ପୁରୀରେ ପୁଣି ଲଜ୍ଜା; ଘରେ ପଶି ନାବାଳିକାକୁ ଗଣଦୁଷ୍କର୍ମ...

ସମ୍ପର୍କୀୟ ଭାଇ ଓ ଦାଦାକୁ ଉଠାଇ ଆଣିଲା ପୁଲିସ

 ପୁରୀ: ଘରେ ପଶି ନାବାଳିକାକୁ ଗଣଦୁଷ୍କର୍ମ। ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଞ୍ଚଳ‌ରେ ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି। ଯୁବତୀଜଣଙ୍କ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଦୁଇ ଦୁର୍ବୃତ୍ତ ତାଙ୍କ ସହ ଏହି କୁକର୍ମ କରିଛନ୍ତି। ଚନ୍ଦନପୁର ଥାନା ପୁଲିସ ଏହାକୁ ଗୁରୁତ୍ବର ସହ ନେଇ ଅଭିଯୁକ୍ତଦ୍ବୟଙ୍କୁ ଉଠାଇ ନେଇ ପଚରାଉଚରା କରୁଛି। ଆସନ୍ତାକାଲି (ଶନିବାର) ପୀଡ଼ିତାଙ୍କର ଡାକ୍ତରୀ ମାଇନା କରାଯିବ ବୋଲି ପୁଲିସ କହିଛି।

ଗତ ମାସ ପୁରୀ ଜିଲ୍ଲା ବ୍ରହ୍ମଗିରିର ବାଲିହରଚଣ୍ଡୀ ମନ୍ଦିର ନିକଟ ଜଙ୍ଗଲରେ ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷବନ୍ଧୁଙ୍କ ସମ୍ମୁଖ‌‌‌ରେ ଗଣଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାକୁ ମାସେ ନ ପୂରୁଣୁ ଚନ୍ଦନପୁର ଥାନା ଅଞ୍ଚଳରେ ଘଟିଥିବା ଏହି ଲଜ୍ଜାଜନକ ଘଟଣା ଜିଲ୍ଲାବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।
ଅଭିଯୋଗ ଅନୁଯାୟୀ, ଗତ ବୁଧବାର ରାତିରେ ମା’ କାଳୀଙ୍କ ଭସାଣ ଉତ୍ସବ ଚାଲିଥିଲା। ଏଥିପାଇଁ ସମଗ୍ର ବୀରନରସିଂହପୁର ଅଞ୍ଚଳ ଉତ୍ସବମୁଖର ଥିଲା। ନାବାଳିକାଙ୍କ ପରିବାରଲୋକେ ଭସାଣି ଦେଖିବାକୁ ଯାଇଥିବା ବେଳେ ଘରେ ୧୬ବର୍ଷୀୟା ଝିଅ ଏକାକୀ ଥିଲେ। ଏହାର ସୁଯୋଗ ନେଇ ପାଖ ପଡ଼ୋଶୀ ଘରର ଭାଇ ଏବଂ ଦାଦା ତାଙ୍କ ଘରେ ପଶି ଗଣଦୁଷ୍କର୍ମ କରିଥିଲେ। ଏ ସଂପର୍କରେ ନାବାଳିକା ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ଶୁକ୍ରବାର ଚନ୍ଦନପୁର ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ସଙ୍ଗେସଙ୍ଗେ ସମ୍ପୃକ୍ତ ଗାଁରେ ଚଢ଼ଉ କରିଥିଲା। ନାବାଳିକାଙ୍କ ସମ୍ପର୍କୀୟ ଭାଇ ଏବଂ ଦାଦାଙ୍କୁ ପୁଲିସ ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି।

ଏ ସମ୍ପର୍କରେ ଚନ୍ଦନପୁର ଆଇଆଇସି ଭୁବନାନନ୍ଦ ସାମନ୍ତରାୟ କହିଛନ୍ତି, ଗତ ୨୨ ତାରିଖ କାଳୀପୂଜା ଭସାଣି ରାତିରେ ପୀଡ଼ିତା ଘରେ ଏକା ଥିଲେ। ଏହି ସମୟରେ ତାଙ୍କ ପଡ଼ୋଶୀ ଘରର ଭାଇ ଏବଂ ଦାଦା ଘରେ ପଶି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏହାକୁ ସମ୍ବେଦନଶୀଳ ମାମଲା ଭାବେ ଗ୍ରହଣ କରି ଦୁଇ ଅଭିଯୁକ୍ତଙ୍କୁ ଥାନାକୁ ଅଟକ ରଖାଯାଇ ପଚରାଉଚରା କରୁଛି।

About The Author: Deviprasad Mohanty