ବାରିପଦା: ଭାରତ ରେଳ ଇତିହାସରେ ମଙ୍ଗଳବାର ଯୋଡିବ ନୂଆ ଅଧ୍ୟାୟ । ବାଦାମପାହାଡ଼, ରାଇରଙ୍ଗପୁର ଅଞ୍ଚଳର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରିବା ପରେ ପ୍ରଥମ ରାଷ୍ଟ୍ରପତି ଭାବେ ସାଧାରଣ ଲୋକଙ୍କ ସହିତ ଟ୍ରେନ ଯାତ୍ରା କରିବେ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ବାଦାମପାହାଡ଼ ରେଳ ଷ୍ଟେସନରୁ ୩ଟି ନୂତନ ଟ୍ରେନର ଶୁଭାରମ୍ଭ କରିବେ । ଶୁଭାରମ୍ଭ କରିବାକୁ ଥିବା ଟ୍ରେନଗୁଡ଼ିକ ହେଲା-ଶାଲିମାର-ବାଦାମପାହାଡ଼-ଶାଲିମାର(ଟ୍ରେନ୍ ସଂଖ୍ୟା-୧୮୦୪୯/୧୮୦୫୦, ସାପ୍ତାହିକ), ବାଦାମପାହାଡ଼-ରାଉରକେଲା-ବାଦାମପାହାଡ (ଟ୍ରେନ୍ ସଂଖ୍ୟା-୧୮୦୫୧/୧୮୦୫୨, ସାପ୍ତାହିକ) ଓ ଟାଟାନଗର-ବାଦାମପାହାଡ଼-ଟାଟାନଗର(ଟ୍ରେନ୍ ସଂଖ୍ୟା-୦୮୧୪୭/୦୮୧୪୮) ।
ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ସହିତ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଜନଜାତି ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ଉପସ୍ଥିତ ରହିବେ ବୋଲି ଦକ୍ଷିଣ-ପୂର୍ବ ରେଳର ଚକ୍ରଧରପୁର ମଣ୍ଡଳ ତରଫରୁ ସୂଚନା ଦିଆଯାଇଅଛି । ତିନୋଟି ଟ୍ରେନ ମଧ୍ୟରୁ ବାଦାମପାହାଡ-ଶାଲିମାର ଏକ୍ସପ୍ରେସ ଟ୍ରେନରେ ରାଷ୍ଟ୍ରପତି ବାଦାମପାହାଡରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ଯାତ୍ରା କରିବେ । ଏସି ଏସ-୧କୋଚରେ ୩୨ କି.ମି ବାଟ ଯାତ୍ରା କରିବେ । ତାଙ୍କ ସହିତ ଉପରୋକ୍ତ ଅତିଥି ଗଣ ଓ ବିଭିନ୍ନ ସ୍କୁଲର ୨ଶହ ଛାତ୍ରଛାତ୍ରୀ ଯାତ୍ରା କରିବେ ।
ସ୍ବତନ୍ତ୍ର ପ୍ରେସିଟେନ୍ସିଆଲ କୋଚ ବଦଳରେ ସାଧାରଣ ଏସି କୋଚରେ ଯାତ୍ରା କରି ସେ ନୂଆ ଇତିହାସ ରଚିବେ । ସେହିପରି ୧୯୩୨ମସିହାରୁ ବାଦାମପାହାଡକୁ ରେଳ ସଂଯୋଗ ହୋଇଥିଲେ ହେଁ କେବଳ ମାଲବାହୀ ଓ ପେସେଞ୍ଜର ଟ୍ରେନ ଚାଲୁଥିଲା । ୯୧ ବର୍ଷ ପରେ ମଙ୍ଗଳବାର ଗୋଟିଏ ଦିନରେ ୩ଟି ଏକ୍ସପ୍ରେସ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ମହାମହିମ । ଏହା ତାଙ୍କର ଦୀର୍ଘ ଦିନ ସ୍ବପ୍ନ ଥିବା ବେଳେ ପୂରଣ ହେବ । ଏଥିପାଇଁ ବାଦାମପାହାଡ ଓ ରାଇରଙ୍ଗପୁର ରେଳଷ୍ଟେସନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।