ଭୁବନେଶ୍ୱର: ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା। ଏଥିପାଇଁ ରାଜଧାନୀର ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଭିନ୍ନ ଡିଜାଇନ୍ର ତୋରଣ ତଥା ଆଖିଝଲସା ସାଜସଜ୍ଜା ଉପରେ ସବୁ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ଗୁରୁତ୍ୱ ଦେଉଥିବା ବେଳେ ସହିଦ ନଗର ପୂଜା ମଣ୍ଡପ ପକ୍ଷରୁ ମଧ୍ୟ ଏଥର ଆକର୍ଷଣ ପାଲଟିବ କାଳ୍ପନିକ ତୋରଣ। ଚଳିତ ବର୍ଷ ୪୫ ବର୍ଷରେ ପଦାର୍ପଣ କରିଥିବା ଏହି ପୁରୁଣା ପୂଜା କମିଟି ଏଥର ୮୦ଫୁଟ୍ ଉଚ୍ଚତା ଓ ୧୨୦ଫୁଟ୍ ଓସାରର ଏକ କାଳ୍ପନିକ ତୋରଣ ନିର୍ମାଣ କରୁଛନ୍ତି। ଯେଉଁଥିରେ ଲାଗିଛନ୍ତି ୫୦ରୁ ଊର୍ଦ୍ଧ୍ବ କାରିଗର। ଗଣେଶ ଚତୁର୍ଥୀରୁ ଏହି ତୋରଣ କାମ ଆରମ୍ଭ ହୋଇଛି। ମୂର୍ତ୍ତିର ଉଚ୍ଚତା ୧୨ ଫୁଟ୍ ହୋଇଥିବା ବେଳେ ଏହାକୁ ନିର୍ମାଣ କରୁଛନ୍ତି କଟକର କାରିଗରମାନେ।
ପ୍ରତିଥର ଭଳି ଏଥର ମଧ୍ୟ ଇକୋଫ୍ରେଣ୍ଡ୍ଲି ମୂର୍ତ୍ତି ନିର୍ମାଣ କରାଯାଉଛି। ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ରଙ୍ଗ ବ୍ୟବହାର ହୋଇଥିବା ସହ ସମ୍ପୂର୍ଣ୍ଣ ତୋରଣଟି ମଧ୍ୟ ବାଉଁଶରେ ନିର୍ମାଣ କରାଯାଉଛି। ଚାନ୍ଦି ମେଢ଼, ସୁନା ମୁକୁଟ ସାଙ୍ଗକୁ ଓ ସୁନା ଓ ରୁପା ଅଳଙ୍କାରରେ ସଜ୍ଜିତ ହେବ ମା’। ସବୁ ପୂଜା ସାମଗ୍ରୀ ଠାରୁ ଆରମ୍ଭ କରି ପୂଜା ଉପଚାର, ଭୋଗ, ଅତି ନିଷ୍ଠାପରତା ସହିତ ହେବ ବୋଲି ସମିତି ପକ୍ଷରୁ କୁହାଯାଇଛି। ସେହିପରି ଚଳିତ ବର୍ଷ ମଧ୍ୟ ଆଲୋକ ସାଜସଜ୍ଜାକୁ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ କୋଲକାତାରୁ ଲାଇଟ୍ ଡେକୋରର୍ ଅଣାଯାଇଛି। ଆଖିଦୃଶିଆ ତୋରଣ ନିର୍ମାଣ ସାଙ୍ଗକୁ ରଙ୍ଗବେରଙ୍ଗର ଲାଇଟ୍ରେ ଝଲସିବ ରାସ୍ତା।
ଏହାସହିତ ଷଷ୍ଠୀ ଠାରୁ ଆରମ୍ଭ କରି ଦଶମୀ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ପ୍ରତି ସନ୍ଧ୍ୟାରେ ଭଜନ ପରିବେଷଣ ହେବ। ପୂଜା ମଣ୍ଡପ ପରିସରରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ମୀନାବଜାର ଓ ରାମଦୋଳି, ପିଲାମାନଙ୍କ ଖେଳକୁଦ ପାଇଁ ସୁବିଧା ରହିବ। ଷଷ୍ଠୀରେ କଳସଯାତ୍ରା ଅନୁଷ୍ଠିତ ହେବ। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ ରକମର ପିଠାପଣା ମା’ଙ୍କ ପାଖରେ ଅର୍ପଣ କରାଯିବ। ମଣ୍ଡା ପିଠା, ଆରିସା ପିଠା, ଆଦି ୧୦-୧୨ ପ୍ରକାରର ପିଠା ଓ ମୁଆଁ ଭୋଗ ଲାଗି ହେବ। ଏହାସହିତ ମା’ଙ୍କ ପାଖରେ ଅନ୍ନ ଓ ଦହି ପଖାଳ ଲାଗି କରାଯିବ। ତେବେ ଚଳିତ ବର୍ଷ ପୂଜା ବଜେଟ୍ ୩୦ରୁ ୪୦ଲକ୍ଷ ରହିଥିବା ସମିତି ପକ୍ଷରୁ କୁହାଯାଇଛି।
ଆୟୋଜକଙ୍କ ମୁହଁରୁ..
ଚଳିତବର୍ଷ ପୂଜା ପାଇଁ ପ୍ରତିବର୍ଷ ଭସାଣ ଉତ୍ସବରେ ପାରମ୍ପରିକ ବାଦ୍ୟଯନ୍ତ୍ର ସମେତ ମହାରାଷ୍ଟ୍ରର ନାସିକ୍ ଢୋଲ ସାମିଲ କରାଯିବ। ଭସାଣ ଉତ୍ସବରେ କିଭଳି ଶାନ୍ତି ଶୃଙ୍ଖଳା ଭାବେ ଶେଷ କରାଯିବ ସେଥିପ୍ରତି ସମିତିର ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ନିୟନ୍ତ୍ରଣ କରିବେ। ଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ହେମନ୍ତ କୁମାର ପରିଡ଼ା, ସଭାପତି
ପ୍ରତିବର୍ଷ ଭଳି ଏଥର ମଧ୍ୟ ମହିଳା, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭକ୍ତଙ୍କ ସୁରକ୍ଷିତ ଓ ସହଜ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା ରହିଛି। ସେହିପରି ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ୩୦ରୁ ଊର୍ଦ୍ଧ୍ବ ସ୍ୱେଚ୍ଛାସେବୀଙ୍କ ସମେତ ପୁଲିସ କର୍ମଚାରୀ, ଅଗ୍ନିଶମ କର୍ମଚାରୀ ଉପସ୍ଥିତ ରହିବେ। ଲୋକଙ୍କୁ ପିଇବା ପାଣିର ସୁବିଧା ଯୋଗାଇ ଦିଆଯିବ। ପ୍ରତିଦିନ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ରହିଛି। ଏହାସହ ପୂଜା ପରିସରକୁ ସ୍ୱଚ୍ଛ ଓ ପରିଷ୍କାର ରଖାଯିବାକୁ ଗୁରୁତ୍ୱ ଦିଆଯିବ।
ସଚ୍ଚିଦାନନ୍ଦ ନାୟକ, ସମ୍ପାଦକ