ଘରୋଇ ସ୍କୁଲ୍‌ରେ ପଢିବେ ଗରିବ ପିଲା : ସମସ୍ତ ପ୍ରାଇଭେଟ୍ ସ୍କୁଲରେ ସଂରକ୍ଷିତ ରହିବ ୨୫% ସିଟ୍‌

ଭୁବନେଶ୍ୱର : ଏଣିକି ଘରୋଇ ସ୍କୁଲଗୁଡ଼ିକରେ ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ। ଏନେଇ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପ୍ରତି ଘରୋଇ ବିଦ୍ୟାଳୟର ସିଓଆର ଯାଞ୍ଚ କଡ଼ାକଡ଼ି ସହିତ ସଂରକ୍ଷିତ ସିଟ୍‌ରେ  ନାମଲେଖା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାଥମିକ ସ୍ତରରେ ଏହାର କଡ଼ାକଡ଼ି ପାଳନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛି। […]

ଭୁବନେଶ୍ୱର : ଏଣିକି ଘରୋଇ ସ୍କୁଲଗୁଡ଼ିକରେ ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ। ଏନେଇ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପ୍ରତି ଘରୋଇ ବିଦ୍ୟାଳୟର ସିଓଆର ଯାଞ୍ଚ କଡ଼ାକଡ଼ି ସହିତ ସଂରକ୍ଷିତ ସିଟ୍‌ରେ  ନାମଲେଖା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାଥମିକ ସ୍ତରରେ ଏହାର କଡ଼ାକଡ଼ି ପାଳନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛି।

ତେବେ ଛାତ୍ରଛାତ୍ରୀ ଚୟନ ଓ ଅନ୍ୟାନ୍ୟ ପ୍ରକ୍ରିୟା ପାଇଁ ନିର୍ଦ୍ଧାରିତ ତାରିଖ ସୂଚୀ ମଧ୍ୟ ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ବିଦ୍ୟାଳୟଗୁଡ଼ିକ ଅନଲାଇନ ପୋର୍ଟାଲରେ ଫେବ୍ରୁଆରୀ ୨୦ରୁ ୨୮ ତାରିଖ ମଧ୍ୟରେ ପଞ୍ଜୀକରଣ କରିବାକୁ ଥିବା ବେଳେ ଛାତ୍ରଛାତ୍ରୀ ମାର୍ଚ୍ଚ ୧ରୁ ୧୫ ମଧ୍ୟରେ ପଞ୍ଜିକରଣ ହେବ। ମାର୍ଚ୍ଚ ୧୬ରୁ ୨୬ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରଥମ ରାଉଣ୍ଡ କାଗଜପତ୍ର ଯାଞ୍ଚ କରାଯିବ। ମାର୍ଚ୍ଚ ୩୦ରେ ପ୍ରଥମ ପର୍ଯ୍ୟାୟ ଅନଲାଇନ ଲଟେରୀ ସହିତ ସ୍କୁଲ ଅଲଟମେଣ୍ଟ ପ୍ରକ୍ରିୟା ହେବ। ତେବେ ଅପ୍ରେଲ ୩ରୁ ୧୨ ତାରିଖ ମଧ୍ୟରେ ସ୍କୁଲଗୁଡିକରେ ଛାତ୍ରଛାତ୍ରୀଙ୍କ ପ୍ରଥମ ପର୍ଯ୍ୟାୟ ନାମଲେଖା ନାମଲେଖା ଅନୁଷ୍ଠିତ ହେବ।

ସେହିପରି ଅପ୍ରେଲ ୧୫ରୁ ୨୦ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜିକରଣ ହେବାକୁ ଥିବାବେଳେ ଅପ୍ରେଲ ୨୨ରୁ ୨୪ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାଗଜପତ୍ର ଯାଞ୍ଚ କରାଯିବ। ଅପ୍ରେଲ ୨୬ରେ ପ୍ରଥମ ରାଉଣ୍ଡ ଅନଲାଇନ ଲଟେରୀ ଓ ସ୍କୁଲ ଅାଲଟମେଣ୍ଟ ହେବା ସହିତ ଅପ୍ରେଲ ୨୭ରୁ ୩୦ ମଧ୍ୟରେ ସ୍କୁଲରେ ନାମଲେଖା ଅନୁଷ୍ଠିତ ହେବ।

ଶିକ୍ଷା ଅଧିକାର ଆଇନ-ଅନୁଯାୟୀ ଘରୋଇ ସ୍କୁଲଗୁଡ଼ିକରେ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବାର ପ୍ରାବଧାନ ରହିଛି। ମାତ୍ର ଘରୋଇ ବିଦ୍ୟାଳୟଗୁଡ଼ିକରେ ଏହି ନିୟମର ପାଳନ ହେଉନଥିବା ବାରମ୍ବାର ଅଭିଯୋଗ ହେଉଥିଲା। ୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ଯାଞ୍ଚ କରିବା ପାଇଁ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପୋର୍ଟାଲ rteparadarshi.odisha.gov.in ମଧ୍ୟ ଜାରି ହୋଇଛି। ଯେଉଁଥିରେ ଘରୋଇ ସ୍କୁଲଗୁଡ଼ିକର ସମସ୍ତ ତଥ୍ୟ ଉପଲବ୍ଧ ହେବ। ତେବେ ଏନେଇ ବିଭାଗ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି।

About The Author: The Sakala