ରାତି ପାହିଲେ ବିଶ୍ଵନିୟନ୍ତାଙ୍କ ଘୋଷଯାତ୍ରା: ସଜେଇ ହୋଇଛି ପୁରୀ ବଡଦାଣ୍ଡ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁ ସାରା ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ ହୋଇଉଠିଛି । ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ଶ୍ରୀମନ୍ଦିରରୁ ବାହାରି ନଅ ଦିନିଆ ଯାତ୍ରାରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ । ଏଥିପାଇଁ ପୁରୀ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ରଥଯାତ୍ରାର ଚୂଡ଼ାନ୍ତ ପ୍ରସ୍ତୁତି ସ୍ୱରୂପ ବୁଧବାର ଦିନ ତିନି ରଥକୁ ସେମାନଙ୍କ ପାରମ୍ପରିକ ନିର୍ମାଣ ସ୍ଥଳ 'ରଥଖଳା'ରୁ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଛି । ଭକ୍ତି ଓ ଆନନ୍ଦମୟ ପରିବେଶ ମଧ୍ୟରେ ଦେଶବିଦେଶରୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଗୁରୁବାର ଦିନ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣିବେ ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରା ଦିନ ହେବାକୁ ଥିବା ଶ୍ରୀଜୀଉଙ୍କ ପହଣ୍ଡି ବିଜେ ନୀତି ସକାଳ ୯ଟାରୁ ୯.୩୦ ମିନିଟ ମଧ୍ୟରେ ଆରମ୍ଭ ହେବାକୁ ସମୟ ଧାର୍ଯ୍ୟ କରାଯାଇଛି ।

ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଭକ୍ତଙ୍କ ସୁବିଧା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ବିଭିନ୍ନ ବିଭାଗ ସଜାଗ ରହିଛନ୍ତି । ସୁରକ୍ଷା ଦାୟିତ୍ୱରେ ପ୍ରାୟ ୧୨,୦୦୦ ପୋଲିସ କର୍ମଚାରୀଙ୍କ ସମେତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ) ମୁତୟନ ହେବେ । ସାମୁଦ୍ରିକ ସୀମା ଉପରେ ନଜର ରଖିବା ପାଇଁ ଭାରତୀୟ କୋଷ୍ଟଗାର୍ଡ ଏବଂ ନୌସେନା ମଧ୍ୟ ସଜାଗ ରହିଛନ୍ତି । ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ପାଇଁ ୧୯ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ ନିୟୋଜିତ କରାଯାଇଛି ।

ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୀର ବିଭିନ୍ନ ସ୍ଥାନରେ ୪୭୩ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଭକ୍ତମାନଙ୍କୁ ସୂଚନା ପ୍ରଦାନ ପାଇଁ ୬୫ଟି ବଡ଼ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯିବ । ମୋବାଇଲ ନେଟୱର୍କ ସୁଧାରିବା ପାଇଁ ୧୬ଟି ସ୍ଥାୟୀ ଓ ଅନେକ ଅସ୍ଥାୟୀ ମୋବାଇଲ ଟାୱାର ସ୍ଥାପନ କରାଯାଇଛି । ଏହା ସହିତ ଯାତ୍ରୀଙ୍କ ସୁବିଧା ପାଇଁ ପୁରୀ ସହରରେ ୫୯୫ଟି ସ୍ଥାୟୀ ଏବଂ ୧,୦୫୦ଟି ଅସ୍ଥାୟୀ ସାଇନବୋର୍ଡ ମଧ୍ୟ ଲଗାଯାଇଛି ।

About The Author: Madhusudan Das