ଆଜି ମୟୂରଭଞ୍ଜ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଗୁରୁବାର ପହଞ୍ଚିବେ। ମେ ୪ରୁ ୬ ତାରିଖ ପର୍ଯ୍ୟନ୍ତ ରାଇରଙ୍ଗପୁର, ପାହାଡପୁର, ଶିମିଳିପାଳ ଓ ବାରିପଦାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦୀର୍ଘ ୧୧ମାସ ପରେ ପ୍ରଥମ ଥର ନିଜ ଜନ୍ମମାଟିକୁ ଆସିବାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଗୁରୁବାର ଶାଶୂଘର ଗ୍ରାମ ପାହାଡପୁର, ରାଇରଙ୍ଗପୁରରେ […]

ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଗୁରୁବାର ପହଞ୍ଚିବେ। ମେ ୪ରୁ ୬ ତାରିଖ ପର୍ଯ୍ୟନ୍ତ ରାଇରଙ୍ଗପୁର, ପାହାଡପୁର, ଶିମିଳିପାଳ ଓ ବାରିପଦାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦୀର୍ଘ ୧୧ମାସ ପରେ ପ୍ରଥମ ଥର ନିଜ ଜନ୍ମମାଟିକୁ ଆସିବାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଗୁରୁବାର ଶାଶୂଘର ଗ୍ରାମ ପାହାଡପୁର, ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବାଦାମପାହାଡ, ଦାଣ୍ଡବୋଷରେ ୨ଟି ହେଲିପ୍ୟାଡ ନିର୍ମାଣ କରାଯାଇଛି। ବାଦାମପାହାଡ ଓ ରାଇରଙ୍ଗପୁର ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ତେବେ ସମସ୍ତ କାର୍ଯ୍ୟ ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ପୂର୍ବାଞ୍ଚଳ ଡିଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ବୀନିତ ଭରଦ୍ୱାଜ ଓ ଏସପି ଋଷିକେଶ ଦ୍ୟାନଦେଓ ଖିଲାରୀ ରାଇରଙ୍ଗପୁରରେ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି। ରାଷ୍ଟ୍ରପତିଙ୍କ ସଚିବାଳୟର ସୂଚନା ମୁତାବକ, ୪ ତାରିଖ ଗୁରୁବାର ସକାଳ ୭ଟାରେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନରୁ ବାହାରି ପାଲାମ ଏୟାରପୋର୍ଟରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ପଶ୍ଚିମବଙ୍ଗର କୋଲେଇକୁଣ୍ଡା ଏୟାରପୋର୍ଟରେ ଅବତରଣ କରିବେ। ପରେ ସେଠାରୁ ଏକ ସ୍ୱତନ୍ତ୍ର ଆଇଏଏଫ ଏମଆଇ-୧୭ ହେଲିକେପ୍ଟରରେ ବାହାରି ୧୦ଟା ୧୫ରେ ବାଦାମପାହାଡ ହେଲିପ୍ୟାଡରେ ଅବତରଣ କରିବେ।
ସେଠାରୁ ସେ ସ୍ୱତନ୍ତ୍ର କାର ଯୋଗେ ଶାଶୂଘର ପାହାଡପୁରରେ ପହଞ୍ଚିବା ପରେ ସ୍ୱାମୀ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗୋଷାଣି ଯିବେ।

ପରେ ନାବାର୍ଡ ଦ୍ୱାରା ନିର୍ମାଣ କରାଯିବାକୁ ଥିବା ଏସ୍‌‌ଏଲ୍‌‌ଏସ ଟ୍ରଷ୍ଟ ସ୍କୁଲରେ ଏକ କମ୍ୟୁନିଟି କେନ୍ଦ୍ର ଓ ଏଲ୍‌‌ଆଣ୍ଡଟି କମ୍ପାନୀ ପକ୍ଷରୁ ଏକ କୌଶଳ ଦକ୍ଷତା କେନ୍ଦ୍ରର ଶିଳାନ୍ୟାସ କରିବେ। ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସହିତ ସମୟ ବିତାଇବେ। ପୂର୍ବାହ୍ନ ୧୨ଟା ୩୦ମିନିଟରେ ବାହାରି ହାଟବାଦଡା ସ୍ଥିତ ସାତପଉଟିଆରେ ଥିବା ବ୍ରହ୍ମକୁମାରୀ କେନ୍ଦ୍ରକୁ ଯାଇ ନିଶାମୁକ୍ତ ଓଡ଼ିଶା ପ୍ରଚାର କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ଦିନ ୧ଟାରେ ବାହାରି ରାଇରଙ୍ଗପୁର ସ୍ଥିତ ବଙ୍ଗଳାରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ନେବା ପରେ ଅପରାହ୍ନ ୪ଟାରେ ବାହାରି ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ୪ଟା୨୫ରେ ବଡ଼ବନ୍ଧଠାରେ ଶହେ ଫୁଟର ଏକ ଜାତୀୟ ପତାକାକୁ ଉଡାଇବେ ଓ ୪ଟା ୩୫ରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ।

ପରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଫିସ ପରିଦର୍ଶନ କରି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହା ପରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ପକ୍ଷରୁ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ମହୁଲଡିହା ବଙ୍ଗଳାରେ ପହଞ୍ଚି ସନ୍ଧ୍ୟା ୬ଟା୩୦ରୁ ୭ଟା ୩୦ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବଙ୍ଗଳାରେ ରାତ୍ରିଯାପନ କରିବେ। ୫ ତାରିଖ ସକାଳ ୭ଟା ୫୫ ମିନିଟରେ ବାହାରି ରାଇରଙ୍ଗପୁର ବାସଭବନରେ ପହଞ୍ଚିବା ପରେ ୮ଟା ୪୦ରେ ଦାଣ୍ଡବୋଷ ହେଲିପ୍ୟାଡକୁ ଯାଇ ଜନ୍ମମାଟିରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସେଠାରୁ ୯ଟା ୧୫ରେ ହେଲିକପ୍ଟର ଯୋଗେ ବାହାରି ଦିନ ୧୦ଟାରେ ଯଶିପୁର ନିକଟ ଛେଳିଗୋଦଳୀ ହେଲିପ୍ୟାଡରେ ଅବତରଣ କରିବେ।

ପରେ ସ୍ୱତନ୍ତ୍ର ଗାଡିରେ ସଡ଼କ ପଥରେ ଶିମିଳିପାଳ ଭିତରକୁ ବୁଲିବାକୁ ଯାଇ ଚହଲାରେ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ୨ଟା ୩୦ରେ ବାହାରି ବାରିପଦା ଅଭିମୁଖେ ଯାତ୍ରା କରିବେ। ୫ଟା୨୫ରେ ବାରିପଦାର ରାଣୀବନ୍ଧ ହେଲିପ୍ୟାଡରେ ପହଞ୍ଚି ପରେ ସର୍କିଟ ହାଉସ୍‌‌ରେ ରହିବେ। ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବା ପରେ ରାତ୍ରିଯାପନ କରିବେ। ତହିଁ ପରଦିନ ଅର୍ଥାତ୍‌‌ ୬ ତାରିଖ ସକାଳ ୯ଟା୪୦ରେ ବାହାରି ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପହଞ୍ଚି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ୧୦ଟା ୧୫ରୁ ୧୧ଟା ପର୍ଯ୍ୟନ୍ତ ପିଭିଟିଜିଏସ ପରେ ୧୧ଟା ୧୫ରୁ ୧୨ଟା ୧୫ପର୍ଯ୍ୟନ୍ତ ୧୨ତମ ସମାବର୍ତ୍ତନ ଉତ୍ସବର ମୁଖ୍ୟଅତିଥି ଭାବେ ସଭାରେ ଉଦ୍‌‌ବୋଧନ ଦେବେ।

About The Author: The Sakala