ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି ଦରଦାମ ବୃଦ୍ଧି: ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଦର ବୃଦ୍ଧି ହାର ଅଧିକ

ଭୁବନେଶ୍ୱର: ଦରଦାମ ବୃଦ୍ଧି ଏବେ ଦେଶର ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ବିଭିନ୍ନ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପ୍ରତ୍ୟେକ ବର୍ଗ ଉପଭୋକ୍ତାଙ୍କ ପାଇଁ ଶିରପୀଡ଼ା ବଢ଼ାଇଛି। କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ (ଏମ୍‌ଓଏସ୍‌ପିଆଇ) ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ, ଅଗଷ୍ଟରେ ୫.୯୭ ପ୍ରତିଶତ ଥିବା ଖାଦ୍ୟ ମୁଦ୍ରାସ୍ଫୀତି ସେପ୍ଟେମ୍ବରରେ ବୃଦ୍ଧି ପାଇ ୭.୭୪ ପ୍ରତିଶତରେ ପହଞ୍ଚିଛି। ଖାଦ୍ୟସାମଗ୍ରୀ, ପନିପରିବା ଓ ଅନ୍ୟ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ପରିବାରଗୁଡ଼ିକର ମାସିକ ଖର୍ଚ୍ଚ ବଢ଼ିବା ସହ ଘରୋଇ ବଜେଟ୍‌ ଉପରେ ଚାପ ବଢ଼ିଛି। ବିଶେଷକରି ନିମ୍ନ ଓ ମଧ୍ୟମ ଆୟବର୍ଗର ଲୋକଙ୍କ କ୍ରୟକ୍ଷମତାକୁ ଏହା ବିଶେଷ ପ୍ରଭାବିତ କରିଛି। ଅନୁରୂପ ଭାବରେ ଖୁଚୁରା ମୁଦ୍ରାସ୍ଫୀତି ହାର ଗୋଟିଏ ମାସରେ ୦.୭୨% ବୃଦ୍ଧି ପାଇ ୫.୫୪%ରେ ପହଞ୍ଚିଛି। 

କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଦର ବୃଦ୍ଧି ହାର ଅଧିକ ରହିଛି। ଅଗଷ୍ଟରେ ଗ୍ରାମୀଣ ଅଞ୍ଚଳରେ ମୁଦ୍ରାସ୍ଫୀତି ୫.୨୪% ରହିଥିବା ସମୟରେ ସେପ୍ଟେମ୍ବରରେ ଏହା ୬.୦୮% ଅତିକ୍ରମ କରିଛି। ସେହିପରି ସହରାଞ୍ଚଳରେ ଏହା ୪.୮୮%କୁ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳର ପରିବାରଗୁଡ଼ିକ ଆୟର ଏକ ବଡ଼ ଅଂଶ ଖାଦ୍ୟ ଓ ରାସନ ସାମଗ୍ରୀରେ ଖର୍ଚ୍ଚ କରୁଥିବାରୁ ଦରବୃଦ୍ଧିର ପ୍ରଭାବ ସେଠାରେ ଅଧିକ ଅନୁଭୂତ ହେଉଛି।
ଅପରପକ୍ଷରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଆର୍‌ବିଆଇ ପାଇଁ ପ୍ରମୁଖ ଆହ୍ୱାନ ହୋଇଛି। ଦରଦାମ ଉପରେ ଲଗାମ ଲଗାଇବା ଉଦ୍ଦେଶ୍ୟରେ ଚଳିତ ମାସରେ ରିଜର୍ଭ ବ୍ୟାଙ୍କ ସୁଧହାର ବୃଦ୍ଧି କରିଛି। ସୁଧହାର ବଢ଼ିଲେ ଋଣ ନେବା ମହଙ୍ଗା ହୋଇପାରେ ଏବଂ ଚାହିଦା ନିୟନ୍ତ୍ରଣ ମାଧ୍ୟମରେ ମୁଦ୍ରାସ୍ଫୀତି କମାଇବାରେ ସହାୟତା ମିଳିପାରେ। ତେବେ ଖାଦ୍ୟ ସାମଗ୍ରୀର ଦର ଯୋଗାଣ ଓ ଉତ୍ପାଦନ ଉପରେ ନିର୍ଭର କରୁଥିବାରୁ କେବଳ ସୁଧହାର ବୃଦ୍ଧି ଦ୍ୱାରା ତୁରନ୍ତ ଆଶ୍ୱସ୍ତି ମିଳିବା ସମ୍ଭବ ନୁହେଁ।  

ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଆଇନଗତ ଭାବେ ଖୁଚୁରା ମୁଦ୍ରାସ୍ଫୀତିକୁ ୪ ପ୍ରତିଶତରେ ରଖିବାକୁ ଦାୟିତ୍ୱ ଦିଆଯାଇଛି। ଏଥିପାଇଁ ୨ ପ୍ରତିଶତରୁ ୬ ପ୍ରତିଶତ ପର୍ଯ୍ୟନ୍ତ ସହନସୀମା ନିର୍ଦ୍ଧାରଣ କରାଯାଇଛି। ଅର୍ଥାତ୍‌ ମୁଦ୍ରାସ୍ଫୀତି ୪ ପ୍ରତିଶତ ରହିବା ଲକ୍ଷ୍ୟ ହୋଇଥିବାବେଳେ ୨ରୁ ୬ ପ୍ରତିଶତ ମଧ୍ୟରେ ରହିଲେ ତାହାକୁ ଅନୁମୋଦିତ ସୀମା ଭାବେ ଗ୍ରହଣ କରାଯାଏ। ମାତ୍ର  କ୍ରମାଗତ ଚତୁର୍ଥ ମାସ ପାଇଁ ମୁଦ୍ରାସ୍ଫୀତି ୪ ପ୍ରତିଶତର ଲକ୍ଷ୍ୟଠାରୁ ଉପରେ ରହିଛି। ଯଦିଓ ସେପ୍‌ଟେମ୍ବରର ୫.୫୪ ପ୍ରତିଶତ ମୁଦ୍ରାସ୍ଫୀତି ଧାର୍ଯ୍ୟ ୬ ପ୍ରତିଶତର ସର୍ବୋଚ୍ଚ ସୀମା ଭିତରେ ରହିଛି, ତଥାପି ଏହାର ବୃଦ୍ଧି ମୂଲ୍ୟସ୍ଥିରତା ରକ୍ଷା କରିବା ଦିଗରେ ଆହ୍ୱାନ ସୃଷ୍ଟି କରିବାର ଆଶଙ୍କା ରହିଛି।

About The Author: Madhusudan Das