କେନ୍ଦ୍ର ସମର୍ଥନରେ ଓଡ଼ିଶାକୁ ବୁଡ଼ାଇବ ପୋଲାଭରମ୍‌‌ : ନିଷ୍ଫଳ ହେବ କି ଦୁଇ ଦଶନ୍ଧିର ଲଢ଼େଇ?

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିବା ପରେ ମୋହନ ଚରଣ ମାଝୀ ଘୋଷଣା କରିଥିଲେ ନଦୀ ଜଳ କିମ୍ବା ଆନ୍ତଃରାଜ୍ୟ ବିବାଦରେ ଓଡ଼ିଶାର ସ୍ୱାର୍ଥକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯିବ। ଓଡ଼ିଶାର ସ୍ୱାର୍ଥ ସହିତ ସାଲିସ୍‌‌ କରାଯିବ ନାହିଁ। ଡବଲ ଇଞ୍ଜିନ୍‌‌ ସରକାରରେ ଖୋଦ୍‌‌ ମୁଖ୍ୟମନ୍ତ୍ରୀଙ୍କର ଏହି ଆଭିମୁଖ୍ୟ ଓଡ଼ିଶାକୁ ତା’ର ଅଧିକାର ଦେବ ବୋଲି ରାଜ୍ୟବାସୀଙ୍କ ମନରେ ବିଶ୍ୱାସ ଆଣିଥିଲା। ବିଶେଷକରି ପୋଲାଭରମ୍‌‌, ମହାନଦୀ ଭଳି ପ୍ରସଙ୍ଗ ଓଡ଼ିଶା ସପକ୍ଷରେ ଯିବ ବୋଲି ଧାରଣା […]

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିବା ପରେ ମୋହନ ଚରଣ ମାଝୀ ଘୋଷଣା କରିଥିଲେ ନଦୀ ଜଳ କିମ୍ବା ଆନ୍ତଃରାଜ୍ୟ ବିବାଦରେ ଓଡ଼ିଶାର ସ୍ୱାର୍ଥକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯିବ। ଓଡ଼ିଶାର ସ୍ୱାର୍ଥ ସହିତ ସାଲିସ୍‌‌ କରାଯିବ ନାହିଁ। ଡବଲ ଇଞ୍ଜିନ୍‌‌ ସରକାରରେ ଖୋଦ୍‌‌ ମୁଖ୍ୟମନ୍ତ୍ରୀଙ୍କର ଏହି ଆଭିମୁଖ୍ୟ ଓଡ଼ିଶାକୁ ତା’ର ଅଧିକାର ଦେବ ବୋଲି ରାଜ୍ୟବାସୀଙ୍କ ମନରେ ବିଶ୍ୱାସ ଆଣିଥିଲା। ବିଶେଷକରି ପୋଲାଭରମ୍‌‌, ମହାନଦୀ ଭଳି ପ୍ରସଙ୍ଗ ଓଡ଼ିଶା ସପକ୍ଷରେ ଯିବ ବୋଲି ଧାରଣା ସୃଷ୍ଟି ହେଲା। କିନ୍ତୁ ପୋଲାଭରମ୍‌‌ ପ୍ରକଳ୍ପ ପାଇଁ କେନ୍ଦ୍ର ବଜେଟରେ ଆର୍ଥିକ ସହାୟତା ଘୋଷଣା କରି ଡବଲ ଇଞ୍ଜିନ୍‌‌ ସରକାର ଓଡ଼ିଶା ପିଠିରେ ଛୁରା ମାଡ଼ କରିଛନ୍ତି। ଡବଲ ଇଞ୍ଜିନ୍‌‌ ସରକାର କେବଳ ଓଡ଼ିଶାର ହକ୍‌‌ ମାରିବା ପାଇଁ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ବଳ ଦେବ ନାହିଁ; ବରଂ ଓଡ଼ିଶାର ଗରିବ ଆଦିବାସୀଙ୍କ ଭିଟାମାଟିକୁ ପାଣିରେ ବୁଡ଼ାଇ ଦେବ। ମେଣ୍ଟ ସହଯୋଗୀ ସାଜି କେନ୍ଦ୍ର ସରକାରଙ୍କୁ ବଞ୍ଚାଇଥିବା ରାଜ୍ୟର ହିତ ପାଇଁ ଏହି ବଜେଟ ଉଦ୍ଦିଷ୍ଟ ବୋଲି ବିଜେଡି କହିଛି।

