ଡ ହୋଇଛି। ଭୁବନେଶ୍ୱର ୫୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ୧୧ ଜିଲ୍ଲାର ୨୨ଟି ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବୁଧବାର ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ସକ୍ରିୟ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏହା ଓଡ଼ିଶା ଓ ଛତିଶଗଡ଼ ଉପରେ ରହି ଆଗକୁ ଅଗ୍ରସର ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ତୁଳନାରେ ଶୁକ୍ରବାରଠାରୁ ବର୍ଷାର ପ୍ରକୋପ ହ୍ରାସ ହେବା ସହ ଛତିଶଗଡ଼ରେ ବର୍ଷାର ପ୍ରକୋପ ବଢ଼଼ିବ ବୋଲି ଜଣାପଡ଼ିଛି। ଯଦିଓ ଶୁକ୍ରବାର ରାଜ୍ୟରେ ବର୍ଷା ହ୍ରାସ ପାଇବ ହେଲେ ଛତିଶଗଡ଼ ସୀମାନ୍ତ ଓଡ଼ିଶାର କିଛି ଜିଲ୍ଲା ଯଥା ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ଶୁକ୍ରବାର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହେବାର ଆଶଙ୍କା ରହିଛି। ଦୁର୍ଗମ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ସହ ମାଟିଘର କାନ୍ଥ ଭୁସୁଡିବା, କଚ୍ଚା ରାସ୍ତା ପ୍ରଭାବିତ ହେବାର ଆଶଙ୍କା ରହିଛି। ସେହିପରି ଧାନ ବିଲରୁ ଜଳ ନିଷ୍କାସନ ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ସାର ଓ କୀଟନାଶକ ପ୍ରୟୋଗରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି।

ଗତ ଲଘୁଚାପରେ ହୋଇଥିବା ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହୋଇଥିବା ନିଅଣ୍ଟିଆ ସ୍ଥିତି ଭରଣା ହୋଇଛି। କେନ୍ଦ୍ରାପଡ଼ା, ପୁରୀ, ନବରଙ୍ଗପୁର ଓ କଳାହାଣ୍ଡିକୁ ଛାଡ଼ି ବାକି ସମସ୍ତ ଜିଲ୍ଲାରେ ମୌସୁମୀରେ ସ୍ୱାଭାବିକ ବର୍ଷା ହୋଇସାରିଛି। ୨ ଦିନର ବିରତି ପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ପୁଣି ଥରେ ୧୮ ତାରିଖରୁ ବର୍ଷାର ପ୍ରକୋପ ବଢ଼଼ିବ ବୋଲି ପାଣିପାଗ କେନ୍ଦ୍ର କହିଛି। ୧୮ରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ଆଲର୍ଟ ଜାରି କରିଛି।

About The Author: The Sakala