ଆଜି ଶ୍ରୀମନ୍ଦିରରେ ପାଳନ ହେବ ଶ୍ରୀରାମ ଜନ୍ମ ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ପବିତ୍ର ଶ୍ରୀରାମ ନବମୀ। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମଦିନ। ମଧ୍ୟାହ୍ନଧୂପ ଭୋଗ ଉଠିବା ପରେ ହେବ ଶ୍ରୀରାମ ଜନ୍ମ ନୀତି। ନୀତି ଆରମ୍ଭରୁ ଶେଷ ହେବା ଯାଏ ବନ୍ଦ ରହିବ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ । ରାମଜନ୍ମର ଏହି ପବିତ୍ର ଦିନରେ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ପାଳନ ହେବ ଶ୍ରୀରାମ ନବମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି । ଏଣୁ ମଧ୍ୟାହ୍ନ ଧୂପ ଭୋଗ ଉଠିବା ପରେ ଶ୍ରୀରାମ ଜନ୍ମ ନୀତି ଶେଷ ହେବା ପର୍ଯ୍ୟନ୍ତ ଆପାତତଃ ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। 

ସେହିପରି ଆଜିଠାରୁ ପୁରୀର ବିଭିନ୍ନ ସାହିରେ ସାହିଯାତ କରାଯାଇ ଏହି ରାମଲୀଳା ପର୍ବକୁ ପାଳନ କରିବାର ପରମ୍ପରା ରହିଛି। ଶ୍ରୀଜଗନ୍ନାଥଙ୍କ ରାମାବତାର ଲୀଳାର ଅଂଶ ହେଉଛି ସାହିଯାତ। ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ରୂପେ ପରିଚିତ ସାହିଯାତ। ଏହି ଯାତ ସମୟରେ ପୁରୀ ସହରର ଆଠସାହିରୁ ବାହାରୁଥିବା ପଟୁଆର ଓ ଯାତ ଆଦି ବାଦି ସାହିଗୁଡ଼ିକରେ ସେମାନଙ୍କର କଳା କୌଶଳ ପ୍ରଦର୍ଶନ କରିଥା’ନ୍ତି। ସାହିଯାତରେ ସମରକଳା, ଲୋକକଳ, ଲୋକନୃତ୍ୟ, ଲୋକଗୀତ ଓ ଲୋକବାଦ୍ୟ ପରମ୍ପରାର ସମ୍ମିଳିତ ରୂପ ଦେଖିବାକୁ ମିଳିଥାଏ।  ଶ୍ରୀରାମ ନବମୀ ଅର୍ଥାତ ଆଜିଠାରୁ ଆରମ୍ଭ ହେବ ସାହିଯାତ। ଏହା ଆସନ୍ତା ଏପ୍ରିଲ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ କାଳିକାଦେବୀ ସାହିରୁ ଯାତ ବାହାରି ଶ୍ରୀମନ୍ଦିରରେ ନୀତି ସମ୍ପନ୍ନ କରିବ। ଏହାପରେ ବାଦିସାହିକୁ ଯାଇ କଳାକୌଶଳ ପ୍ରଦର୍ଶନ କରିବ। 

About The Author: Madhusudan Das