ବଡ଼ଦିନ ଓ ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କଟକଣା: ସିଂହଦ୍ୱାରରେ ପ୍ରବେଶ, ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ କରିବେ ଭକ୍ତ....

ପୁରୀ: ବଡ଼ଦିନ ଓ ନୂଆବର୍ଷରେ କେବଳ ସିଂହଦ୍ୱାର ଦେଇ ଭକ୍ତ ଓ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଏବଂ ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ କରିବେ। ପଞ୍ଚୁକ ସମୟରେ ଏହି ବ୍ୟବସ୍ଥା ଅନୁସାରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଶୃଙ୍ଖଳିତ ହୋଇଥିଲା। ତେଣୁ ଭକ୍ତଙ୍କ ସୁବିଧା ପାଇଁ ଏହା କରାଯିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଆଜି ସୂଚନା ଦେଇଛନ୍ତି। ମଙ୍ଗଳବାର ସର୍କିଟ୍‌ ହାଉସ୍‌ଠାରେ ବଡ଼ଦିନ ଓ ନୂଆବର୍ଷ ସମୟରେ ଶୃଙ୍ଖଳିତ ଦର୍ଶନ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାପାଳ ଶ୍ରୀ ପରିଡ଼ା ଏଥିରେ ଅଧ୍ୟକ୍ଷତା କରି କହିଥିଲେ ଯେ ବର୍ଷ ଶେଷ ସହ ଛୁଟି ଦିନ ରହୁଥିବାରୁ ବଡ଼ଦିନ ଓ ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଜନସମାଗମ ହେବ। ତେଣୁ ଶୃଙ୍ଖଳିତ ଦର୍ଶନ ସହ ସୁରକ୍ଷା ବ୍ୟବସ୍ଥା, ଆଇନ ଶୃଙ୍ଖଳା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଯୋଗାଣ, ଗମନାଗମନ, ଟ୍ରାଫିକ ନିୟନ୍ତ୍ରଣ, ସ୍ୱଚ୍ଛତା ଇତ୍ୟାଦି ଅତ୍ୟାବଶ୍ୟକ ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଥିଲେ। ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଥିବାରୁ ମନ୍ଦିର ଭିତରେ ଓ ବାହାରେ ପାନୀୟ ଜଳ ପ୍ରଦାନ ବ୍ୟବସ୍ଥା କରାଯିବ। ଅଗ୍ନିଶମ ବିଭାଗ ପକ୍ଷରୁ କୌଣସି ଦୁର୍ଘଟଣା ପାଇଁ ପ୍ରସ୍ତୁତ ରହିବା, ସମୁଦ୍ର ନିକଟରେ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା, ଲାଇଫ୍‌ଗାର୍ଡ ମୁତୟନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନୀତିକାନ୍ତି ନିର୍ଘଣ୍ଟ ସମୟରେ ପରିଚାଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦିଆଯାଇଥିଲା।

ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଥିଲେ, ଅନ୍ୟ ଦିନମାନଙ୍କ ଅପେକ୍ଷା ଛୁଟିଦିନ ପଡ଼ୁଥିବାରୁ ବଡ଼ଦିନ ଓ ନୂଆବର୍ଷରେ ଅଧିକ ଗହଳି ସମ୍ଭାବନା ରହିଛି। ଆଇନଶୃଙ୍ଖଳା ରକ୍ଷା, ପାର୍କିଂ, ଟ୍ରାଫିକ, ଧାଡ଼ିରେ ଥିବା ଶ୍ରଦ୍ଧାଳୁଙ୍କୁ ନିୟନ୍ତ୍ରଣ, ସମୁଦ୍ରକୂଳରେ ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ପାଇଁ ପୁଲିସ ବିବିଧ ପଦକ୍ଷେପ ନେଇଛନ୍ତି। ଶ୍ରଦ୍ଧାଳୁଙ୍କୁ ସୂଚନା ପ୍ରଦାନ ଓ ସଚେତନତା ପାଇଁ ସାଇନଏଜ ବିଭିନ୍ନ ସ୍ଥାନରେ ଲଗାଯିବ। ତେବେ ନୀତି ଠିକ୍‌ ସମୟରେ ସମ୍ପାଦନ ପାଇଁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବେନ୍ଦ୍ର ନାଥ ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ  ପ୍ରିୟରଞ୍ଜନ ପୃଷ୍ଟି, ପିକେଡିଏ ସଚିବ ଦିଲ୍ଲୀପ କୁମାର ମହାରଣା, ସିଡିଏମ୍‌ଓ ଡା. ଅକ୍ଷୟ କୁମାର ଶତପଥୀ, ଅତିରିକ୍ତ ଏସ୍‌ପି ଦେବୀଶଙ୍କର ପ୍ରତାପ, ସଚିନ ପାଟିଲ, ସୌମ୍ୟ ରଞ୍ଜନ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଓ ଲାଇନ ଡିପାର୍ଟମେଣ୍ଟ ଅଧିକାରୀମାନେ ଯୋଗ ଦେଇଥିଲେ।

About The Author: Deviprasad Mohanty