ଛତିଶା ନିଯୋଗ ବୈଠକରେ ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ : ଭୋର ୪ରୁ ପହଣ୍ଡି, ଅପରାହ୍ନ ୨ଟା ୪୦ରୁ ହାତୀବେଶ

ପୁରୀ : ଆସନ୍ତା ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ। ୧୦୮ ଗଡୁ ଜଳରେ ସ୍ନାନ କରିବେ। ଏହା ପୂର୍ବରୁ ଆସନ୍ତା ୧୭ ତାରିଖରେ ରାଜେନ୍ଦ୍ରାଭିଷେକ, ୧୮ରେ ରୁକ୍ମିଣୀ ହରଣ ଏକାଦଶୀ, ୧୯ରେ ଚମ୍ପକ ଦ୍ୱାଦଶୀ, ୨୦ରେ ଦଇତାପତି ପ୍ରବେଶ, ୨୧ରେ ସେନାପଟା ଲାଗି ରହିଛି। ତେଣୁ ଏହିସବୁ ପର୍ବପର୍ବାଣୀ ସମୟରେ ଠାକୁରଙ୍କ ନୀତିକାନ୍ତି କିପରି ସୁଚାରୂ ରୂପେ ସମ୍ପାଦନ କରାଯିବ ସେ ନେଇ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା ନୀତି ସବ୍‌ କମିଟି […]

ପୁରୀ : ଆସନ୍ତା ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ। ୧୦୮ ଗଡୁ ଜଳରେ ସ୍ନାନ କରିବେ। ଏହା ପୂର୍ବରୁ ଆସନ୍ତା ୧୭ ତାରିଖରେ ରାଜେନ୍ଦ୍ରାଭିଷେକ, ୧୮ରେ ରୁକ୍ମିଣୀ ହରଣ ଏକାଦଶୀ, ୧୯ରେ ଚମ୍ପକ ଦ୍ୱାଦଶୀ, ୨୦ରେ ଦଇତାପତି ପ୍ରବେଶ, ୨୧ରେ ସେନାପଟା ଲାଗି ରହିଛି। ତେଣୁ ଏହିସବୁ ପର୍ବପର୍ବାଣୀ ସମୟରେ ଠାକୁରଙ୍କ ନୀତିକାନ୍ତି କିପରି ସୁଚାରୂ ରୂପେ ସମ୍ପାଦନ କରାଯିବ ସେ ନେଇ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା ନୀତି ସବ୍‌ କମିଟି ଏବଂ ଛତିଶା ନିଯୋଗ ବୈଠକ। ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପରୋକ୍ତ ପର୍ବପର୍ବାଣୀର ନୀତି ନିର୍ଘଣ୍ଟ ହୋଇଛି।

ପ୍ରଥମେ ନୀତି ସବ୍‌ କମିଟି ବୈଠକରେ ରାଜେନ୍ଦ୍ରାଭିଷକଠାରୁ ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ନୀତିକାନ୍ତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରେ ଏହାକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି। ଜୁନ୍‌ ୨୨ରେ ପଡୁଥିବା ସ୍ନାନଯାତ୍ରା ନୀତିକାନ୍ତି କିପରି ଶୃଙ୍ଖଳିତ ହୋଇପାରିବ ସେ ନେଇ ନୀତି ନିର୍ଘଣ୍ଟ ହୋଇଛି।

ସ୍ନାନପୂର୍ଣ୍ଣିମାର ପୂର୍ବ ରାତି ସାଢେ ୩ଟାରେ ମଙ୍ଗଳାର୍ପଣ ସରି ଭୋର ୪ଟାରୁ ପହଣ୍ଡି ଆରମ୍ଭ ହେବ। ପହଣ୍ଡି ପାଇଁ ୨ ଘଣ୍ଟା ସମୟ ରହିଛି। ଅର୍ଥାତ୍‌ ସକାଳ ୬ଟାରେ ପହଣ୍ଡି ସରି ୮ଟା ୧୦ରେ ମଙ୍ଗଳ ଆଳତି ହେବ। ପୂର୍ବାହ୍ନ ୧୧ଟା ୨୦ରୁ ମଧ୍ୟାହ୍ନ ୧୨ଟା ୪୫ ମଧ୍ୟରେ ଜଳବିଜେ, ପୂଜା ଓ ଠାକୁରଙ୍କ ସ୍ନାନ ସରିବ। ଅପରାହ୍ନ ୨ଟାରେ ଛେରାପହଁରା ପରେ ୨ଟା ୪୦ରେ ଠାକୁରଙ୍କ ହାତୀବେଶ କରାଯିବ। ସନ୍ଧ୍ୟା ସାଢେ ୬ରୁ ରାତି ସାଢେ ୯ ଅର୍ଥାତ୍‌ ସାଢେ ୩ ଘଣ୍ଟା ସାହାଣ ମେଲା ଦର୍ଶନ ରହିଛି।

