କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତର ବାଲିଗୋଠଠାରେ ୪୨ ମୌଜା ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଦ୍ୱିତୀୟ ପାରିକୁଦ ମହୋତ୍ସବ ସଫଳତାର ସହ ଶେଷ ହୋଇଛି। ତେବେ ମହୋତ୍ସବ ଶେଷ ହେବା ପରେ ପଡ଼ିଆରେ ପଡ଼ିଥିବା ଅଳିଆ ଆବର୍ଜନା ଓ ପ୍ଲାଷ୍ଟିକ୍ ସଫା କରିବା ପାଇଁ ଏକ ବୃହତ୍ ସ୍ୱଚ୍ଛତା ଅଭିଯାନ ହାତକୁ ନିଆଯାଇଛି।
ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ
ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରୁ ହଜାର ହଜାର ଦର୍ଶକ ଏହି ମହୋତ୍ସବରେ ସାମିଲ ହୋଇଥିବା ବେଳେ ୧ ହଜାରରୁ ଊର୍ଦ୍ଧ୍ୱ ବ୍ୟବସାୟୀ ଦୋକାନ ଖୋଲିଥିଲେ। ପ୍ରବଳ ଭିଡ଼ ଯୋଗୁଁ ମହୋତ୍ସବ ପଡ଼ିଆରେ ବିପୁଳ ମାତ୍ରାରେ ପ୍ଲାଷ୍ଟିକ୍ ବୋତଲ, ପଲିଥିନ୍ ଏବଂ ଅନ୍ୟାନ୍ୟ ଆବର୍ଜନା ଜମା ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ୪୨ ମୌଜା ପରିଚାଳନା କମିଟିର ସଭାପତି କୈଳାଶ ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ କୁମାର ପଲେଇ ଏବଂ କୋଷାଧ୍ୟକ୍ଷ ମୋଚିରାମ ନାୟକଙ୍କ ନେତୃତ୍ୱରେ ପଡ଼ିଆ ସଫେଇ ଆରମ୍ଭ କରାଯାଇଥିଲା। ଗ୍ରୀନ୍ ପାରିକୁଦର 'ଗଛ ମଣିଷ' ଭାବେ ପରିଚିତ ଅମିତା ତରେଇ, ଶଙ୍କର ପଲେଇ, ମୀନାରାଣୀ ସାହୁ, ନକୁଳ ସୁନ୍ଦରାଙ୍କ ସମେତ ଅନେକ ସ୍ୱେଚ୍ଛାସେବୀ ଏହି ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ।
ଜନପ୍ରତିନିଧି ଓ ମହିଳାଙ୍କ ସହଯୋଗ
ଏହି ସଫେଇ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧିମାନେ ମଧ୍ୟ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ। ପାଞ୍ଚଟି ପଞ୍ଚାୟତର ସରପଞ୍ଚ ଯଥା ବିଷ୍ଣୁପ୍ରିୟା ବିଶ୍ୱାଳ, ରବିନାରାୟଣ ମାଝୀ, ଆଦିତ୍ୟ ରଞ୍ଜନ ପଲେଇ, ବୀଣାପାଣି ପ୍ରଧାନ, ଇତିଶ୍ରୀ ସିଂହ ଏବଂ ପୂର୍ବତନ ସରପଞ୍ଚ ମିଟୁ ସିଂ ସାମନ୍ତ ଓ କୁମାର ସିଂହ ଉପସ୍ଥିତ ଥିଲେ। ଏଥିସହ ସରପଞ୍ଚଙ୍କ ପ୍ରତିନିଧି ପ୍ରଫୁଲ୍ଲ ପ୍ରଧାନ, ଧର୍ମେନ୍ଦ୍ର ବିଶ୍ୱାଳ, ବିଦ୍ୟାଧର ପଲେଇ, ରମେଶ ଚନ୍ଦ୍ର ତରେଇ, ବିଶ୍ୱମ୍ବର ପ୍ରଧାନଙ୍କ ସମେତ ପାଞ୍ଚଟି ପଞ୍ଚାୟତର ଶତାଧିକ ମହିଳା ଏକାଠି ହୋଇ ପଡ଼ିଆକୁ ସମ୍ପୂର୍ଣ୍ଣ ସଫା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।