ଭୁବନେଶ୍ବର : ଦେଶର ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ। ୨ ଦିନିଆ ଓଡ଼ିଆ ଗସ୍ତରେ ଆସି ଆଜି ପୂର୍ବାହ୍ନ ୧୦ଟା୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ହେଲିକପ୍ଟରରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି। ଶ୍ରୀଜିଉଙ୍କ ଦର୍ଶନ ପରେ ପୁରୀ ରାଜଭବନ ଯାଇ ସେଠାରେ ମହାପ୍ରସାଦ ସେବନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଗଜପତି ମହାରାଜା, ପାଟରାଣୀ ଓ ନିଜର ଝିଅ-ଜ୍ବାଇଁଙ୍କ ସହ ମହାପ୍ରସାଦ ସେବନ କରିଥିଲେ। ସେଠାରେ କିଛି ସମୟ ବିଶ୍ରାମ ପରେ ରାଷ୍ଟ୍ରପତି ପୁଣିଥରେ ଭୁବନେଶ୍ବର ଫେରି ରାଜଧାନୀରେ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ବରପୁତ୍ର ତଥା ସଂଗ୍ରାମୀମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରି ସମ୍ମାନ ପ୍ରଦାନ କରିଥିଲେ।
ଏହାପରେ ମହାମହିମ ରାଷ୍ଟ୍ରପତିଙ୍କୁ ଭୁବନେଶ୍ବର ରାଜଭବନରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସଂଧ୍ୟାରେ ରାଜଭବନରେ ଆୟୋଜିତ ହୋଇଥିବା ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜ୍ୟବାସୀଙ୍କ ତରଫରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସମ୍ବୋଧନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ ନିଜ ମାଟିର ମୋହରେ ଭିନ୍ନତା ରହିଛି। ନିଜ ମାଟିର ଆକର୍ଷଣ ନିଆରା ମଧ୍ୟ। ନିଜ ମାଟି ‘ଓଡ଼ିଶା’କୁ ଆସି ମୁଁ ଆଜି ଆନନ୍ଦିତ।ରାଷ୍ଟ୍ରପତି ‘ଜୟ ଜଗନ୍ନାଥ’ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ, ରାଷ୍ଟ୍ରପତି ହେଲା ପରେ ଜନ୍ମମାଟିକୁ ପ୍ରଥମ ଆଗମନ କରିଛି। ଆପଣଙ୍କର ଶ୍ରଦ୍ଧା ଓ ଭଲ ପାଇବା ଅଭିଭୂତ କରିଛି। ଏପରି ଏକ ଭବ୍ୟ ଉତ୍ସବର ଆୟୋଜନ କରିଥିବାରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି।
ଭାରତର ମାଟି ଖାଣ୍ଟି ସୁନା, ଭାରତର ଜଳ ଜୀବନ । ଭାରତର ପବନ ପ୍ରାଣ ସ୍ପନ୍ଦନ । ଭାରତର ଶିଳା ଶାଳଗ୍ରାମ । ଭାରତର ପ୍ରତି ବୃକ୍ଷ କଳ୍ପବଟ ।ରାଷ୍ଟ୍ରପତି ହେବା ପରେ ନିଜ ମାଟିକୁ ଏହା ମୋର ପ୍ରଥମ ଆଗମନ । ଏଭଳି କିଛି ଶବ୍ଦରୁ ଭାଷଣ ଆରମ୍ଭ କରିଥିଲେ ମହାମହିମ ରାଷ୍ଟ୍ରପତି । ରାଜଭବନରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ କହିଥିଲେ- ଆପଣଙ୍କ ସ୍ନେହ , ଶ୍ରଦ୍ଧା ମୋତେ ଅଭିଭୁତ କରିଛି । ଆଜି ପୁରୀ ଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛି । ବିଶ୍ୱବାସୀଙ୍କ ମଙ୍ଗଳ ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛି । ଦାତା ପଣରେ ଜଗନ୍ନାଥଙ୍କ ସରି କେହି ନାହାଁନ୍ତି । ପୁରୀର ଏଏସଆଇର ସର୍କଲ ଅଫିସ ଖୋଲା ଯାଇଥିବାରୁ ମୁଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ଭାରତର ପ୍ରତି ପ୍ରଦେଶ ମୋତେ ଆଉଣାଇଛି ।
ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁଙ୍କ ଆଦର୍ଶ ମୋତେ ଅନୁପ୍ରାଣିତ କରିଛି । ଯେଉଁଠି ଥିଲେ ମଧ୍ୟ ନିଜ ମାଟିର ମହକରେ ଭିନ୍ନତା ରହିଛି । ତଥାପି ନିଜ ଅଞ୍ଚଳର ଦିଗ ଦିଗନ୍ତ୍ରର ସୌନ୍ଦର୍ଯ୍ୟ ନିଆରା । ଓଡ଼ିଶା ଆସି ମୁଁ ଅତ୍ୟନ୍ତ ଆନନ୍ଦିତ । ଭାରତ ବର୍ଷର ଭୂଗୋଳ ଓ ଇତିହାସଲେର ଓଡିଶା ନିଜର ସ୍ୱତନ୍ତ୍ର ସ୍ଥାନ ବତଜାୟ ରଖିଛି । ଚିଲିକା ପରି ହ୍ରଦ, ଶିମିଳିପାଳ ପରି ଜୈବ ବିବିଧତା ଓ ଭିତରକନିକା ପରି ଜାତୀୟ ଉଦ୍ୟାନ ଆମ ପାଖରେ ରହିଛି । ଓଡିଶାର ଗୌରବମୟ ଇତିହାସ ଓ ସଂସ୍କୃତି ଭାରତକୁ ମହାନ କରିଛି । ଓଡିଶା ମାଟିରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଛନ୍ତି ।
ପରାକ୍ରମୀ ସମ୍ରାଟ ଖାରବେଳ ଅହିଂସାର ପୂଜାରୀ ଥିଲେ । ଭାରତ ବର୍ଷର ନୌବାଣିଜ୍ୟରେ ଓଡିଶାର ଦାନ ଅପୂରଣୀୟ । ଓଡିଶା ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ । ଇତିହାସକାର କୁହନ୍ତି ୧୮୧୭ ମସିହାରେ ପ୍ରଥମ ବ୍ରିଟିସ ବିରୋଧି ଆନ୍ଦୋଳନ ଓଡିଶାରୁ ସୃଷ୍ଟି ହୋଇଥିଲା । ଭାରତର ସଂଗ୍ରାମୀ ଇତିହାସରେ ଓଡିଶାର ଅବଦାନ ବନ୍ଦନୀୟ । ରମାଦେବୀ , ସାରଳାଦେବୀ, ମାଳତୀ ଦେବୀଙ୍କ ଭଳି ନାରୀ ନେତ୍ରୀ ଓଡିଶାରୁ ସୃଷ୍ଟି ହୋଇଥିଲେ । ଓଡିଶାରେ ଲବଣ ସତ୍ୟାଗ୍ରହ, ଭାରତଛାଡ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା । ଭଦ୍ରକର ଇରମରେ ଦ୍ୱିତୀୟ ଜାଲିୱାନାବାଗ ହତ୍ୟା କାଣ୍ଡ ଘଟିଥିଲା । ଦେଶୀୟ ରାଜ୍ୟ ମିଶ୍ରଣରେ ଓଡିଶାର ଅବଦାନ ସର୍ବାଗ୍ରେ । ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଭୂମିକା ଯୋଗୁଁ ଓଡିଶାରେ ଦେଶୀୟ ରାଜ୍ୟ ମିଶ୍ରଣ ସମ୍ଭବ ପର ହୋଇପାରିଥିଲା । ଓଡିଶାରୁ ଆରମ୍ଭ ହେଉ ଭାରତର ପ୍ରଗତୀ ।
ବିକାଶର ସୁଫଳ ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ପହଁଚିବା ଦରକାର । ସମାଜର ଶେଷ ଧାଡିରେ ଠିଆ ହୋଇଥିବା ଲୋକ ପାଖରେ ଯୋଜନା ପହଁଚିବା ଦରକାର । ରାଜ୍ୟ ଗୁଡିକରେ ବିକାଶରେ ଭାରତର ବିକାଶ । ତେଣୁ ଏହି ବିକାଶ ପକ୍ରିୟା ଓଡିଶାରୁ ଆରମ୍ଭ ହଉ ବୋଲି କାମନା କରିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଭାରତର ୮ଟି ଶାସ୍ତ୍ରୀୟ ସଂଗୀତ ମଧ୍ୟରୁ ଓଡ଼ିଶୀ ଅନ୍ୟତମ। ସେହିପରି ଦେଶର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡ଼ିଆ ଅନ୍ୟତମ। ଓଡ଼ିଶାର ଆଞ୍ଚଳିକ ଗୀତ ଦେଶର ନୃତ୍ୟକୁ ମଧ୍ୟ ସମୃଦ୍ଧ କରିଛି। ଭାରତର ଭାସ୍କର୍ୟ୍ୟକୁ ଓଡ଼ିଶାର ଅବଦାନ ଉଲ୍ଲେଖନୀୟ। ଓଡ଼ିଶା ଆଉ ୧୪ ବର୍ଷ ପରେ ଶତବାର୍ଷିକ ପାଳନ କରିବ। ତେଣୁ ଏହି ସମୟ ଗୁରୁତ୍ବପୂର୍ଣ୍ଣ।ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ କହିଥିଲେ, ଏହା ହେଉଛି ଓଡ଼ିଶା ମାଟି। ଏହି ମାଟିରେ ଆପଣଙ୍କର ଜନ୍ମ। ଆପଣ ବାରମ୍ବାର ଓଡ଼ିଶା ମାଟିକୁ ଆସନ୍ତୁ ଏହା ଆମର ଆଶା। ସ୍ବାଗତ ଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଏ ମାଟିର କନ୍ୟା ଆମ ସମସ୍ତରଙ୍କର ପ୍ରିୟ ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ସ୍ବାଗତ କରୁଛି। ପ୍ରଥମ ଓଡ଼ିଆ ଝିଅ ଓ ଜନଜାତି ସଂପ୍ରଦାୟରୁ ରାଷ୍ଟ୍ରପତି ହୋଇ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି। ଏଥି ପାଇଁ ଆମେ ଗର୍ବ ଅନୁଭବ କରୁଛେ। ରାଷ୍ଟ୍ରପତି ହେଲା ପରେ ସେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଛନ୍ତି। ରାଜ୍ୟବାସୀ ଏଥି ପାଇଁ ବହୁତ ଖୁସି ଅନୁଭବ କରୁଛନ୍ତି। ରାଇରଂଗପୁରରୁ ରାଇସିନା ହିଲ ପହଞ୍ଚିଛନ୍ତି। ସ୍ବପ୍ନକୁ ବଡ଼ କରିଛନ୍ତି। ଶିକ୍ଷାର ଆରମ୍ଭରୁ ବହୁତ ସଂଘର୍ଷ କରିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଶୁଭେଚ୍ଛା ଆପଣଙ୍କର ସହିତ ରହିଛି। ମୁଁ ଆପଣଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ସ୍ବାଗତ କରୁଛି।
ସମାରୋହରେ ରାଷ୍ଟ୍ରପତିଙ୍କୁ ବିଭିନ୍ନ ବର୍ଗ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜ୍ୟପାଳ ଗଣେଶୀ ଲାଲ ବୋଇତ ବନ୍ଦାଣର ସ୍ମାରକୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଣାର୍କ ଚକ୍ର, ଧର୍ମେନ୍ଦ୍ର ପ୍ରଧାନ ଡୋକ୍ରା ଆଦିବାସୀ ନୃତ୍ୟର ସ୍ମାରକୀ, ମୁଖ୍ୟ ବିଚାରପତି ଏସ୍ ମୁରଲୀଧରନ ସ୍ବତନ୍ତ୍ର ଉପହାର ଦେଇ ସମ୍ବର୍ଦ୍ଧନା ଦେଇଥିଲେ। ସେହିପରି ବାଚସ୍ପତି ବିକ୍ରମ କେଶରୀ ଆରୁଖ ‘ସଉରା ଚିତ୍ରକଳା’, ବିଏମସି ମେୟର ସୁଲୋଚନା ଦାସ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଆଦିବାସୀ ନେତା ବିନୟ କୁମାର ଟପ୍ପୋ, ମାଣ୍ଡିଆ ଚାଷୀ ଶ୍ରୀମତୀ ସୁବାସ ମହାନ୍ତ, ସୁସାହିତ୍ୟିକା ଡା. ପ୍ରତିଭା ରାୟ, ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ପୂର୍ଣ୍ଣିମା କିଞ୍ଚାଇ, ପଦ୍ମଭୂଷଣ ସୁଦର୍ଶନ ସାହୁ, ପଦ୍ମଶ୍ରୀ ଦିଲୀପ ତିର୍କୀ, ଡା. ଅଶୋକ କୁମାର ମହାପାତ୍ର, ପଦ୍ମଶ୍ରୀ ହଳଧର ନାଗ, ସମ୍ବଲପୁରୀ ବାନ୍ଧକଳା ଶିଳ୍ପୀ ସୁରେନ୍ଦ୍ର ମେହେର, ଓଡ଼ିଶୀ ନୃତ୍ୟ ଶିଳ୍ପୀ ଅରୁଣା ମହାନ୍ତି, ଉର୍ଦ୍ଦୁ କବି ଖୱାର ନକ୍ଭୀ, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଈଶ୍ବର ଚନ୍ଦ୍ର ନାୟକ ଓ ଫ୍ଲୋରେନ୍ସ ନାଇଟ୍ ଏଙ୍ଗେଲ ପୁରସ୍କାର ପ୍ରାପ୍ତ ପ୍ରେମଲତା ବାରିକ ମଧ୍ୟ ରାଷ୍ଟ୍ରପତିଙ୍କୁ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ।