ରୁଷିଛି ଜଗା; ଗଡ଼ିଲାନି ନନ୍ଦିଘୋଷ, ଆଜି କାଳିଆ ରଥର ଦକ୍ଷିଣମୋଡ଼

ପୁରୀ: ପବିତ୍ର ହେରାପଞ୍ଚମୀରେ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ଫେରାଇ ନେବାକୁ ଆସିଥିଲେ। ହେଲେ ମହାପ୍ରଭୁ ସାଥୀରେ ନ ଯିବାରୁ ଅଭିମାନ କରି ଚାଲିଗଲେ ଲକ୍ଷ୍ମୀ ସାଆନ୍ତାଣୀ। ପ୍ରାଣପ୍ରିୟାଙ୍କ ମନ କଥା ଜାଣିପାରି ଏବେ ବଡ଼ଦେଉଳକୁ ଫେରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଶ୍ୱନିୟନ୍ତା। ଆସନ୍ତା ୫ ତାରିଖରେ ବାହୁଡ଼ା ଯାତ୍ରା। ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ଏଥିଲାଗି ପରମ୍ପରା ଅନୁଯାୟୀ ବୁଧବାର ତିନିରଥର ଦକ୍ଷିଣ ମୋଡ଼ କରାଯାଉଥିଲା। ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ବଡ଼ଠାକୁର ବଳଭଦ୍ରଙ୍କ […]

ପୁରୀ: ପବିତ୍ର ହେରାପଞ୍ଚମୀରେ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ଫେରାଇ ନେବାକୁ ଆସିଥିଲେ। ହେଲେ ମହାପ୍ରଭୁ ସାଥୀରେ ନ ଯିବାରୁ ଅଭିମାନ କରି ଚାଲିଗଲେ ଲକ୍ଷ୍ମୀ ସାଆନ୍ତାଣୀ। ପ୍ରାଣପ୍ରିୟାଙ୍କ ମନ କଥା ଜାଣିପାରି ଏବେ ବଡ଼ଦେଉଳକୁ ଫେରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଶ୍ୱନିୟନ୍ତା। ଆସନ୍ତା ୫ ତାରିଖରେ ବାହୁଡ଼ା ଯାତ୍ରା। ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ଏଥିଲାଗି ପରମ୍ପରା ଅନୁଯାୟୀ ବୁଧବାର ତିନିରଥର ଦକ୍ଷିଣ ମୋଡ଼ କରାଯାଉଥିଲା। ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦକ୍ଷିଣ ମୋଡ଼ ହୋଇ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଲାଗିଛି। ହେଲେ ନୀତି ବିଳମ୍ବ ଯୋଗୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିପାରି ନାହିଁ। ଗୁରୁବାର ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ। ଗତକାଲି ମଧ୍ୟାହ୍ନ ସାଢେ଼ ୧୨ଟାରେ ଆଜ୍ଞାମାଳ ବିଜେ ହେବା ଲାଗି ସମୟ ନିର୍ଘଣ୍ଟ ହୋଇଥିଲା। ହେଲେ ଦେଢ଼ ଘଣ୍ଟା ବିଳମ୍ବରେ ଅର୍ଥାତ୍‌ ଅପରାହ୍ନ ୨ଟାରେ ଆଜ୍ଞାମାଳ ବିଜେ ହୋଇଥିଲା।

ନବଦିନାତ୍ମକ ଯାତ୍ରାରେ ବାହାରିଥିବା ଚତୁର୍ଦ୍ଧାବିଗ୍ରହ ଏବେ ଆଡ଼ପଣ୍ଡପରେ ଅବସ୍ଥାନ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଠାକୁରଙ୍କ ନୀତିକାନ୍ତି ସୁରୁଖୁରରେ ଚାଲିଛି। ମଙ୍ଗଳବାର ହେରାପଞ୍ଚମୀ ନୀତି ବିଳମ୍ବ ହୋଇଥିଲା। ତେଣୁ ବୁଧବାର ସକାଳ ୭ଟା ୫୫ରେ ମଙ୍ଗଳ ଆଳତି ହୋଇଥିଲା। ସକାଳ ୯ଟା ୪୫ରେ ଅବକାଶ ନୀତି ବଢ଼ିବା ପରେ ସାହାଣମେଲା ଦର୍ଶନ ହୋଇଥିଲା। ପରେ ଦ୍ୱାରପାଳ ପୂଜା ଶେଷ ହୋଇ ଅପରାହ୍ନ ୧ଟାରେ ସକାଳ ଧୂପ ଓ ଭୋଗମଣ୍ଡପ ଉଠିବା ପରେ ୨ଟାରେ ଆଜ୍ଞାମାଳ ବିଜେ ହୋଇଥିଲା। ତିନିଠାକୁରଙ୍କ ଆଜ୍ଞାମାଳ ନେଇ ତିନିବାଡ଼ର ପୂଜାପଣ୍ଡା ସାମନ୍ତ ରଥ ପାଖକୁ ଆସିଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରହିଥିବା ତିନିରଥକୁ ବାହୁଡ଼ା ବିଜେ ଲାଗି ଆଜ୍ଞାମାଳ ପ୍ରଦାନ କରିଥିଲେ। ଏହାପରେ ବିଜେ କାହାଳୀ, ଘଣ୍ଟଘଣ୍ଟା ବାଜିବା ପରେ ଦେବଦଳନ ରଥର ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିଲା। ପୂର୍ବରୁ ଭୋଇ ସେବକଙ୍କ ଦ୍ୱାରା ରଥର ବ୍ରେକ ଓ ଦଉଡ଼ି ସଂଯୋଗ କରାଯାଇଥିଲା। ରାସ୍ତାର ଦୁଇପାଶ୍ୱର୍ରେ ଦକ୍ଷିଣ ମୋଡ଼ ପାଇଁ ବାଲି ପକାଯାଇଥିଲା। ପୁଲିସ କର୍ମଚାରୀମାନେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ଦେବଦଳନ ରଥକୁ ଟାଣି ନେଇଥିଲେ। ସେଠାରେ ରଥକୁ ବୁଲାଯାଇ ନାକଚଣା ଦ୍ୱାରକୁ ଅଣାଯାଇଥିଲା। ପ୍ରଥମେ ଦେବଦଳନ ରଥ ନାକଚଣା ଦ୍ୱାର ସମ୍ମୁଖରେ ଲାଗିଥିଲା। ପରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇ ସନ୍ଧ୍ୟା ସାଢେ଼ ୬ଟା ସୁଦ୍ଧା ନାକଚଣା ଦ୍ୱାରରେ ପହଞ୍ଚିଥିଲା। ତେବେ ଅସରାଏ ବର୍ଷା ଏବଂ ସନ୍ଧ୍ୟା ହୋଇଯିବାରୁ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ପାରିନାହିଁ। ଗୁରୁବାର ସକାଳ ୯ଟାରେ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

About The Author: The Sakala