ବିଜେଡିର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ନିଜ ସ୍ଥିତି ରକ୍ଷା ପାଇଁ, ନିଜ ରାଜନୈତିକ ସ୍ୱାର୍ଥ ରକ୍ଷା ପାଇଁ, ସରକାର ରକ୍ଷା ପାଇଁ କେନ୍ଦ୍ର ସରକାର ପକ୍ଷପାତିତା କରୁଛନ୍ତି। ରାଜ୍ୟ ରାଜ୍ୟ ଭିତରେ ବିବାଦକୁ ଇନ୍ଧନ ଯୋଗାଉଛନ୍ତି। ଏହା ସୁସ୍ଥ ରାଜନୈତିକ ପରମ୍ପରା ନୁହେଁ। ବିଜେଡିର ସାଂସଦମାନେ ରାଜ୍ୟସଭା, ଲୋକସଭାରେ ବାରମ୍ବାର ପୋଲାଭରମ୍‌‌ ପ୍ରକଳ୍ପ ସମ୍ପର୍କରେ ଓଡ଼ିଶାର ସ୍ୱାର୍ଥକୁ ଦୃଷ୍ଟିରେ ରଖାଯାଉ ବୋଲି ଦାବି କରିଛନ୍ତି। ଓଡ଼ିଶା ସରକାର ଅନେକବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଜି ବଜେଟରେ ପୋଲାଭରମ୍‌‌ ପ୍ରକଳ୍ପକୁ ଶୀଘ୍ର ଶେଷ କରିବା ପାଇଁ ଯେଉଁ ବ୍ୟବସ୍ଥା କରାଯାଇଛି ତାହା ଓଡ଼ିଶାବାସୀଙ୍କୁ ଆଘାତ ଦେଇଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ପୂର୍ବତନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କହିଛନ୍ତି, ଆନ୍ଧ୍ର ପ୍ରଦେଶକୁ ଆର୍ଥିକ ସହାୟତା ଦେବାରେ ସମସ୍ୟା ନାହିଁ। କିନ୍ତୁ ଓଡ଼ିଶାବାସୀଙ୍କ ଦୁଃଖ ବି କେନ୍ଦ୍ର ସରକାର ଦେଖିବା କଥା। ଗୋଟିଏ ରାଜ୍ୟର ସ୍ୱାର୍ଥ ରକ୍ଷା କରି ଅନ୍ୟ ଏକ ରାଜ୍ୟର ସ୍ୱାର୍ଥକୁ ବଳି ପକାଇ ଦେବା ଗ୍ରହଣୀୟ ନୁହେଁ। କେନ୍ଦ୍ର ସରକାର ପୋଲାଭରମ୍‌‌ ସମ୍ପର୍କରେ ପୁନର୍ବିଚାର କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ସେହିପରି କଂଗ୍ରେସ୍‌‌ ସାଂସଦ ସପ୍ତଗିରି ଉଲାକା କହିଛନ୍ତି, ଆନ୍ଧ୍ରକୁ ଖୁସି କରିବାକୁ ଯାଇ କେନ୍ଦ୍ର ସରକାର ଓଡ଼ିଶା ଲୋକଙ୍କ ଭାଗ୍ୟ ଅନ୍ଧକାର ମଧ୍ୟକୁ ଠେଲି ଦେଇଛନ୍ତି। ପୋଲାଭରମ୍‌‌ ପ୍ରକଳ୍ପରେ ହସ୍ତକ୍ଷେପ କରି ଓଡ଼ିଶାର ସ୍ୱାର୍ଥ ରକ୍ଷା ପରିବର୍ତ୍ତେ ପ୍ରକଳ୍ପ କିପରି ଶୀଘ୍ର ଶେଷ ହେବ ସେଥିପାଇଁ ବଜେଟରେ ବ୍ୟୟବରାଦ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ଅନେକ ଅଞ୍ଚଳକୁ ସବୁଦିନ ପାଇଁ ଜଳମଗ୍ନ କରିଦେବ। ବହୁ ଲୋକ ଭିଟା ମାଟି ହରାଇବେ।

ଆନ୍ଧ୍ର ସରକାରଙ୍କ ପୋଲାଭରମ୍‌‌ ପ୍ରକଳ୍ପ ଓଡ଼ିଶାର ବିଭିନ୍ନ ଜିଲ୍ଲା ବିଶେଷକରି ମାଲକାନଗିରି ଜିଲ୍ଲା ପାଇଁ ଦୁଃଖ ଆଣି ଦେବ। ଏହି ପ୍ରକଳ୍ପରୁ ଓଡ଼ିଶା କିଛି ପାଇବ ନାହିଁ ବରଂ ବହୁତ କିଛି ହରାଇବ। ସେଥିପାଇଁ ଆରମ୍ଭରୁ ଓଡ଼ିଶା ଏହି ପ୍ରକଳ୍ପକୁ ବିରୋଧ କରି ଆସୁଛି। ଆନ୍ଧ୍ର ସରକାରଙ୍କ ମନମାନିକୁ ଛତିଶଗଡ଼ ମଧ୍ୟ ବିରୋଧ କରୁଛି। ଓଡ଼ିଶାରେ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କୁ କ୍ଷତିପୂରଣ ଦେବା ଲାଗି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଧ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ସୁଦ୍ଧା ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର କିଛି କ୍ଷତି ହେବ ନାହିଁ ବୋଲ ତତ୍କାଳୀନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ୍‌‌ ରାଜଶେଖର ରେଡ୍ଡୀ ସଫେଇ ଦେଇ ଦୋଷ ଝାଡି ଦେଇଥିଲେ। ମାତ୍ର ନବୀନ ନିଜ ଦାବିରେ ଅଟଳ ରହିବାରୁ ବିବାଦ ଘନିଭୂତ ହେବାରେ ଲାଗିଥିଲା। ୨୦୧୦ ପରେ ଓଡ଼ିଶା ଏବଂ ଛତିଶଗଡ଼ ସରକାର ସୁପ୍ରିମ୍‌‌ କୋର୍ଟରେ ଭିନ୍ନ ଭିନ୍ନ ଆବେଦନ ଦାଖଲ କରିଥିଲେ।

ପରିବେଶ ମନ୍ତ୍ରାଳୟ ଓ କେନ୍ଦ୍ରୀୟ ଜଳ ଆୟୋଗଙ୍‌‌କ ଉପଯୁକ୍ତ ମଞ୍ଜୁରୀ ବିନା ଆନ୍ଧ୍ର ସରକାର ପୋଲାଭରମ୍‌‌ ପ୍ରକଳ୍ପ ଜାରି ରଖିଛନ୍ତି ବୋଲି ଅଭିଯୋଗ କରାଯାଇଥିଲା। ପରେ ଗୋଦାବୀ ଜଳବିବାଦ ଟ୍ରିବୁନାଲ ଅନ୍ଥର୍ଗତ ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶ ସରକାର ଏକ ରାଜିନାମା ସ୍ୱାକ୍ଷର କରାଗଲା। ଫଳରେ ପ୍ରକଳ୍ପ ପାଇଁ ଆନ୍ଧ୍ରକୁ ଅନୁମତି ମିଳିଥିଲା। କିନ୍ତୁ ଜଳଭଣ୍ଡାରରେ ଜଳଧାରଣ କ୍ଷମତା ବୃଦ୍ଧି କରାଯାଇ ଥିବାରୁ ଜଳବୁଡି ସମସ୍ୟା ଦୂର ହେବ ନାହିଁ ବୋଲି ଓଡ଼ିଶା ଏବଂ ଛତିଶଗଡ଼ ସୁପ୍ରିମ୍‌‌ କୋର୍ଟରେ ଅଭିଯୋଗ ଆଣିଥିଲେ। ଓଡ଼ିଶାର ବହୁ ଅଞ୍ଚଳ ସବୁଦିନ ପାଇଁ ଜଳାର୍ଣ୍ଣବ ହୋଇଯିବ ବୋଲି କୁହାଗଲା। ଏହା ଭିତରେ ବର୍ଷ ପରେ ବର୍ଷ ଗଡ଼ି ଚାଲିଛି ଆଉ ଆନ୍ଧ୍ର ପ୍ରଦେଶ ପୋଲାଭରମ୍‌‌ ପ୍ରକଳ୍ପ ଆଗକୁ ନେଇ ଚାଲିଛନ୍ତି। ଏବେ ଏହି ବିବାଦୀୟ ପ୍ରକଳ୍ପକୁ କେନ୍ଦ୍ର ବଜେଟରେ ଅନୁଦାନ ଘୋଷଣା ଓଡ଼ିଶା ପ୍ରତି ଆହୁରି ବିପଦ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଇଛି।

About The Author: The Sakala