ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ+୨ ପରୀକ୍ଷା। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧ଟାରେ ସରିବ। ପ୍ରଥମ ଦିନରେ ବିଜ୍ଞାନ ବିଭାଗର ପରୀକ୍ଷା ହେବ। ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର୍ ପିଲାମାନେ ଏମ୍ଆଇଏଲ୍ (ଓଡ଼ିଆ) ପରୀକ୍ଷା ଦେବେ। ଏହାର ପରଦିନ ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ ହେବ।
ପରୀକ୍ଷାର ସୁପରିଚାଳନା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମସ୍ତ ହବ୍ରୁ ପରୀକ୍ଷା କେନ୍ଦ୍ରକୁ କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ନେବାକୁ ପୁନଃ ସମୀକ୍ଷା କରାଯାଇଛି। ସକାଳ ସାଢ଼େ ୮ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ। କୌଣସି ପରିସ୍ଥିତିରେ ଯେପରି ପ୍ରଶ୍ନପତ୍ର ଲିକ୍ ବା ବିଶୃଙ୍ଖଳା ସୃଷ୍ଟି ନ ହୁଏ, ସେଥିପାଇଁ ସିଏଚ୍ଏସ୍ଇ ଚୂଡ଼ାନ୍ତ ପ୍ରସ୍ତୁତି କରିଛି।
ପରୀକ୍ଷା ହଲ୍ରେ ସିସିଟିଭି ଲାଗିବା ସହ କପି ରୋକିବାକୁ ପଞ୍ଚସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି। କଲେଜସ୍ତରରେ ସୁପରିଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ପ୍ରଥମ ସ୍ତରର ସ୍କ୍ୱାଡ୍ ଯାଞ୍ଚ କରିବେ। ସେହିପରି ହବ୍ରୁ ଆସୁଥିବା ପର୍ଯ୍ୟବେକ୍ଷକ, ଜିଲ୍ଲା ପ୍ରଶାସନ ଓ ଜୋନାଲ୍ସ୍ତରୀୟ ସ୍କ୍ୱାଡ୍ କପି ଯାଞ୍ଚ କରିବେ।
ଚଳିତଥର ପ୍ରଥମଥର ପାଇଁ କରାଯାଇଥିବା ସେଣ୍ଟ୍ରାଲ୍ ସ୍କ୍ୱାଡ୍ ଜିଲ୍ଲା ମୁଖ୍ୟାଳୟରେ ରହି ଅଚାନକ କଲେଜ ଗସ୍ତ କରିବ। ୩୫ଟି ଦଳରେ ୧୨୦ଜଣ ସଦସ୍ୟ କଡ଼ା ନଜର ରଖିବେ। ସେହିପରି ପରୀକ୍ଷା ହଲ୍ରେ ଲାଗିଥିବା ସିସିଟିଭିକୁ ସିଏଚ୍ଏସ୍ଇ କାର୍ଯ୍ୟାଳୟରୁ ରହି ନିରୀକ୍ଷଣ କରବା ପାଇଁ ୫ଜଣ ବରିଷ୍ଠ ଅଧିକାରୀ ନିୟୋଜିତ ହୋଇଛନ୍ତି। ପୂର୍ବରୁ ଅଭିଯୋଗ ଆସୁଥିବା ୫ଶହ କଲେଜ ପାଇଁ କଣ୍ଟ୍ରୋଲ୍ ରୁମ୍ରୁ ପରୀକ୍ଷାକୁ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଚଳିତବର୍ଷ ମୋଟ୍ ୧୨୭୬ଟି ପରୀକ୍ଷା କେନ୍ଦ୍ରରେ ସର୍ବାଧିକ ୩ଲକ୍ଷ ୯୩ହଜାର ୬୧୮ପିଲା ପରୀକ୍ଷା ଦେବେ। କଳାରେ ସର୍ବାଧିକ ୨ଲକ୍ଷ ୪୭ହଜାର ୩୯୧ଜଣ ଫର୍ମପୂରଣ କରିଥିବା ବେଳେ ବିଜ୍ଞାନରେ ୧ଲକ୍ଷ ୧୪ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୭୨୧ଜଣ ପିଲା ରହିଛନ୍ତି।