ଚିଲିକାରେ ଜାଲବାଡ଼ ଯୋଗୁଁ ଲଞ୍ଚ ଚଳାଚଳ ବାଧାପ୍ରାପ୍ତ

ଚିଲିକାରେ ବାଲୁଗାଁରୁ କୃଷ୍ଣପ୍ରସାଦ ଅଭିମୁଖେ ଯାତାୟାତ କରୁଥିବା ଯାତ୍ରୀବାହୀ ଲଞ୍ଚକୁ ନେଇ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଚିଲିକାରେ ଜାଲବାଡ଼ ଯୋଗୁଁ ଭାସି ଆସୁଥିବା ଦଳ ଅନ୍ୟତ୍ର ନଯାଇ କୂଳ ନିକଟରେ ଜମା ହେଉଛି। ଫଳରେ ଲଞ୍ଚ ଜେଟି ନିକଟରେ ଲାଗିବାରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଏହାଦ୍ୱାରା ଲଞ୍ଚରେ ଯାତାୟାତ କରୁଥିବା ଯାତ୍ରୀମାନେ ଚଢ଼ିବା ଓ ଓହ୍ଲାଇବା ସମୟରେ ଅସୁବିଧା ଭୋଗୁଛନ୍ତି।

ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜେଟି ନିକଟରେ ଜମା ହେଉଥିବା ଦଳ ସଫା କରିବା ସହ ଲଞ୍ଚ ଚଳାଚଳ ପାଇଁ ଆବଶ୍ୟକ ଜଳଗଭୀରତା ସୁନିଶ୍ଚିତ କରିବା ଜରୁରୀ ହୋଇପଡ଼ିଛି। ଏଥିପାଇଁ ଚିଲିକାରେ ଜେଟି ନିକଟରେ ଖନନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

ଅନ୍ୟପକ୍ଷରେ, ବିଧାୟିକା ଓ ସାଂସଦଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜେଟି ଉଦ୍‌ଘାଟନକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହାର କାର୍ଯ୍ୟକ୍ଷମତା ବୃଦ୍ଧି ଏବଂ ଲଞ୍ଚ ଚଳାଚଳରେ ଦେଖାଦେଉଥିବା ସମସ୍ୟାର ସମାଧାନ ପାଇଁ କାହିଁକି ଠୋସ୍ ପଦକ୍ଷେପ ନିଆଯାଉନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।

ଯାତ୍ରୀଙ୍କ ସୁରକ୍ଷା ଓ ଯାତାୟାତର ସୁବିଧାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ବିଭାଗ ଓ ଜନପ୍ରତିନିଧିମାନେ ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ସହ ଜେଟି ନିକଟରେ ଖନନ କାର୍ଯ୍ୟ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

About The Author: Suryakanta