ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବେଳାଭୂମିରେ ଏକ ବିଶାଳ ଲୁହା ନେଭିଗେସନ୍ ବୁଏ (navigation buoy) ଭାସି ଆସି ଲାଗିଛି। ପ୍ରତିକୂଳ ପାଗ ଓ ଉଚ୍ଚ ସମୁଦ୍ର ଲହଡ଼ି ଯୋଗୁଁ ଏହା ସମୁଦ୍ର ଭିତରେ ନିଜ ସ୍ଥାନରୁ ଛିଣ୍ଡି ଆସିଥିବା ଜଣାପଡ଼ିଛି।
ଏହି ବିଶାଳ ଲୁହା ଢାଞ୍ଚା ବା ନେଭିଗେସନ୍ ବୁଏ ମୁଖ୍ୟତଃ ସମୁଦ୍ରରେ ଜାହାଜ ଏବଂ ମାଛଧରା ଟ୍ରଲରଗୁଡ଼ିକୁ ଦିଗ ଦେଖାଇବା ପାଇଁ ବ୍ୟବହାର କରାଯାଏ। ଏଥିରେ ଏକ ବିକନ୍ ଲାଇଟ୍ (beacon light) ଲାଗିଥାଏ, ଯାହା ସନ୍ଧ୍ୟା ସମୟରେ ଆଲୋକିତ ହୋଇ ଜଳିଥାଏ ଏବଂ ସାମୁଦ୍ରିକ ଯାତାୟାତକୁ ସୁରକ୍ଷିତ କରିବାରେ ସାହାଯ୍ୟ କରେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବର୍ଷ ବର୍ଷ ଧରି ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ସମୁଦ୍ର ମଧ୍ୟରେ ନିର୍ଦ୍ଦିଷ୍ଟ ଜଳପଥ ଦର୍ଶାଇବା ପାଇଁ ଏଭଳି ଅନେକ ନାଭିଗେସନ୍ ବୟା ସ୍ଥାପନ କରାଯାଇଥିଲା।
ବର୍ତ୍ତମାନ ସମୁଦ୍ରରେ ଉଠୁଥିବା ବଡ଼ ବଡ଼ ଲହଡ଼ି ମାଡ଼ରେ ଏହି ବିଶାଳ ଯନ୍ତ୍ରାଂଶଟି ଛିଣ୍ଡି ଆସି କୂଳରେ ଲାଗିଛି ଏବଂ ଏହାର କିଛି ଅଂଶ ବାଲିରେ ପୋତି ହୋଇଯାଇଛି। ଏଭଳି ଏକ ଅସାଧାରଣ ତଥା ବିଶାଳ ଲୁହା ସଂରଚନାକୁ ପାଖରୁ ଦେଖିବା ପାଇଁ ଅସ୍ତରଙ୍ଗ ବେଳାଭୂମିରେ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।