ଶ୍ରଦ୍ଧାଳୁମାନେ ସ୍ନାନମଣ୍ଡପ ସମ୍ମୁଖରୁ ଦର୍ଶନ କରିବେ କିନ୍ତୁ କେହି ଠାକୁରଙ୍କୁ ସ୍ପର୍ଶ କରିପାରିବେ ନାହିଁ। ସ୍ନାନଯାତ୍ରାର ବାହୁଡା ପହଣ୍ଡି ରାତି ସାଢେ ୧୦ରୁ ଆରମ୍ଭ ହୋଇ ରାତି ୧ଟାରେ ଶେଷ ହେବ। ଏହାପରେ ସାଢେ ୧ଟାରେ ଠାକୁରଙ୍କ ସୁନାଚିତା ଏବଂ ରାହୁରେଖା ମଇଲମ ହେବ। ସେହିପରି ବୈଠକରେ ଜୁନ୍‌ ୧୭ ତାରିଖରେ ରାଜେନ୍ଦ୍ରାଭିଷେକ, ୧୮ରେ ରୁକ୍ମିଣୀ ହରଣ ଏକାଦଶୀ, ୧୯ରେ ଚମ୍ପକ ଦ୍ୱାଦଶୀ, ୨୦ରେ ଦଇତାପତି ପ୍ରବେଶ, ୨୧ରେ ସେନାପଟା ଲାଗି ରହିଛି। ଏହିସବୁ ନୀତିକାନ୍ତି କିପରି ଶୃଙ୍ଖଳିତ ହେବ ତା’ ଉପରେ ଆଲୋଚନା ହୋଇ ନୀତି ସବ୍‌ କମିଟି ପ୍ରସ୍ତୁତ କରିଥିବା ନୀତିକାନ୍ତିରେ ମୋହର ମାରିଛି ଛତିଶା ନିଯୋଗ। ତେବେ ଆବଶ୍ୟକ ପଡିଲେ ନିର୍ଘଣ୍ଟ ନୀତିରେ ସଂଶୋଧନ କରାଯାଇ ଆସନ୍ତା ବୈଠକରେ ଚୂଡ଼ାନ୍ତ ମୋହର ବାଜିବ ବୋଲି ସୂଚନା ଦିଆଯାଇଛି।

ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ କହିଛନ୍ତି, ଶୁକ୍ରବାର ନୀତି ସବ୍‌ କମିଟି ଏବଂ ଛତିଶା ନିଯୋଗ ବୈଠକ ବସିଥିଲା। ପ୍ରଥମେ ନୀତି ସବ୍‌ କମିଟିରେ ରାଜେନ୍ଦ୍ରାଭିଷେକଠାରୁ ସ୍ନାନଯାତ୍ରା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ହୋଇଥିଲା। ପରେ ଅନୁଷ୍ଠିତ ଛତିଶା ନିଯୋଗରେ ଉପରୋକ୍ତ ପର୍ବପର୍ବାଣିର ନିର୍ଘଣ୍ଟ ନୀତିକୁ ଅନୁମୋଦନ ଦିଆଯାଇଛି। ତେବେ ଛତିଶା ନିଯୋଗ ବୈଠକ ପ୍ରାରମ୍ଭରେ ନୂଆ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରାଯାଇଥିଲା। ଏଥିସହ ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ୍‌ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯାଇଥିଲା। ମହାପ୍ରଭୁଙ୍କ ସବୁ ନୀତିକାନ୍ତି କିପରି ଶୃଙ୍ଖଳିତ ହେବ ସେ ନେଇ ଛତିଶା ନିଯୋଗ ପୂର୍ଣ୍ଣ ସହଯୋଗ କରିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍‌ପି ପିନାକ ମିଶ୍ରଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏବଂ ଛତିଶା ନିଯୋଗର କର୍ମକର୍ତ୍ତା ଭାଗ ନେଇଥିଲେ ।

About The Author: The Sakala