ରାଇରଙ୍ଗପୁର: ଆସନ୍ତା ଜୁନ ୧୯ ଏବଂ ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉଭୟ ଶୀର୍ଷ ନେତା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ଦଳୀୟ ସୂତ୍ରରୁ ଜଣାଯାଇଛି ।
ସୂଚନା ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ଦୁଇ ଦିନିଆ ଗସ୍ତରେ ଜୁନ ୧୯ ତାରିଖରେ ଓଡ଼ିଶା ଆସିପାରନ୍ତି । ରାଇରଙ୍ଗପୁର ଏବଂ ନିଜ ଶାଶୂଘର ଗାଁ ପାହାଡ଼ପୁରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ମୋଦୀ ଜୁନ ୨୦ ତାରିଖରେ ଓଡ଼ିଶା ଆସିବାର ସମ୍ଭାବନା ରହିଛି । ଏକ ସ୍ୱତନ୍ତ୍ର ବିମାନରେ ଆସିବା ପରେ ସେ ମଧ୍ୟ ହେଲିକପ୍ଟର ଯୋଗେ ରାଇରଙ୍ଗପୁର ଯିବେ । ଏହି ଗସ୍ତ ସମୟରେ ଉଭୟ ନେତା ମିଳିତ ଭାବେ ବିଭିନ୍ନ ନୂତନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଏଥିରେ ଏକ ନବନିର୍ମିତ ଷ୍ଟାଡିୟମ୍ ଏବଂ ବାମନଘାଟୀ ଉପଖଣ୍ଡର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସାମିଲ ରହିଛି। ଉଭୟ ଭିଭିଆଇପି ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି ।