ଭୁବନେଶ୍ୱର: ସାଧାରଣ ଓ ବିଧାନସଭା ନିର୍ବାଚନ ବିଜ୍ଞପ୍ତି ଆଉ ମାତ୍ର କେଇମାସ ବାକି । ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନରୁ ଜାତୀୟ ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି କ୍ରମରେ ଓଡ଼ିଶାରେ ବି ରାଜନୀତି କ୍ରମଶଃ ଉଷ୍ଣ ହେବାରେ ଲାଗିଛି । ହେମନ୍ତର ପହିଲି ଶୀତରୁ ରାଜନୀତିର ଉଷ୍ଣ ପାରଦ ଉପରକୁ ଉଠିବ ବୋଲି ଆଶା କରାଯାଉଛି । ରାଜ୍ୟରେ ଶାସକ ବିଜେଡି ସହ ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜ ସ୍ତରରେ ସାଂଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ତୃଣମୂଳସ୍ତରରେ ସଙ୍ଗଠନକୁ ଦୃଢ଼ କରି ବିଜେଡି ଆଗାମୀ ନିର୍ବାଚନରେ ଏକ ପ୍ରଚଣ୍ଡ ବିଜୟ ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ନିଜ ସ୍ଥିତି ସୁଧାରିବାକୁ ବିଜେପି ଓ କଂଗ୍ରେସ ମଧ୍ୟ ପ୍ରୟାସ ଆରମ୍ଭ କରିଛନ୍ତି । ଏ କ୍ଷେତ୍ରରେ ବିଜୁ ଜନତା ଦଳ ଢେ଼ର ଆଗରେ ରହିଛି । ଅକ୍ଟୋବର ୨ରୁ ବ୍ଲକ୍ରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ, ଜିଲ୍ଲା ଓ ରାଜ୍ୟସ୍ତରରେ ଜନସମ୍ପର୍କ ପଦଯାତ୍ରା କରାଯାଉଛି । ଅନୁରୂପ ଭାବରେ ପ୍ରତ୍ୟେକ ପଞ୍ଚାୟତରୁ ମନୋନୀତ କର୍ମୀ ଓ କର୍ମକର୍ତ୍ତାଙ୍କୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତାଲିମପ୍ରାପ୍ତ ମାଷ୍ଟର ଟ୍ରେନରମାନେ ନିଜ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପରିଷଦ ଜୋନ୍ରେ ୨୯ ତାରିଖରୁ ତାଲିମ ପ୍ରଦାନ କରିବେ ।
ଦୁଇ ଦଶନ୍ଧିରୁ ଊଦ୍ଧ୍ୱର୍କାଳ ରାଜ୍ୟରେ କ୍ଷମତାସୀନ ବିଜେଡି ସର୍ବଦା ନିର୍ବାଚନ ନିମନ୍ତେ ପ୍ରସ୍ତୁତ ରହିଥାଏ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବରେ ଅଧିଷ୍ଠିତ କରିବା ପାଇଁ ଦଳ ଆଗାମୀ ଦିନ ପାଇଁ ଅତ୍ୟନ୍ତ ଯୋଜନାବଦ୍ଧ ଭାବରେ କାର୍ଯ୍ୟ ଆରମ୍ଭ କରିଛି । ସାଂଗଠନିକ ପୁନଃର୍ଗଠନ ପ୍ରକ୍ରିୟା ଶେଷ କରାଯିବା ସହ ଦଳର ଛାମୁଆ ସଂଗଠନର ନବକଳେବର କରାଯାଇଛି । ଭୋଟ ସଂଖ୍ୟାକୁ ଦେଢ଼ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟଭେଦୀ ଯୋଜନା ପ୍ରସ୍ତୁତ କରାଯିବା ସହ ଗତ ନିର୍ବାଚନରେ ହରାଇଥିବା ବିଧାନସଭା ଓ ଲୋକସଭା ଆସନ ଦଖଲ ପାଇଁ ଅଭେଦ୍ୟ ରଣନୀତିର ନକ୍ସା ଆଙ୍କିଛନ୍ତି ଦଳର ନେତା ।
ଅପରପକ୍ଷେ ଦଳରେ ଥିବା ଗୋଷ୍ଠୀକନ୍ଦଳ ଓ ଦୁର୍ବଳ ସାଙ୍ଗଠନିକ ସ୍ଥିତିକୁ ସୁଧାରିବାକୁ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ଉପରେ ଭରସା କରିଛି । ଆଗାମୀ ମାସରେ ଦଳର ଦୁଇ ଜାତୀୟ ନେତାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । କିଛି ସପ୍ତାହ ତଳେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଅନ୍ୟତମ ଶୀର୍ଷ ନେତା ଅମିତ୍ ଶାହା ଓଡ଼ିଶା ଗସ୍ତରେ ଦଳୀୟ ନେତାଙ୍କୁ ବିଭିନ୍ନ ଟାସ୍କ ଦେଇଥିଲେ । ଗତ ସାଧାରଣ ନିର୍ବାଚନରେ ଯେଉଁ ଲୋକସଭା କ୍ଷେତ୍ରରେ ବିଜେପିର ବିଜୟ ହୋଇଥିଲା ସେଠାରେ ଅନ୍ୟୂନ ୧୦୦ ବୁଥ ଏବଂ ସବୁ ବିଧାନସଭା କ୍ଷେତ୍ରର ସର୍ବନିମ୍ନ ୨୫ଟି ବୁଥ୍କୁ ଦୃଢ଼ୀକରଣ କରିବାକୁ ଦେଇଥିବା ଦାୟିତ୍ୱର ସମୀକ୍ଷା କରିବାକୁ ଖୁବ୍ ଶୀଘ୍ର ସେ ପୁଣି ଓଡ଼ିଶା ଗସ୍ତରେ ଆସିବେ ବୋଲି ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି । ମାତ୍ର ଆଗାମୀ ମାସରେ ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲଙ୍ଗାନା ଆଦି ରାଜ୍ୟର ନିର୍ବାଚନ ଥିବାରୁ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ସଙ୍ଗଠନ ଉପରେ ଗୁରୁତ୍ୱ ଦେବାକୁ ସମୟ ପାଇବେ ସେ ବିଶ୍ୱାସ ହେଉନାହିଁ ।
ଏହି ପରିପ୍ରେକ୍ଷୀରେ ରାଜ୍ୟରେ ନିଜର ଶେଷ ଯୁଦ୍ଧ ପାଇଁ ‘କର ବା ମର’ ନୀତିରେ ରାଜ୍ୟ କଂଗ୍ରେସ କାର୍ଯ୍ୟ କରିବ ଓ ଦଳୀୟ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବାକୁ ଅଣ୍ଟା ଭିଡ଼ିଛି । ଆଗାମୀ ଦିନରେ ଅନୁଷ୍ଠିତ ହେବାକୁଥିବା ୫ଟି ରାଜ୍ୟର ବିଧାନସଭା ଫଳାଫଳ ରାଜ୍ୟ ସଙ୍ଗଠନର ପୁନର୍ବିନ୍ୟାସ ପରୋକ୍ଷରେ ନିର୍ଭର କରୁଛି । ପୁନଶ୍ଚ ରାଜ୍ୟରେ କଂଗ୍ରେସରେ ଯେପରି ନେତୃତ୍ୱକୁ ନେଇ ବିବାଦ ଦିନକୁ ଦିନ ବୃଦ୍ଧି ପାଉଛି ତାହା ଦଳ ପାଇଁ ଘାତକ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି କରିଛି । ଅନୁରୂପ ଭାବରେ କେନ୍ଦ୍ରୀୟ ନେତୃତ୍ୱ ଉପରେ ବିଜେପି ଭରସା କରିବା ପରି କଂଗ୍ରେସ ମଧ୍ୟ ସଙ୍ଗଠନକୁ ସକ୍ରିୟ କରିବା ଲାଗି ରାହୁଳ ଓ ପ୍ରିୟଙ୍କାଙ୍କ ଓଡ଼ିଶା ଗସ୍ତକୁ ଚାହିଁ ବସିଛି । ଏହି ପରିପ୍ରେକ୍ଷୀରେ ଦଶହରା ପରେ ତିନି ଦଳ ନିଜନିଜର ଆଭିମୁଖ୍ୟ ଓ ଦୃଷ୍ଟିଭଙ୍ଗୀକୁ ନେଇ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ବୋଲି ସୂଚନା ମିଳିଛି । ତେଣୁ କିଛିଦିନର ବ୍ୟବଧାନ ପରେ ରାଜ୍ୟ ରାଜନୀତିରେ ପ୍ରତ୍ୟହ ନୂଆ ନୂଆ ଘଟଣାବଳୀ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ତଥ୍ୟାଭିଜ୍ଞମାନେ ମନେ କରୁଛନ୍ତି ।